ଭୋଟ ପରିଚୟ ପତ୍ରରେ କୁକୁର ଫଟୋ : ନିର୍ବାଚନ ଆୟୋଗର ସାଙ୍ଘାତିକ ତ୍ରୁଟି

ନୂଆଦିଲ୍ଲୀ : ଭୋଟ ପରିଚୟ ପତ୍ରରେ ତ୍ରୁଟି ଥିବା ନେଇ ଆପଣ ଅନେକ ଖବର ଶୁଣିଥିବେ ନିଶ୍ଚୟ। କିନ୍ତୁ ପଶ୍ଚିମବଙ୍ଗରେ ଜଣେ ବ୍ୟକ୍ତିଙ୍କ ଭୋଟ ପରିଚୟ ପତ୍ରରେ ଏଭଳି ତ୍ରୁଟି ପରିଲିକ୍ଷିତ ହୋଇଛି, ଯାହା ନ ଦେଖିଲେ ବିଶ୍ବାସ କରିପାରିବେ ନାହିଁ।

ପଶ୍ଚିମବଙ୍ଗ ମୁର୍ସିଦାବାଦର ରାମନଗର ଗାଁର ବାସିନ୍ଦା ସୁନୀଲ କର୍ମକାର ନାମକ ଜଣେ ବ୍ୟକ୍ତି ନିଜ ଭୋଟ ପରିଚୟ ପତ୍ର ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। କାରଣ ସେଥିରେ ତାଙ୍କର ନିଜ ଫଟୋ ପରିବର୍ତ୍ତେ ଥିଲା ଏକ କୁକୁରର ଫଟୋ। ଏନେଇ ସୁନୀଲ ନିର୍ବାଚନ ଆୟୋଗ (ଇସି) ବିରୋଧରେ ମାନହାନି ମୋକଦ୍ଦମା କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି।

ସୁନୀଲ କହିଛନ୍ତି ଯେ, ମୋ ଭୋଟ ପରିଚୟ ପତ୍ରରେ କିଛି ତ୍ରୁଟି ଥିଲା। ​​ତେଣୁ ଏହାକୁ ସଂଶୋଧନ କରିବାକୁ ମୁଁ ଆବେଦନ କରିଥିଲି। କିନ୍ତୁ ସଂଶୋଧିତ କାର୍ଡ ପହଞ୍ଚିବା ପରେ ତାଙ୍କ ସୂଚନା ଠିକ୍ ହୋଇ ଯାଇଥିଲା ସତ, କିନ୍ତୁ ତାଙ୍କ ସ୍ଥାନରେ କୁକୁରର ଫଟୋ ଥିଲା। ସର୍ବସାଧାରଣରେ ତାଙ୍କୁ ଅପଦସ୍ତ କରିବା ପାଇଁ ଉଦ୍ଦେଶ୍ୟମୂଳକ ଭାବେ ଏପରି କରାଯାଇଛି ବୋଲି ସୁନୀଲ ଅଭିଯୋଗ କରିଛନ୍ତି। ସେ ନିର୍ବାଚନ ଆୟୋଗକୁ କୋର୍ଟକୁ ନେବେ ବୋଲି କହିଛନ୍ତି।

ଏନେଇ ଜଣେ ସରକାରୀ ଅଧିକାରୀ ସୂଚନା ଦେଇ କହିଛନ୍ତି, ଏହି ତ୍ରୁଟି ନେଇ ଆମେ ଅବଗତ ଥିଲୁ। କିନ୍ତୁ ଏହା କିପରି ସଂଶୋଧନ କରାଯାଇ ନାହିଁ ତାହା ଆମକୁ ଜଣାନାହିଁ।

Comments are closed.