ବୋମା ବିସ୍ଫୋରଣରେ ଶିଶୁ ଗୁରୁତର

ଫୁଲନଖରା : ସିଏମସି ୫୬ ନମ୍ବର ୱାର୍ଡ଼ ଅନ୍ତର୍ଗତ ଉତ୍ତମାପୁର ସାମଲସାହିରେ ଏକ ଦେଶୀ ବୋମା ବିସ୍ଫୋରଣ ଯୋଗୁଁ ୭ବର୍ଷ ବୟସର ଜଣେ ଶିଶୁ ଗୁରୁତର ହୋଇ ଏବେ ଚିକିତ୍ସିତ ହେଉଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଜଣକୁ ଗିରଫ କରିଛି। ଅନ୍ୟପକ୍ଷରେ ଏହି ଅପ୍ରତ୍ୟାଶିତ ବୋମା ବିସ୍ଫୋରଣକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

ଘଟଣାରୁ ପ୍ରକାଶ ଯେ, ସଦର ଥାନା ଅନ୍ତର୍ଗତ ଉତ୍ତମାପୁର ସାମଲସାହିସ୍ଥିତ ବିଦେଶୀ ସାମଲ (୪୨)ଙ୍କ ଘରେ ପଡ଼ୋଶୀ ଦୁଃଖିଶ୍ୟାମ ସାମଲଙ୍କ ଝିଅ ସମ୍ପୂର୍ଣ୍ଣା ସାମଲ ଓରଫ ରାନୀ (୭ବର୍ଷ) ରବିବାର ପୂର୍ବାହ୍ନ ୧୧ଟା ସମୟରେ ଖେଳୁଥିଲା। ଏହି ସମୟରେ ହଠାତ ଘର ମଧ୍ୟରେ ପ୍ରଚଣ୍ଡ ଶବ୍ଦରେ ଏକ ବିସ୍ଫୋରଣ ହୋଇଥିଲା। ଏହାଯୋଗୁଁ ରାନୀ ଗୁରୁତର ଆହତ ହୋଇଥିଲାବେଳେ ଦୁଇ ବଖରା ଆଜବେଷ୍ଟସ ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିଲା। ଖବର ପାଇ ଏସିପି ସତ୍ୟରଞ୍ଜନ ମଲିକ, ଆଇଆଇସି ସୁଧାଂଶୁଭୂଷଣ ଜେନା ଓ ଅନ୍ୟ ପୁଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବିଦେଶୀ ସାମଲକୁ ଗିରଫ କରିବା ସହିତ ରାନୀକୁ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନା ପଠାଇଥିଲେ। ବିଦେଶୀ ନିଜ ଘରେ ଲୁଚାଇ ରଖିଥିବା ଏକ ବୋମା ଫୁଟିଯିବାରୁ ଏହି ଅଭାବନୀୟ ଘଟଣା ହେଲାବୋଲି ଜଣାପଡ଼ିଛି। ତେବେ ସେ ଏହି ବୋମା କାହିଁକି ରଖିଥିଲା ସେ ନେଇ ଖୋଳତାଡ଼ ହେଉଥିଲାବେଳେ ବିଦେଶୀ ସାମଲ ସହିତ ଗ୍ରାମବାସୀଙ୍କ ଭଲ ସମ୍ପର୍କ ନଥିବା ବିଷୟ ପୁଲିସ ଜାଣିବାକୁ ପାଇଛି। ଉକ୍ତ ଘଟଣାକୁ ନେଇ ଉତ୍ତମାପୁର ତୋଟାସାହି ଓ ସାମଲସାହିରେ ଉତ୍ତେଜନା ପ୍ରକାଶ ପାଇଛି।

Comments are closed.