କରୋନା କଟକଣାର କରୁଣ ଚିତ୍ର , ମେଡିକାଲ ବାରଣ୍ଡାରେ ଗଲା ଶିଶୁ ଜୀବନ

ଫୁଲବାଣୀ : କନ୍ଧମାଳ ଜିଲା ରାଇକିଆ ଥାନା ଅଞ୍ଚଳରେ ଆଜି ଦେଖିବାକୁ ମିଳିଛି ଏକ ହୃଦୟବିଦାରକ ଦୃଶ୍ୟ। କରୋନା କଟକଣା ଯୋଗୁ ଏଭଳି ପରିସ୍ଥିତି ଉପୁଜିଥିବା କୁହାଯାଇଛି। ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିବା ଜଣେ ୭ବର୍ଷ ବୟସ ଶିଶୁ ଚିକିିତ୍ସା ହେବା ପୁର୍ବରୁ ଆଖିବୁଜି ଦେଇଥିଲା। ତାହା ମଧ୍ୟ ଖୋଦ୍‍ ମେଡ଼ିକାଳ୍‍ ବାରଣ୍ଡାରେ। ଶିଶୁଟି ପ୍ରାଣ ହରାଇବା ପରେ ମଧ୍ୟ ମିଳିନଥିଲା ସମ୍ମାନ। ଶେଷରେ ପରିବାର ଲୋକେ ଏକ ବାଇକ୍‍ରେ ମୃତଦେହକୁ ଘରକୁ ନେଇଥିଲେ । ଡାକ୍ତରଖାନା ଭିତରେ ମୃତ୍ୟବରଣ କରିଥିବା ସତ୍ତ୍ବେ ଶିଶୁଟିର ମୃତଦେହକୁ ଘରକୁ ନେବାପାଇଁ ଡାକ୍ତରଖାନା ତରଫରୁ ମଧ୍ୟ କୌଣସି ବ୍ୟବସ୍ଥା କରାନଯିବାରୁ ପରିବାର ଲୋକ ବାଧ୍ୟ ହୋଇ ଶିଶୁର ମୃତଦେହକୁ ବାଇକରେ ଘରକୁ ନେଇଥିଲେ। ମୃତ ଶିଶୁ ଜଣକ ହେଲେ ରାଇକିଆ ବ୍ଲକ ସୁଗଡ଼ବାଡ଼ି ଗ୍ରାମର ମୁନା ନାୟକଙ୍କ ୭ବର୍ଷର ପୁଅ ବାଲୁଙ୍କେଶ୍ୱର ନାୟକ ।

ସୂଚନା ପ୍ରକାରେ ସୁଗଡ଼ବାଡ଼ି ଗ୍ରାମର ମୁନା ନାୟକଙ୍କ ପୁଅ ବାଲୁଙ୍କେଶ୍ୱର ସିକଲିନ ରୋଗରେ ପୀଡିତ ଥିଲା। ଆଜି ହଠାତ୍‍ ଅଧିକ ଅସୁସ୍ଥ ହେବାରୁ ପରିବାର ଲୋକ ସକାଳୁ ଆମ୍ବୁଲାନ୍ସକୁ ଫୋନ କରିଥିଲେ। କିନ୍ତୁ ରାଇକିଆ ବ୍ଲକର ୧୩ ଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍‍ ଘୋଷଣା କରାଯାଇଥିବାରୁ ବିିଭିନ୍ନ ଅଞ୍ଚଳ ଆବଧ ହୋଇଛି। ଏଭଳି ସ୍ଥଳେ ଆମ୍ବୁଲାନ୍ସଟି ଗ୍ରାମ ପର୍ଯ୍ୟନ୍ତ ଯାଇପାରିନଥିଲା। ପରିବାର ଲୋକେ ଏକ ଅଟୋ ଦ୍ୱାରା ଗ୍ରାମରୁ ପ୍ରାୟ ୪ କିଲୋମିଟର ଦୂର ପାଡାନସୁଗା ପର୍ଯ୍ୟନ୍ତ ଆସିଥିଲେ। ସେଠାରୁ ବାଉଁଶ ବାଡ ଏପଟେ ରହିଥିବା ଆମ୍ବୁଲାନ୍ସରେ ଉକ୍ତ ଶିଶୁକୁ ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ଶିଶୁଟିର ଚିକିତ୍ସା କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ରେଫର କରିଦେଇ ନିରବ ରହିଥିଲେ। କିନ୍ତୁ କିଭଳି ଭାବେ ଉକ୍ତ ଶିଶୁଟି ଯାଇ ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିବ ତାହା ଉପରେ କେହି ଧ୍ୟାନ ଦେଇନଥିଲେ। ଆଣିଥିବା ଆମ୍ବୁଲାନ୍ସ ମଧ୍ୟ ଉକ୍ତ ପରିବାରକୁ ଆବଶ୍ୟକ ସ୍ଥଳେ ଫୋନ୍‍ କରିବ କହି କୁଆଡ଼େ ଚାଲି ଯାଇଥିଲା। ରେଫର ପରେ ପରିବାର ଲୋକେ ଆମ୍ବୁଲାନ୍ସକୁ ଅପେକ୍ଷା କରିବା ଭିତରେ ଉକ୍ତ ୭ ବର୍ଷର ଶିଶୁର ପ୍ରାଣବାୟୁ ଉଡ଼ି ଯାଇଥିଲା। କିନ୍ତୁ ସେହି ସମୟରେ ଡାକ୍ତରଖାନା ଭିତରେ ହିଁ ଶିଶୁଟି ମୃତ୍ୟବରଣ କରିଥିଲା। ଏହାପରେ ମୃତ ଶିଶୁକୁ ଘରକୁ ନେବା ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ବହୁ ସମୟ ପରେ ଶିଶୁଟିର ପରିବାର ଲୋକେ ମୃତଦେହକୁ ନିଜ ସମ୍ପର୍କୀୟଙ୍କ ବାଇକରେ ବୋହି ନେଇ ଘରକୁ ନେଇଥିଲେ। ସେହି ସମୟର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

Comments are closed.