ଘର ଉପରେ ଉପୁଡ଼ି ପଡ଼ିଲା ଶହେ ବର୍ଷର ବିରାଟକାୟ ବୃକ୍ଷ, ଅଳ୍ପକେ ବର୍ତ୍ତିଲେ ପରିବାରର ୬ ଜଣ

୨ ଘର ସହିତ ୩ ବାଇକ ଚୁରମାର୍, ଲକ୍ଷାଧିକ ଟଙ୍କାର ଆସବାବ ସାମଗ୍ରୀ ନଷ୍ଟ

ଫୁଲବାଣୀ : କଥାରେ ଅଛି ରଖେ ହରି ତ’ମାରେ କିଏ। ସେହିଭଳି ଆଜି ଏକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିବ୍ଲକ ଅନ୍ତର୍ଗତ ଗ୍ରୀନବାଡ଼ି ମଝି ସାହିରେ।

ଗ୍ରାମର ମଝି ସାହିରେ ଥିବା ଏକ ଶହେ ବର୍ଷର ବିରାଟକାୟ ଶୁଖିଲା ସିମିଳି ଗଛ ବିପଦସଙ୍କୁଳ ଅବସ୍ଥାରେ ଥିବା ବେଳେ ଆଜି ସକାଳେ ଗ୍ରାମର ଅକ୍ଷୟ ନାୟକଙ୍କ ଘର ଉପରେ ଉପୁଡ଼ି ପଡ଼ିଥିଲା। ଯାହା ଫଳରେ ଘରେ ଥିବା ୩ଟି ବାଇକ ସମେତ ଗ୍ୟାସ ହାଣ୍ଡି, ଚୁଲା ଆଦି ସମସ୍ତ ଆସବାବପତ୍ର ଗୁଡ଼ିକ ସମ୍ପୁର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ତେବେ ସୌଭାଗ୍ୟକ୍ରମେ ଗତକାଲି ଠାରୁ ଘରେ କେହି ନଥିବାରୁ ଘରର ୬ଜଣ ସଦସ୍ୟ ନିଶ୍ଚିତ ମୃତ୍ୟ ମୁଖରୁ ବର୍ତିଯାଇଥିବା ସାହିପଡ଼ିସା ବାସୀ କହିଛନ୍ତି।

ସୂଚନାଯୋଗ୍ୟ, ଗ୍ରୀନବାଡ଼ି ମଝି ସାହିରେ ବସବାସ କରୁଥିବା ଅକ୍ଷୟ ନାୟକଙ୍କ ଗତ ୨ଦିନ ତଳେ ତାଙ୍କର ଭାଉଜ ବିଜୟଲକ୍ଷ୍ମୀ ଏବଂ ଅନ୍ୟ ଜଣେ ସଦସ୍ୟଙ୍କ ଦେହ ଖରାପ ଥିବାରୁ ୨ଦିନ ତଳେ ସେମାନଙ୍କ ଚିକିତ୍ସା ପାଇଁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନେଇଥିଲେ। ଆଜି ସକାଳ ପ୍ରାୟ ସାଢ଼େ ୬ଟା ସମୟରେ ହଠାତ ଶହେ ବର୍ଷର ବିରାଟକାୟ ସିମିଳିଗଛଟି ଘର ଉପରେ ଅଚାନକ ଭାବେ ଉପୁଡ଼ି ପଡ଼ିବାରୁ ଘରେ ଥିବା ସମସ୍ତ ଆସବାବପତ୍ର ସହିତ ୩ବାଇକ ଗୁଡ଼ିକ ଭାଙ୍ଗିଯାଇଥିଲ।। ଘଟଣା ସମ୍ପର୍କରେ ସ୍ଥାନୀୟ ସରପଂଚ ସଂଜୟ କୁମାର ପ୍ରଧାନ ତୁରନ୍ତ ବ୍ଲକ ପ୍ରଶାସନକୁ ଅବଗତ କରିବା ପରେ ବିଡିଓ ଏବଂ ତହସିଲଦାର ଘଟଣାସ୍ଥଳରେ ପହଂଚିଘଟଣାର ଅନୁଧ୍ୟାନ କରିଥିବା ବେଳେ ବିରାଟକାୟ ସିମିଳିଗଛକୁ କାଟିବା ପାଇଁ ଅଗ୍ନିଶମ ବିଭାଗର ସହାୟତା ଲୋଡ଼ା ଯାଇଥିଲା। ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ବିରାଟକାୟ ଗଛର ଶାଖା ଗୁଡ଼ିକୁ କଟର ସାହାଯ୍ୟରେ କାଟି ଅଲଗା କରିଥିବା ବେଳେ ବିରାଟକାୟ ଗଛଗଣ୍ଡି ଗୁଡ଼ିକୁ ସେଠାରୁ ହଟାଇବା ପାଇଁ ଜେସିବିର ସହାୟତା ନିଆଯାଇଥିଲା। ତେବେ କ୍ଷତିଗ୍ରସ୍ତ ହୋଇଥିବା ଅକ୍ଷୟଙ୍କ ପରିବାରର କୌଣସି ସଦସ୍ୟ ସେଠାରେ ନଥିବା ବେଳେ ଏନେଇ ଖବର ପାଇ ବାଲିଗୁଡ଼ା ଡାକ୍ତରଖାନାରୁ ଘରକୁ ଫେରି ଘରର ଅବସ୍ଥା ଦେଖି ସମ୍ପୁର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ଘରର ଅବସ୍ଥା ଦେଖି କଣ କରିବେ କଣ ନାହିଁ ତାଙ୍କ ମୁଣ୍ଡକୁ କିଛି ଜୁଟିନଥିଲା। ଡାକ୍ତରଖାନାରୋ ଚିକିତ୍ସିତ ଭାଉଜ ଏବଂ ଅନ୍ୟ ସଦସ୍ୟଙ୍କୁ ଡାକ୍ତରଖାନାକୁ ଆଣିବା ପରେ କେଉଁଠି ରଖିବେ ସେ ନେଇ ଚିନ୍ତାରେ ରହିଛନ୍ତି। ସ୍ଥାନୀୟ ପ୍ରଶାସନ ଘଟଣା ସ୍ଥଳରେ ପହଂଚି ସମସ୍ତ ଘଟଣା ବାବଦରେ ଜାଣିଥିବା ସତ୍ୱେ ଅକ୍ଷୟ ଘଟଣା ବାବଦରେ ଲିଖିତ ଭାବରେ ଦେବା ପରେ ମଧ୍ୟ ତାଙ୍କୁ ପ୍ରଶାସନ ତରଫରୁ ମାତ୍ର ଗୋଟିଏ ଜରିପାଲ ମିଳିଥିବା ଅକ୍ଷୟ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଗ୍ରୀନବାଡ଼ି ସମେତ ଦାରିଙ୍ଗବାଡ଼ି ପଂଚାୟତବାସୀ ଏହି ଅଘଟଣରେ କ୍ଷତିଗ୍ରସ୍ତ ହୋଇଥିବା ପରିବାରକୁ ସରକାର ତୁରନ୍ତ ସହାୟତା ଯୋଗାଇଦେବାକୁ ସରପଂଚ ସମେତ ଗ୍ରାମବାସୀମାନେ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି।

Comments are closed.