ଏପ୍ରିଲରେ ଲୋକସଭା ଓ ୭ ରାଜ୍ୟରେ ବିଧାନସଭା ନିର୍ବାଚନ!

0

ନୂଆଦିଲ୍ଲୀ : ଚଳିତବର୍ଷ ଲୋକସଭା ନିର୍ବାଚନ ସମେତ ୭ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ‘ଗୋଟିଏ ଦେଶ, ଏକ ନିର୍ବାଚନ’ ନେଇ ଉଠିଥିବା ଦାବି ଉପରେ ଏଯାବତ୍‌ ସହମତି ଭିତ୍ତିରେ ଚୂଡାନ୍ତ ନିଷ୍ପତ୍ତି ହୋଇପାରି ନାହିଁ; କିନ୍ତୁ ଖର୍ଚ୍ଚ କାଟ ଉପରେ ଗୁରୁତ୍ବାରୋପ ପୂର୍ବକ ନିର୍ବାଚନ କମିଶନ (ଇସି) ୨୦୧୯ ପାଇଁ ୨୦୧୪ ନିର୍ବାଚନର କାର୍ଯ୍ୟସୂଚୀ ଅନୁକରଣ କରିବାକୁ ଯୋଜନା କରିଛନ୍ତି। ଏଥିକ୍ରମେ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ସିକ୍କିମ ଓ ଅରୁଣାଚଳ ପ୍ରଦେଶ ସମେତ ମହାରାଷ୍ଟ୍ର, ହରିୟାଣା ଏବଂ ଜାମ୍ମୁ-କାଶ୍ମୀରରେ ମଧ୍ୟ ଏକକାଳୀନ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ୭ ରାଜ୍ୟରେ ସମକାଳୀନ ବିଧାନସଭା ନିର୍ବାଚନ କାରଣରୁ ଲୋକସଭା ପାଇଁ ୯ରୁ ୧୦ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବାର ସମ୍ଭାବନା ଥିବା ବିଶେଷ ସୂତ୍ରରୁ ଜଣାପଡିଛି।
ଉଲ୍ଲେଖ ଯେ, ୨୦୧୯ ମେ’ ୨୭ରେ ସିକ୍କିମ ଏବଂ ଜୁନ ୧ରେ ଅରୁଣାଚଳ ପ୍ରଦେଶ, ଜୁନ ୧୧ରେ ଓଡ଼ିଶା ଏବଂ ଜୁନ ୧୮ରେ ଆନ୍ଧ୍ରପ୍ରଦେଶ ବିଧାନସଭାର କାର୍ଯ୍ୟକାଳ ପୂରଣ ହେବ। ଏଣୁ ଏହି ରାଜ୍ୟଗୁଡିକରେ ବିଧାନସଭା ନିର୍ବାଚନ କରାଇବାର ଆବଶ୍ୟକତା ରହିଛି। ଅନ୍ୟପଟେ ଜାମ୍ମୁ-କାଶ୍ମୀରରେ ରାଜନୈତିକ ଅସ୍ଥିରାବସ୍ଥା ଲାଗି ରହିଥିବା ବେଳେ ରାଜ୍ୟ ଦୀର୍ଘଦିନରୁ ରାଜ୍ୟପାଳ ଶାସନାଧୀନ ରହିଛି। ଏଣୁ ଏଠାରେ ବିଧାନସଭା ନିର୍ବାଚନ କରାଇବା ନେଇ କେନ୍ଦ୍ର ସରକାର ପ୍ରସ୍ତୁତି ଚଳାଇଛନ୍ତି। ଏତଦ୍‌ଭିନ୍ନ ନଭେମ୍ବର୨ରେ ହରିୟାଣା ଏବଂ ନଭେମ୍ବର ୯ରେ ମହାରାଷ୍ଟ୍ର ବିଧାନସଭା କାର୍ଯ୍ୟକାଳ ପୂରିବ। ଏହି ୭ ରାଜ୍ୟକୁ ଛାଡିଦେଲେ ଅନ୍ୟ କୌଣସି ରାଜ୍ୟରେ ଚଳିତବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ନାହିଁ। ଏହି ରାଜ୍ୟଗୁଡିକରେ ସମକାଳୀନ ଲୋକସଭା ସହିତ ବିଧାନସଭା ନିର୍ବାଚନ କରାଇବା ଦ୍ବାରା ଖର୍ଚ୍ଚ କମ ହେବ ବୋଲି ଇସିର ଜଣେ ଅଧିକାରୀ ପ୍ରକାଶ କରିଛନ୍ତି।
