କନ୍ଧମାଳ ଜିଲାରେ ଆରମ୍ଭ ହେଲା ଗଞ୍ଜେଇ କଟା ଅଭିଯାନ, ପ୍ରଥମ ଦିନରେ ୧୩୫ ଏକର ସଫା

ଫୁଲବାଣୀ :ଶୀତ ଆରମ୍ଭ ହେବା ମାତ୍ରେ ପତ୍ରିବର୍ଷ ପରି ଚଳିତ ବର୍ଷ ମଧ୍ୟ କନ୍ଧମାଳ ଜିଲାରେ ଆରମ୍ଭ ହୋଇଯାଇଛି ଗଞ୍ଜେଇ କଟା ଅଭିଯାନ। ଆଜି ପ୍ରଥମ ଦିନରେ ହିଁ ଫିରିଙ୍ଗିଆ ବ୍ଳକର ଗୋଛାପଡ଼ା ଥାନା ଅନ୍ତର୍ଗତ ସଲାଗୁଡା ପଂଚାୟତର ବିଭିନ୍ନ ସଂରକ୍ଷିତ ଜଙ୍ଗଲ ଅଂଚଳରେ ଲଗାଯାଇଥିବା ବେଆଇନ ଗଞ୍ଜେଇ ଗଛକୁ ଗୋଛାପଡା ଥାନା ପୋଲିସ ସମେତ ଜିଲା ଅବକାରୀ ବିଭାଗର ମିଳିତ ଅଭିଯାନରେ ନଷ୍ଟ କରାଯାଇଛି। ଫିରିଙ୍ଗିଆ ତହସିଲ୍‍ଦାର ତଥା ମାଜିଷ୍ଟ୍ରେଟ, ପୁନମ ରାଉତଙ୍କ ଉପସ୍ଥିତିରେ ଫୁଲବାଣୀ ଏସଡିପିଓ ମହେନ୍ଦ୍ର କୁମାର ମୁର୍ମୁଙ୍କ ନେତୃତ୍ୱରେ ଗୋଛାପଡା ଥାନା ଅଧିକାରୀ ତୃପ୍ତିରଞ୍ଜନ ନାୟକ,ଏସଆଇ ଦୀପ୍ତିରଞ୍ଜନ ଓଝା ଏବଂ ୨ ପ୍ଳାଟୁନ୍‍ ପୁଲିସ୍‍ ଫୋର୍ସ ସହିତ ଅବକାରୀ ବିଭାଗର କର୍ମଚାରୀ ଓ ଅନ୍ୟମାନଙ୍କ ମିଳିତ ଚଢାଉରେ ସଲାଗୁଡା ପଂଚାୟତର ନେଡିପଦର,କୁମ୍ଭାରଖୋଲ,ଗାଡିପଦର ଏବଂ ପାତିନାଲା ଆଦି ଅଂଚଳର ଜଙ୍ଗଲରେ କରାଯାଇଥିବା ବେଆଇନ ଗଞ୍ଜେଇ ଗଛ ସବୁ କାଟିବା ସହିତ ସେଠାରେ ସେଗୁଡିକ ନଷ୍ଟ କରାଯାଇଛି।

ଆଜି ଏହି ଅଭିଯାନରେ ମୋଟ ୧୩୫ ଏକର ଅଂଚଳରେ ହୋଇଥିବା ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୧ କୋଟି ୩୫ ଲକ୍ଷ ଟଙ୍କା ହେବ ବୋଲି ଗୋଛାପଡ଼ା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଏହି ସବୁ ଗଞ୍ଜେଇ ଚାଷ ସଂରକ୍ଷିତ ଜଙ୍ଗଲ ଅଂଚଳରେ ହୋଇଥିବା ନେଇ ଫୁଲବାଣୀ ଏସଡିପିଓ ଶ୍ରୀ ମୁର୍ମୁ ପ୍ରକାଶ କରିଛନ୍ତି। ଏହି ସଂକ୍ରନ୍ତରେ ଗୋଛାପଡା ଥାନାରେ କେସ ନଂ ୭୬ା୨୦ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚାଲିଥିବା ବେଳେ ଆଜି ଏହି ଚଢାଉରେ କାହାରିକୁ ମଧ୍ୟ ଗିରଫ କରାଯାଇନଥିବା ପ୍ରକାଶ। ଆଜିଠାରୁ ଏହି ଅଭିଯାନ ଆଗାମି ଦିନରେ ମଧ୍ୟ ଚାଲୁ ରହିବା ସହିତ ଉଭୟ ଫିରିଙ୍ଗିଆ ଓ ଗୋଛାପଡ଼ା ଥାନା ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷକୁ ସଂପୂର୍ଣ୍ଣଭାବେ ନଷ୍ଟ କରିବା ପାଇଁ ପଦକ୍ଷେପ ନିଆଯାଇଥିବା ପୁଲିସ୍‍ ପ୍ରଶାସନ ସୂତ୍ରରୁ ପ୍ରକାଶ।

Comments are closed.