ଅବସରପ୍ରାପ୍ତ ଏବିଇଓରୁ ନିପୁଣ କୃଷକ

ଫୁଲବାଣୀ : ଚାଷୀ ହସିଲେ ଦେଶ ହସିବ। ଏହାକୁ ଠିକ୍‍ ଭାବେ ପାଳନ କରିଛନ୍ତି ଜଣେ ଅବସରପ୍ରାପ୍ତ ଶିକ୍ଷା ଅଧିକାରୀ। ଲୋକେ ଉଚ୍ଚ ଶିକ୍ଷିତ ହୋଇ ଚାକିରିବାକିରି କରିବା ପରେ ଗାଁ ମାଟିରେ ଚାଷ କରିବାକୁ ନାକ ଟେକୁଥିବା ବେଳେ ଚାକିରି କରିବା ସୟମରେ ଏବଂ ଅବସର ପରେ ବି ଚାଷକୁ ପେଷା ଭାବେ ଗ୍ରହଣ କରି ଏହି ଶିକ୍ଷା ଅଧିକାରୀ ଜଣକ ଅନ୍ୟ ପାଇଁ ବେଶ ପ୍ରେରଣାଦାୟୀ ହୋଇଛନ୍ତି। ସେ ହେଉଛନ୍ତି କନ୍ଧମାଳ ଜିଲାର ବାରିକୁମ୍ପାର ଅବସରପ୍ରାପ୍ତ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଡମ୍ବରୁଧର ବାରିକ।

ଜନ୍ମମାଟି କେନ୍ଦ୍ରାପଡାରେ। ପିଲାବେଳୁ ନିଜ ବାପାଙ୍କ ସହିତ ଗାଁରେ ଥିବା ଜମିରେ ଚାଷ କରିବାର ନିଶାକୁ ସେ ଆଜି ପର୍ଯ୍ୟନ୍ତ ଭୁଲି ନାହାନ୍ତି। ୧୯୮୨ ମସିହାରେ କନ୍ଧମାଳ ଜିଲା କୁଏରମାଣ୍ଡୁ ପ୍ରାଥମିକ ବିଦ୍ୟାଳୟରେ ଜଣେ ଶିକ୍ଷକ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ। ୨୦୧୮ ମସିହା ପର୍ଯ୍ୟନ୍ତ ଜିଲାର ବିଭିନ୍ନ ସ୍ଥାନରେ ପ୍ରଧାନ ଶିକ୍ଷକ , ବିଦ୍ୟାଳୟ ନିରୀକ୍ଷକ ଓ ଶେଷରେ ଏବିଇଓରୁ ଅବସର ଗ୍ରହଣ କରଛନ୍ତି। ଚାକିରି କାଳ ମଧ୍ୟରେ ବିଦ୍ୟାଳୟଗୁଡିକ​‌​‌ରେ ବଗିଚା ଏବଂ ପନିପରିବା ଗଛ ଲଗାଇବା ପାଇଁ ଶିକ୍ଷକଙ୍କୁ ପ୍ରୋତ୍ସାହିତ କରୁଥିଲେ। କୌଣସି କାର୍ଯ୍ୟରେ ରାଜ୍ୟ ବାହାରକୁ ଗଲେ ମଧ୍ୟ ସେଠାରେ ଥିବା କୃଷି ପ୍ରଣାଳି ବାବଦରେ ଜାଣିବାକୁ ଚେଷ୍ଟା କରୁଥିଲେ। ଚାଷ ନିଶା ଯୋଗୁ ଚାକିରିର ଶେଷ ସମୟ ଆଡକୁ ସେ ବାରିକୁମ୍ପା ଅଞ୍ଚଳରେ କିଛି ଜମି କିଣିଥିଲେ। ସରକାରୀ ଚାକରିିରେ ଥିବାବେଳେ ମଧ୍ୟ ସମୟ ବାହାର କରି ଜମିରେ ଚାଷ କରୁଥିଲେ । ସେଠାରେ ବାଡିବଗିଚା ତିଆରି କରି ବିଭିନ୍ନ ପନିପରିବା ଉତ୍ପାଦନ କରୁଥିଲେ। ୨୦୧୮ ମସିହାରେ ଚାକିରିରୁ ଅବସର ନେବାପରେ ମଧ୍ୟ ସେ ଆଉ ତାଙ୍କ ଗାଁକୁ ନଫେରି ବାରିକୁମ୍ପାଠାରେ ଜଣେ କୁଶଳୀ ଚାଷୀ ଭାବେ ନିଜକୁ ପ୍ରତିପାଦନ କରିଛନ୍ତି। ୫ ବର୍ଷ ହେଲା ସେ ଖଜୁରିପଡା ବ୍ଳକ ଅନ୍ତର୍ଗତ ବାରିକୁମ୍ପାରେ ୩ ଏକର ଜାଗାରେ ବାଇଗଣ, କଦଳି, ବିନ୍ସ, ଜହ୍ନି, କଲରା, ପୋଟଳ ଚାଷ ସହିତ ବିଭିନ୍ନ ପ୍ରକାରର ଶାଗ, ଆମ୍ବ, ପିଜୁଳି ଅମଳ କରି ବେଶ୍‍ ଲାଭବାନ ହେଉଛନ୍ତି। ଅମଳ ପରିବାକୁ ବିିଭିନ୍ନ ବଜାରରେ ନିଜେ ବିକ୍ରିବଟା କରିଥାନ୍ତି। ପରୋକ୍ଷରେ କିଛି ବ୍ୟକ୍ତି ତାଙ୍କ ଦ୍ବାରା ରୋଜଗାରକ୍ଷମ ମଧ୍ୟ ହୋଇଛନ୍ତି। ଚାକିରିରୁ ଅବସର ନେବାପରେ ତାଙ୍କର ସମସ୍ତ ସମୟକୁ ଚାଷରେ ବିନିଯୋଗ କରୁଛନ୍ତି । ଏଥିରେ ତାଙ୍କୁ ଅନେକ ଆନନ୍ଦ ମିଳୁଛି ବୋଲି କହିଛନ୍ତି ଡମ୍ବରୁଧର।

