ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ରଥଯାତ୍ରା ଉପଲକ୍ଷେ ରାଜ୍ୟସ୍ତରୀୟ ଫଟୋଚିତ୍ର ପ୍ରଦର୍ଶନୀ

ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ପୁରୀଠାରେ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଏକ ରାଜ୍ୟସ୍ତରୀୟ ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜିତ ହୋଇଛି। ଆଜି ସନ୍ଧ୍ୟାରେ ସ୍ଥାନୀୟ ଭୋଳାନାଥ ବିଦ୍ୟାପୀଠଠାରେ ପଲ୍ଲୀଶ୍ରୀ ମେଳା ପରିସରରେ ଆୟୋଜିତ ଏହି ପ୍ରଦର୍ଶନୀକୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତ ଉଦ୍‌ଘାଟନ କରିଛନ୍ତି ।
ମନ୍ତ୍ରୀ ଶ୍ରୀ ଅମାତ ଫଟୋଚିତ୍ର ପ୍ରଦର୍ଶନୀ ବୁଲି ଦେଖିବା ପରେ ଜଗନ୍ନାଥ ସଂସ୍କୃତି ଏବଂ ରାଜ୍ୟର ବିକାଶଧାରାକୁ ସୁନ୍ଦର ଭାବେ ପ୍ରଦର୍ଶିତ କରାଯାଇଥିବାରୁ ଏହା ଦର୍ଶକମାନଙ୍କୁ ଅନେକ ତଥ୍ୟ ପ୍ରଦାନ କରିବ ବୋଲି ପ୍ରକାଶ କରିଥିଲେ । ଏହି ପ୍ରଦର୍ଶନୀ ଆଜିଠାରୁ ଆସନ୍ତା ଜୁଲାଇ ୯ ତାରିଖ (ବାହୁଡ଼ାଯାତ୍ରା) ପର୍ଯ୍ୟନ୍ତ ଜନସାଧାରଣଙ୍କ ନିମନ୍ତେ ଖୋଲାରହିବ । ଓର୍‌ମାସ୍‌ ପ୍ରଦର୍ଶନୀ ସହ ଆୟୋଜିତ ଏହି ପ୍ରଦର୍ଶନୀରେ ଉଭୟ ଫଟୋଚିତ୍ର ସହିତ ରାଜ୍ୟର ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ବିକାଶର ଚିତ୍ର ଭିଡ଼ିଓ ମାଧ୍ୟମରେ ବଡ଼ ପରଦାରେ ପ୍ରଦର୍ଶନ କରାଯିବାର ବ୍ୟବସ୍ଥା କରାଯାଇଛି। ଏହି ଫଟୋଚିତ୍ର ପ୍ରଦର୍ଶନୀ ଶ୍ରୀଜଗନ୍ନାଥ ମନ୍ଦିରର ପ୍ରାଚୀନ ଚିତ୍ର ଛବି, ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ପର୍ବପର୍ବାଣି, ଶ୍ରୀଜଗନ୍ନାଥଙ୍କ ବେଶବୈଶିଷ୍ଟ୍ୟ ସହ ବିଭିନ୍ନ ସମୟରେ ହୋଇଥିବା ନବକଳେବରର ବିରଳ ଫଟୋଚିତ୍ର ଏବଂ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପରିବର୍ତ୍ତିତ ଚିତ୍ର ସ୍ଥାନୀୟ ହୋଇଛି।

ଏହି ଫଟୋଚିତ୍ର ଉଦ୍‌ଘାଟନ ସମୟରେ ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ୱପ୍ନାରାଣୀ ସ୍ୱାଇଁ, ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ଉପନିର୍ଦ୍ଦେଶକ (ପ୍ରଦର୍ଶନୀ) ସୂର୍ଯ୍ୟରଞ୍ଜନ ମହାନ୍ତି, ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର) ସୁଚେତା ପ୍ରିୟଦର୍ଶନୀ, ପୁରୀ ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Comments are closed.