ସାଇ ପ୍ରଣିତା ହେଲେ କନ୍ଧମାଳର ପ୍ରଥମ ମହିଳା ଫ୍ଲାଇଂ ଅଫିସର

ଫୁଲବାଣୀ :କନ୍ଧମାଳ ଜିଲା ପାଇଁ ଗୌରବ ପାଲଟିଛନ୍ତି ସୁଶ୍ରୀ ସାଇ ପ୍ରଣିତା ମହାନ୍ତି। କନ୍ଧମାଳ ଜିଲାର ପ୍ରଥମ ମହିଳା ଭାବେ ବାୟୁ ସେନାର ଫ୍ଲାଇଂ ଅଫିସର ହେବାର ସୌଭାଗ୍ୟ ଲାଭ କରି ଜିଲାକୁ ଗୌରବାନ୍ବିତ କରିଛନ୍ତି। ବାୟୁସେନାର ହାଇଦରାବାଦସ୍ଥିତ ଏୟାରଫୋର୍ସ ଏକାଡେମୀରୁ ୱେଦର ଫରକାଷ୍ଟିଂରେ ତାଲିମ ପ୍ରାପ୍ତ କରି ଆଜି ଫ୍ଲାଂଇଂ ଅଫିସର ଭାବେ ଗ୍ୱାଲିୟର ବାୟୁସେନା କେନ୍ଦ୍ରରେ ସେ ନିଯୁକ୍ତି ପାଇଛନ୍ତି। ପିଲାଟି ଦିନରୁ ଘର ପାଇଁ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ଆଜି ସଫଳ ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି।

ଫୁଲବାଣୀ ସହର କେନ୍ଦୁପଦରସ୍ଥିତ ଶଙ୍କର ନାରାୟଣ ମହାନ୍ତି ଓ ମିନତୀ ମହାନ୍ତିଙ୍କ କନିଷ୍ଠ କନ୍ୟା ସାଇ ପ୍ରଣିତା ୧୯୯୩ ମସିହା ଡିସେମ୍ବର ୨୬ରେ ଫୁଲବାଣୀରେ ଜନ୍ମ ଗ୍ରହଣ କରିଥିଲେ। ବାପା ଜଣେ ସାଇ ସେବକ ଭାବେ କାର୍ୟ୍ୟ କରନ୍ତି। ତାଙ୍କ ଜେଜେବାପା ପ୍ରକାଶ ଚନ୍ଦ୍ର ମହାନ୍ତି ସେନାବିନୀରେ ନାୟକ ଭାବେ କାର୍ୟ୍ୟ କରି ଅବସର ଗ୍ରହଣ କରିଥିବା ବେଳେ ଦାଦା ପରୀକ୍ଷିତ ମହାନ୍ତି ସେନାରେ ମେଜର ଭାବେ କାର୍ୟ୍ୟରତ ଅଛନ୍ତି। ସୁଶ୍ରୀ ପ୍ରଣିତା ପ୍ରାଥମିକ ଶିକ୍ଷା ଫୁଲବାଣୀ ସରସ୍ୱତୀ ଶିଶୁ ମନ୍ଦିରରେ ଗ୍ରହଣ କରିବା ପରେ ବାଳିକା ହାଇସ୍କୁଲରେ ଅଧ୍ୟୟନ କରି ପ୍ରଥମ ଶ୍ରେଣୀରେ ମାଟ୍ରିକ୍‍ ପାସ କରିଥିଲେ। ସେ ଫୁଲବାଣୀ ସ୍ୱୟଂଶାସିତ ସରକାରୀ ମହାବିଦ୍ୟାଳୟରୁ ବିଜ୍ଞାନରେ ଯୁକ୍ତ ୨ରେ ପ୍ରଥମ ଶ୍ରେଣୀରେ ପାସ କରିଥିଲେ। ପରେ ସେ ଆନ୍ଧ୍ରପ୍ରେଦେଶର ପ୍ରଶାନ୍ତିସ୍ଥିତ ଶ୍ରୀ ସତ୍ୟସାଇ ମହିଳା ମହାବିଦ୍ୟାଳୟରୁ ସ୍ନାତକ ଓ ପଣ୍ଡିଚେରୀସ୍ଥିତ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ପଦାର୍ଥ ବିଜ୍ଞାନରେ ସ୍ନାତକୋତର ହିଗ୍ରୀ ହାସଲ କରିଥିଲେ। ଏହା ପରେ ସେ ଚେନ୍ନାଇ ଥିବା ଇନ୍ଦିରା ଗାନ୍ଧି ଅଟୋମେଟିକ୍‍ ରିସର୍ଚ୍ଚ ସେଣ୍ଟରରେ ମଧ୍ୟ ପିଏଚଡିରେ ନାମ ଲେଖାଇଥିଲେ। ପରିବାରର ଆର୍ଥିକ ପରିସ୍ଥିତି ପାଇଁ ସେ ପିଏଚଡି ପାଠପଢା ଅଧାରୁ ଛାଡିଥିଲେ ମଧ୍ୟ ପ୍ରଣିତାଙ୍କ ପାଠ ପଢିବାରେ ଆଗ୍ରହ ଓ ଇଛା ଶକ୍ତି ଯୋଗୁଁ ଏଥିରେ ତାଙ୍କ ବଡ଼ଭଉଣି ସାଇ ପ୍ରଶାନ୍ତ ମହାନ୍ତି ଓ ଜ୍ୱାଇଁ ସୁକାନ୍ତ କୁମାର ବିଡ଼ିକା ସହଯୋଗ କରିଥିଲେ। ପରେ ସେ ଏକ ବେସରକାରୀ ପବ୍ଲିସିଂ କମ୍ପାନୀରେ ଚାକିରି ଜୀବନ ଆରମ୍ଭ କରିଥିଲେ। ଏଥି ସହ ସେ ତାଙ୍କ ସାଙ୍ଗମାନଙ୍କ ଏବଂ ଦାଦାଙ୍କ ପ୍ରେରଣାରେ ବାୟୁ ସେନାରେ ଯୋଗଦେବା ପାଇଁ ଷ୍ଟାଫ ସିଲେକ୍ସନ ବୋର୍ଡ ପରୀକ୍ଷା ଆବେଦନ କରିଥିଲେ। ତୃତୀୟ ଚାନ୍ସରେ ସେ ଏଥିରେ କୃତକାର୍ୟ୍ୟ ହୋଇ ହାଇଦରାବାଦ ଏୟାରଫୋର୍ସ ଏକାଡେମୀରେ ତାଲିମ ଗ୍ରହଣ କରିବା ପରେ ଆଜି ସେଠାରୁ ଉତିର୍ଣ୍ଣ ହୋଇଛନ୍ତି। କନ୍ଧମାଳ ଜିଲାର ପ୍ରଥମ ମହିଳା ଭାବେ ଏଭଳି ଏକ କୃତିତ୍ୱ ହାସଲ କରିଥିବାରୁ ସେ ଖୁସି ବୋଲି କହିଛନ୍ତି। ଝିଅର ଏହି ସଫଳତା ପାଇଁ ପରିବାର ତଥା ଫୁଲବାଣୀ ସହରରେ ଆନନ୍ଦ ଖେଳି ଯାଇଛି। ଝିଅର ସଫଳତା ପାଇଁ ତାଙ୍କ ମାତୃତ୍ୱ ଧନ୍ୟ ହୋଇଛି ବୋଲି ତାଙ୍କ ମା ମିନତୀ ଭାବବିହ୍ୱଳ ହୋଇ କହିଛନ୍ତି।

Comments are closed.