ରାତି ପାହିଲା ମାତ୍ରେ ଫୁଲବାଣୀ ଢିପାସାହିସ୍ଥିତ ବାସଭବନରୁ ଡମ୍ବରୁଧର ବାହାରି ପଡନ୍ତି ବଗିଚାକୁ। ସେଠାରେ ସେ ଦିନତମାମ ଚାଷ କାର୍ଯ୍ୟରେ ସମୟ ବିତାଇଥାନ୍ତି। ଚାଷ ଜମିରେ ଗୋଟିଏ ଛୋଟ ଘରଟିଏ କରିଛନ୍ତି। ଅଧିକାଂଶ ସମୟରେ ସେଠାରେ ସେ ରାତ୍ରିଯାପନ କରନ୍ତି। ଚାଷ ଜମିରେ ଗୋଡ଼ଦେବା ପରେ ବାହାର ଦୁନିଆଁ ସହିତ ତାଙ୍କର କିଛି ସମ୍ପର୍କ ନଥାଏ । ସେଠାରେ ସେ ସାଜନ୍ତି ଜଣେ ନିପୁଣ କୃଷକ। ତାଙ୍କର ଦୁଇ ପୁଅ ଚାକିରି କରୁଛନ୍ତି। ତାଙ୍କର ସ୍ତ୍ରୀ ମଧ୍ୟ ଜଣେ ଶିକ୍ଷୟିତ୍ରୀ। ଚାକିରିରୁ ଅବସର ନେବାପରେ ଶାନ୍ତିରେ ଘରେ ବସି ଅନ୍ୟମାନଙ୍କ ଭଳି ପେନସନ ପାଇ ଘରେ ବାସିବାକୁ ତାଙ୍କୁ ଜମା ଭଲ ଲାଗେ ନାହିଁ ବୋଲି ସେ କହିଛନ୍ତି। ମାଟିର ମଣିଷ ମାଟିରେ ମିଶିବା ଯାଏଁ ଜୀବନର ଶେଷ ପର୍ଯ୍ୟନ୍ତ କୃଷି କାର୍ଯ୍ୟରେ ନିଜକୁ ନିୟୋଜିତ ରଖିବେ ବୋଲି ସେ କହିଛନ୍ତି । ବାରିକୁମ୍ପା ଅଞ୍ଚଳରେ ଲୋକଙ୍କର ନିଜର ଜମି ଥିଲେ ମଧ୍ୟ ଚାଷ କରୁନଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଚାଷ ପାଇଁ ଉଦ୍ଦିଷ୍ଟ ସରକାରୀ ସହାୟତାର ସଦବ୍ୟବହାର ହେଲେ ସୁନା ଫସଲ ଫଳିବ ବୋଲି ସେ କହିଛନ୍ତି।

Comments
Loading...