କରୋନା ଲଢେଇରେ ଜିତିଲେ ୮୧ ବର୍ଷର ବୃଦ୍ଧ ଗୋପୀନାଥ

ଫୁଲବାଣୀ : କରୋନାକୁ ଡରିବାନି। ଧୈର୍ଯ୍ୟର ସହ ମୁକାବିଲା କରିବା। ଏହା ହେଲେ ଯାଇ ଏହି ମହାମାରୀ ବିପକ୍ଷରେ ବିଜୟୀ ହେବା। ଏକଥା କହିଛନ୍ତି କରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବା କନ୍ଧମାଳର ୮୧ ବର୍ଷୀୟ ବୃଦ୍ଧ ଗୋପୀନାଥ ଡାକୁଆ। ଗତକାଲି ସେ କରୋନାକୁ ମାତ ଦେଇ କୋଭିଡ୍‌ ହସପିଟାଲରୁ ଘରକୁ ଫେରିଛନ୍ତି। ରାଇକିଆ ବ୍ଲକ ଅନ୍ତର୍ଗତ ତଳ ଇନ୍ଦ୍ରଗଡର ବୟୋବୃଦ୍ଧ ଗୋପୀନାଥ ଗତ ଜୁନ୍‌ ୨୮ ତାରିଖରେ ଅସୁସ୍ଥତା ଅନୁଭବ କରି ଚିକିତ୍ସା ପାଇଁ ରାଇକିଆ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। କରୋନା ଲକ୍ଷଣ ଥିବାରୁ ତାଙ୍କୁ ରାଇକିଆସ୍ଥିତ କୋଭିଡ୍‌ କେୟାର କେନ୍ଦ୍ରରେ ରଖାଯାଇ ସ୍ୱାବ୍‌ ପରୀକ୍ଷା ପାଇଁ ପଠାଯାଇଥିଲା। ଜୁଲାଇ ୪ ରେ ତାଙ୍କର ରିପୋର୍ଟ ପଜିଟିଭ୍‌ ଆସିବା ପରେ ଫୁଲବାଣୀରେ କିମସ୍ ପ୍ରସ୍ତୁ୍ତ କୋଭିଡ୍‌ ହସପିଟାଲକୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା କରାଯିବା ପରେ ପୁଣି ଥରେ ତାଙ୍କର ସ୍ୱାବ୍‌ ପରୀକ୍ଷା ପାଇଁ ପଠା ଯାଇଥିଲା। ୪ ଦିନ ତଳେ ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ରିପୋର୍ଟ ନେଗେଟିଭ ଆସିବା ପରେ ଆଜି ତାଙ୍କୁ ହସପିଟାଲରୁ ଛାଡ କରାଯାଇଛି। ୮୧ ବର୍ଷ ବୟସରେ ମଧ୍ୟ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବାରୁ ହସପିଟାଲର ଡାକ୍ତର, ନର୍ସମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ବିଦାୟ ଜଣାଇଥିଲେ। ବୃଦ୍ଧଜଣକ ଡାକ୍ତରଖାନାର ଡାକ୍ତର, ନର୍ସ, କର୍ମଚାରୀ ଏବଂ ଜିଲା ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି। କରୋନା ଭଳି ମହାମାରୀ ରୋଗରୁ ସୁସ୍ଥ ହୋଇ ନୂଆ ଜୀବନ ପାଇଛନ୍ତି ବୋଲି ସେ କହିଛନ୍ତି।


ଗତକାଲି କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅନ୍ୟ ୪ ଜଣ ସଂକ୍ରମିତ ମଧ୍ୟ ସୁସ୍ଥହୋଇ ଘରକୁ ଫେରିଛନ୍ତି। ସେମାନଙ୍କ ମଧ୍ୟରେ ୩ ଜଣ ଯବାନ ଅଛନ୍ତି। ସେମାନଙ୍କୁ ମଧ୍ୟ ହ୍‌ସିପଟାଲ ପକ୍ଷରୁ ପୁଷ୍ପଗୁଚ୍ଛ ଦେଇ ବିଦାୟ ଦିଆଯାଇଥିଲା। ସମସ୍ତଙ୍କୁ ଜିଲା ସ୍ୱାସ୍ଥ୍ୟ ବିଭାଗର କୋଭିଡ୍‌ ଆମ୍ବୁଲାନ୍ସରେ ସେମାନଙ୍କ ଘରେ ପହଞ୍ଚା ଯାଇଥିଲା। କରୋନା ଭୂତାଣୁକୁ ବେଖାତିର କରନ୍ତୁ ନାହିଁ। ସାମାନ୍ୟ ଭୁଲ ଯୋଗୁ ଭୁତାଣୁ ସଂକ୍ରମଣର ଭୟ ରହିଛି। ଆମେ ଆଦୌ ଡରିବାନି, ପରିସ୍ଥିତି ସହ ମୁକାବିଲା କଲେ ନିଶ୍ଚିତ ଭାବେ କରୋନାଠାରୁ ବିଜୟୀ ହେବା। ଏଥିପାଇଁ ଦରକାର ଧୈର୍ଯ୍ୟ ଓ ସାହସ ବୋଲି କହିଛନ୍ତି ଗତ ୧୫ ଦିନ ଧରି କରୋନା ସହ ଲଢି ଶେଷରେ ବିଜୟ ହୋଇଥିବା ୮୧ ବର୍ଷୀୟ ଗୋପୀନାଥ । ଫୁଲବାଣୀ କିମସ ଦ୍ୱାରା ପରିଚାଳିତ କୋଭିଡ଼୍‌ ମେଡ଼ିକାଲ୍‌ରେ ଚିକିତ୍ସା ସେବାରେ ସେ ବେଶ ବେଶ ଖୁସି ବ୍ୟକ୍ତ କରିଛନ୍ତି। କୋଭିଡ଼୍‌ ମେଡ଼ିକାଲ୍‌ରେ ଉତ୍ତମ ଖାଦ୍ୟ ଓ ଉଚିତ ସେବାକୁ ସେ କେବେ ବି ଭୁଲିପାରିବେ ନାହିଁ । ଏଥିପାଇଁ ସେ କୋଭିଡ଼୍‌ ମେଡ଼ିକାଲ୍‌ର ସମସ୍ତ କର୍ମଚାରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ସାଧୁବାଦ ଜଣାଇଛନ୍ତି। ରାଜ୍ୟ ସରକାର କରୋନା ସଂକ୍ରମିତଙ୍କ ପାଇଁ ଯେଉଁ ମାଗଣା ଚିକିତ୍ସା ବ୍ୟବସ୍ଥା କରିଛନ୍ତି ତାହା ସ୍ୱାଗତଯୋଗ୍ୟ ବୋଲି ମଧ୍ୟ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଜଣେ ୮୧ ବର୍ଷର ବରିଷ୍ଠ ବ୍ୟକ୍ତି କରୋନାରୁ ମୁକ୍ତି ପାଇ ଅନ୍ୟ ପାଇଁ ପ୍ରେରଣା ଓ ଆଶାର ଆଲୋକ ପାଲଟିଛନ୍ତି।

Comments are closed.