ଅଧିକାରୀଙ୍କ ସୂଚନାନୁସାରେ ଫେବୃଆରୀ ଶେଷ ସପ୍ତାହ ବେଳକୁ ନିର୍ବାଚନୀ ବିଗୁଲ ବାଜିବ। ଇସି ନିର୍ବାଚନୀ କାର୍ଯ୍ୟସୂଚୀ ଘୋଷଣା କରିବେ। ଚଳିତଥର ସମ୍ପୂର୍ଣ୍ଣ ନିର୍ବାଚନୀ କାର୍ଯ୍ୟସୂଚୀ ୨୦୧୪ ଅନୁସାରେ ପ୍ରସ୍ତୁତ ହେବ। ଉକ୍ତ ବର୍ଷ ଏପ୍ରିଲ ୭ରୁ ମେ’ ୧୨ ମଧ୍ୟରେ ୯ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ଭୋଟଗ୍ରହଣ କରାଯାଇଥିଲା। ଏଣୁ ଚଳିତବର୍ଷ ଏପ୍ରିଲ ୮ କିମ୍ବା ପରବର୍ତ୍ତି ଉଚିତ ତାରିଖରୁ ଭୋଟ ଗ୍ରହଣ ଆରମ୍ଭ ହୋଇପାରେ। ହରିୟାଣା ଓ ମହାରାଷ୍ଟ୍ରରେ ଆଗୁଆ ବିଧାନସଭା ନିର୍ବାଚନ କରାଇବା ସେଠାକାର ରାଜନୈତିକ ସ୍ଥିତି ଉପରେ ନିର୍ଭର କରେ। କାରଣ ୨ ରାଜ୍ୟରେ କ୍ଷମତାସୀନ ବିଜେପି ତଥା ସେଠାକାର ରାଜ୍ୟବାସୀ ଏହି ନିଷ୍ପତ୍ତିକୁ କିଭଳି ଗ୍ରହଣ କରିବେ ତାହା ମୁଖ୍ୟ ପ୍ରସଙ୍ଗ। ଆଗୁଆ ନିର୍ବାଚନ ଦଳ ପାଇଁ ଲାଭଦାୟକ ବୋଲି ଯଦି ବିଜେପି ବିଚାର କରେ ତା’ହେଲେ ଏହି ରାଜ୍ୟଦ୍ବୟରେ ୬ମାସ ପୂର୍ବରୁ ବିଧାନସଭା ଭଙ୍ଗ ହେବ ବୋଲି ସମ୍ପଅକ୍ତ ଅଧିକାରୀ ମତ ଦେଇଛନ୍ତି। ଅନ୍ୟପଟେ ଲୋକସଭା ଓ ୭ ରାଜ୍ୟରେ ବିଧାନସଭା ପାଇଁ ସମକାଳୀନ ନିର୍ବାଚନ ନିମନ୍ତେ ପର୍ଯ୍ୟାପ୍ତ ସମ୍ବଳ ଓ ଉପକରଣ ରହିଛି ବୋଲି ଇସିର ଜଣେ ଅଧିକାରୀ କହିଛନ୍ତି। ଏଥନିମନ୍ତେ ସମ୍ପୂର୍ଣ୍ଣ ସୁରକ୍ଷାବ୍ୟବସ୍ଥା ଯୋଗାଇ ଦେବାରେ ମଧ୍ୟ କୌଣସି ସମସ୍ୟା ନ ଥିବା ସରକାରୀ ସୂତ୍ରରୁ ପ୍ରକାଶ। ଇସିଙ୍କ ସୂଚନାନୁସାରେ ୨୦୧୯ ଲୋକସଭା ନିର୍ବାଚନ ନିମନ୍ତେ ୨୨.୩ ଲକ୍ଷ ବାଲଟ ୟୁନିଟ, ୧୬.୩ ଲକ୍ଷ କ​‌େ​‌ଣ୍ଟ୍ରାଲ ୟୁନିଟ ଏବଂ ପାଖାପାଖି ୧୭.୩ ଲକ୍ଷ ଭିଭିପ୍ୟାଟ ବ୍ୟବହାର କରାଯିବ। ଏଗୁଡିକୁ ୧୦.୬ଲକ୍ଷ ଭୋଟଗ୍ରହଣ କେନ୍ଦ୍ରରେ ବ୍ୟବହାର କରାଯିବ।

Leave A Reply