ସ୍ଥାୟୀ ନିଯୁକ୍ତି ଦାବିରେ ଦାବିପତ୍ର ପ୍ରଦାନ

ଫୁଲବାଣୀ: ରାଜ୍ୟର ପ୍ରାୟ ସମସ୍ତ ବ୍ଳକ ସ୍ତରରେ କାର୍ଯ୍ୟରତ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ଓ ଜିଲା ସ୍ତରରେ ଜଣେ ଜଣେ କାର୍ଯ୍ୟରତ ମନରେଗା ସଂଯୋଜକ ଦୀର୍ଘ ୧୨ ବର୍ଷ ଧରି କାର୍ଯ୍ୟକରୁଆସୁଥିବା ବେଳେ କନ୍ଧମାଳ ଜିଲାରେ ମଧ୍ୟ ୧୨ ଟି ବ୍ଳକ ଓ ଜିଲା ସ୍ତରରେ ଜଣେ କର୍ମଚାରୀ କାର୍ଯ୍ୟରତ ଅଛନ୍ତି । ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନକୁ ସଫଳ ରୂପାୟନ ଓ ଲୋକଙ୍କ ପାଖରେ ପହଞ୍ଚାଇବା ସହିତ ଲୋକଙ୍କର ଆର୍ଥିକ ସ୍ଥିତିକୁ ସୁଦୃଢ ତଥା ଗ୍ରାମାଞ୍ଚଳରେ ସ୍ଥାୟୀ ସମ୍ପତି ସୃଷ୍ଟି କରିବାରେ ଏହି ସବୁ କର୍ମଚାରୀ ମାନେ ମୁଖ୍ୟ ଭୂମିକା ଗ୍ରହଣ କରୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ସରକାରୀ କରିନାହାନ୍ତି ।

ଏପରିକି ଏହି ସବୁ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି କରିବା ପାଇଁ ଆଜି ପର୍ଯ୍ୟନ୍ତ ସରକାରୀ ସ୍ତରରେ ମଧ୍ୟ ସେଭଳି କୌଣସି ପ୍ରକାର ପଦକ୍ଷେପ ନିଆଯାଇ ନାହିଁ । ପୂର୍ବରୁ ଏହି ସବୁ କର୍ମଚାରୀ ମାନେ ଦାବି କରି ଆସୁଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରକାର ପଦେକ୍ଷପ ଗ୍ରହଣ କରାଯାଇ ନଥିବା ବେଳେ ଆଜି ପୁଣିଥରେ ରାଜ୍ୟ ସଂଘର ଆହ୍ୱାନ କ୍ରମେ କନ୍ଧମାଳ ଜିଲାରେ କାର୍ଯ୍ୟରତ ସମସ୍ତ ୧୨ ଜଣ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ଓ ଜିଲା ସ୍ତରରେ କାର୍ଯ୍ୟରତ ଜିଲା ମନରେଗା ସଂଯୋଜକ ସ୍ଥାୟୀ ନିଯୁକ୍ତି ଦାବିକରି ଆଜି ପୁଣିଥରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଦାବିନେଇ ଏକ ଦାବିପତ୍ର  ଜିଲା ପରିଷଦର ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱ ରଂଜନ ନାୟକଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

କନ୍ଧମାଳ ଜିଲା ମନରେଗାର ଜିଲା ସଂଯୋଜକ ସନ୍ତୋଷ କୁମାର ସାହୁଙ୍କ ନେତୃତ୍ୱରେ ଫୁଲବାଣୀ ଏପିଓ ଶ୍ରୀନିବାସ ପଟ୍ଟନାୟକ, କେ.ନୂଆଗାଁ ଏପିଓ ସୌଦାମିନୀ ମୁର୍ମୁ, ତୁମୁଡ଼ିବନ୍ଧ ବ୍ଳକ ଏପିଓ ସମୀର କୁମାର ଦାସ, ଜି.ଉଦୟଗିରି ଏପିଓ ଗାୟତ୍ରୀ ସାହୁ, ଟିକାବାଲି ଏପିଓ ଅନୁରାଧା ମଲିକ , ଫିରିଙ୍ଗିଆ ଏପିଓ ସୁମନ୍ତ ଉଠାଣସିଂ , ରାଇକିଆ ଏପିଓ କେଦା ଚନ୍ଦ୍ର ପଣ୍ଡା, କୋଟଗଡ଼ ଏପିଓ ସୂର୍ଯ୍ୟ ନାରାୟଣ ସେନାପତି, ଦାରିଙ୍ଗବାଡ଼ି ଏପିଓ ତ୍ରିନାଥ ନାୟକ ଓ ଚକାପାଦ ଏପିଓ ନବନିତା ପ୍ରିୟଦର୍ଶନ ତ୍ରିପାଠୀ ଓ ଅନ୍ୟମାନେ ସାମିଲ୍‌ ହୋଇଥିଲେ ।

Comments are closed.