୩ରୁ ଫୁଲବାଣୀର ପ୍ରସିଦ୍ଧ ଠାକୁରାଣି ଯାତ୍ରା, ପ୍ରସ୍ତୁତି ଜୋରଦାର

ଫୁଲବାଣୀ: ଗତଥର କରୋନା କଟକଣା ଯୋଗୁଁ ଯାତ୍ରା ହୋଇ ପାରିନଥିବା ବେଳେ ଚଳିତ ବର୍ଷ ଆୟୋଜିତ ହେବାକୁ ଯାଉଛି ଫୁଲବାଣୀର ପ୍ରସିଦ୍ଧ ଦ୍ୱି-ବାର୍ଷିକ ଠାକୁରାଣୀ ଯାତ୍ରା। ଗତ ବିଷୁବ ସଂକ୍ରାନ୍ତିରେ ଶୁଭ ଖୁଣ୍ଡି ସ୍ଥାପନ ସରିଥିବା ବେଳେ ଆସନ୍ତା ୩ ତାରିଖ ଅକ୍ଷୟ ତୃତୀୟା ଦିନ ଶୁଭାରମ୍ଭ ହେବ ଯାତ୍ରା। କରୋନା କାରଣରୁ ଗତ ଦୁଇ ଥର ଧରି ଯାତ୍ରା ଆୟୋଜିତ ହୋଇ ପାରି ନ ଥିବାରୁ ଚଳିତ ଥର ଏହାକୁ ନେଇ ସମସ୍ତଙ୍କ ଭିତରେ ପ୍ରବଳ ଉତ୍କଣ୍ଠା ରହିଛି। ଏଥିସହ ୧୯୭୨ ମସିହାରୁ ଆରମ୍ଭ ହୋଇଥିବା ଏହି ପ୍ରସିଦ୍ଧ ଯାତ୍ରାକୁ ଏଥର ୨୫ ବର୍ଷ ପୂର୍ତ୍ତି ହେଉଥିବାରୁ ଯାତ୍ରାର ରୌପ୍ୟ ଜୟନ୍ତୀ ମଧ୍ୟ ଆୟୋଜିତ ହେଉଛି। ଏ ଉପଲକ୍ଷେ ଯାତ୍ରା ପରିଚାଳନା କମିଟି ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ସମସ୍ତ ପ୍ରସ୍ତୁତି ଏକ ପ୍ରକାର ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ଆଜି ସ୍ଥାନୀୟ ନାରାୟଣି ଯାତ୍ରା କମିଟି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।
ସୂଚନା ଅନୁଯାୟୀ ଆସନ୍ତା ୩ ତାରିଖ ଦିନ ସକାଳେ ଯାତ୍ରାର ପାର୍ଶ୍ବଦେବୀ ମା ବ୍ରାହ୍ମଣିଦେବୀ, ମା ବରାଳଦେବୀ, ମା ବ୍ୟାଘ୍ରଦେବୀ ଓ ଗ୍ରାମଦେବତୀଙ୍କୁ ବରଣ କରି ଯାତ୍ରା ସ୍ଥଳକୁ ଅଣାଯିବା ପରେ ରାତିରେ ମା ନାରାୟଣୀଙ୍କୁ ତାଙ୍କ ମନ୍ଦିରରୁ ବରଣ କରି ଅଣାଯିବ। ଯାତ୍ରା ଆସନ୍ତା ଜୁନ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ମାସେ ଧରି ଚାଲିବାକୁ ଥିବା ଏହି ଯାତ୍ରାକୁ ସୁପରଚାଳିତ କରିବା ପାଇଁ ପରିଚାଳନା କମିଟି ତରଫରୁ ସମସ୍ତ ପ୍ରକାର ପ୍ରୟାସ କରାଯାଉଥିବା କମିଟି କର୍ମକର୍ତ୍ତା ମାନେ ପ୍ରକାଶ କରିଛନ୍ତି।

ବିଶେଷକରି ଭିଡ ନିୟନ୍ତ୍ରଣ, ଯାନବାହାନ ନିୟନ୍ତ୍ରଣ ପାଇଁ ପ୍ରଶାସନର ସହଯୋଗ ଲୋଡାଯାଉଛି। କମିଟି ଅଧ୍ୟକ୍ଷ ତଥା ଫୁଲବାଣୀ ଉପ ଜିଲପାଳ ଶେଷଦେବ ମିଶ୍ରଙ୍କ ତତ୍ୱାବଧାନରେ ଆୟୋଜିତ ବୈଠକରେ ଏ ନେଇ ନିଷ୍ପତ୍ତି ନିଆ ଯାଇଛି। ଯାତ୍ରା ସମୟରେ ପ୍ରତ୍ୟେକ ଦିନ ଦଶ ହଜାରରୁ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିଡ ହେବା ଅନୁମାନ କରାଯାଇ ସେହି ଅନୁସାରେ ବନ୍ଦୋବସ୍ତ କରାଯାଉଛି ବୋଲି କମିଟିର ସଂପାଦକ ଦୁର୍ଗାଶଙ୍କର ତ୍ରିପାଠି ସୂଚନା ଦେଇଛନ୍ତି। ଶୌଚାଳୟ, ପାନୀୟ ଜଳ, ଆମ୍ବୁଲାନସର ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଯାତ୍ରା ପଡିଆ ଓ ସହରର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯିବ ବୋଲି ସୂଚନା ଦିଆ ଯାଇଛି। ଯାତ୍ରାକୁ ସୁଶୃଙ୍ଖଳିତ କରିବା ପାଇଁ ସହରବାସୀଙ୍କ ସହଯୋଗ କାମନା କରିଛି ଯାତ୍ରା ପରିଚାଳନା କମିଟି।
ଆଜିର ଏହି ସାମ୍ବାଦିକ ସମମ୍ମିଳନୀରେ କମିଟି ସଭାପତି ପି.ସୁଧାଂଶୁ କୁମାର ସେନାପତି,ଉପସଭାପତି ସୁଜିତ କୁମାର ବେହେରା, ସାଧାରଣ ସଂପାଦକ ଦୁର୍ଗାଶଂକର ତ୍ରିପାଠୀ, ସଂପାଦକ ପାର୍ଥସାରଥୀ ବିଶ୍ୱାଳ, କୋଷାଧ୍ୟକ୍ଷ ରମେଶ ଚନ୍ଦ୍ର ମହାନ୍ତି, ଅର୍ଥ ସଂପାଦକ କାବୁଲା ସେନାପତି, ସାଂସ୍କୃତିକ ସଂପାଦକ ଭି.ଲୋକନାଥ ରାଜୁ ଓ ଗଣ ମାଧ୍ୟମ ସଂଯୋଜକ ପ୍ରଶାନ୍ତ କୁମାର ବେହେରାଙ୍କ ସମେତ ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

Comments are closed.