ଯୁବକଙ୍କ ମୃତ ଦେହ ଉଦ୍ଧାର , ହତ୍ୟା ସନ୍ଦେହ

ଫୁଲବାଣୀ : କନ୍ଧମାଳ ଜିଲା ଗୋଛାପଡ଼ା ଥାନା ଅନ୍ତର୍ଗତ ସଲାଗୁଡା ପଞ୍ଚାୟତ ମୂର୍ଜା ଗ୍ରାମର ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ପାରି ପାଶ୍ୱିର୍କ ସ୍ଥିତିକୁ ଅନୁଧ୍ୟାନ କଲେ ଏହା ଏକ ହତ୍ୟା କାଣ୍ଡ ବୋଲି ସନ୍ଦେହ କରା ଯାଉଛି । ମୃତକ ହେଲେ ଭରତ ମଲିକ ( ୩୫) । ମିଳିଥିବା ସୂଚନା ଅନୁସାରେ ଭରତ ମଙ୍ଗଳବାର କଟ୍ରିଙ୍ଗିଆ ପଞ୍ଚାୟତ କୁନ୍ଦାଲି ଗ୍ରାମକୁ ଭୋଜି ଖାଇବା ପାଇଁ ଯାଇ ଆଉ ଘରକୁ ଫେରି ନ ଥିଲେ । ଘର ଲୋକ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିଥିଲେ ମଧ୍ୟ ସନ୍ଧାନ ପାଇ ନ ଥିଲେ । ବୁଧବାର ସକାଳେ ଏଠାରୁ ପ୍ରାୟ ୩ କିମି ଦୂର ମାଣିଜିରି ଗ୍ରାମର ସୁଦ୍ର କହଁରଙ୍କ ଘର ଅଗଣାରେ ତାଙ୍କ ମୃତ ଦେହ ପଡିଥିବା ନେଇ ପରିବାର ଲୋକେ ଖବର ପାଇଥିଲେ। ପରିବାର ଲୋକେ ଆସି ଦେଖିବା ବେଳକୁ ଭରତଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେଠାରେ ପଡିଥିଲା। ଏ ନେଇ ଗୋଚ୍ଛାପଡା ଥାନାକୁ ସୁଚନା ଦିଆଯିବା ପରେ ଥାନାଧିକାରୀ ରଞ୍ଜିତ ମୁନି, ସଦର ଏସଡିପିଓ ସୁପ୍ରସନ୍ନ ମଲିକ ବୈଜ୍ଞାନିକ ଦଳ ସହ ଯାଇ ଘଟଣାର ଛାନଭିନ କରିଥିଲେ । ମୃତକଙ୍କ ସ୍ତ୍ରୀ ବିଶିମତି ମଲିକ ଏ ନେଇ ଗୋଚ୍ଛାପଡା ଥାନାରେ ଏତଲା ଦେଇଥିଲେ । ସ୍ୱାମୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ତେବେ ମୃତ୍ୟୁର କାରଣ ଜଣାପଡି ନ ଥିବା ବେଳେ ଏ ନେଇ ୧୦୮/୨୩ରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ଥାନାଧିକାରୀ ମୁନୀ ପ୍ରକାଶ କରିଛନ୍ତି ।

Comments are closed.