ରୋଗୀ ଚିକିତ୍ସା କରିବେ ଫାର୍ମାସିଷ୍ଟ

ଭୁବନେଶ୍ବର : ଫାର୍ମାସିଷ୍ଟ ପରିଚାଳନା କରିବେ ଡାକ୍ତରଖାନା। କେବଳ ଡାକ୍ତରଖାନା ଚଳାଇବେ ନୁହେଁ‌; ଡାକ୍ତରଙ୍କ ଅନୁପସ୍ଥିତିରେ ରୋଗୀ ଚିକିତ୍ସା ମଧ୍ୟ କରିପାରିବେ। ଏ ସଂକ୍ରାନ୍ତରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ଗ୍ରାମାଞ୍ଚଳରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (ସିଏଚସି) ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ସହରାଞ୍ଚଳରେ ଥିବା ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (ୟୁସିଏଚସି) ଏବଂ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର (ୟୁପିଏଚସି) ଗୁଡିକ ମଧ୍ୟରୁ ଅନେକ ଡାକ୍ତରଖାନାରେ କେବଳ ଜଣେ ଲେଖାଏଁ ଡାକ୍ତର ନିୟୋଜିତ ରହିଛନ୍ତି। ଡାକ୍ତର ଛୁଟିରେ ରହିଲେ ରୋଗୀ ଚିକିତ୍ସା ବାଧାପ୍ରାପ୍ତ ହେଉଛି। ଏଣିକି ଡାକ୍ତର ଯେଉଁଦିନ ଛୁଟିରେ ରହିବେ ସେହିଦିନ ଗୁଡିକ ଡାକ୍ତରଖାନାକୁ ଫାର୍ମାସିଷ୍ଟ ପରିଚାଳନା କରିବା ସହ ରୋଗୀ ଚିକିତ୍ସା କରିବେ ବୋଲି ବିଭାଗ ପକ୍ଷରୁ ଏକ ନିର୍ଦେଶନାମା ପ୍ରକାଶ ପାଇଛି।
ଫାର୍ମାସିଷ୍ଟ କେଉଁ ରୋଗ ପାଇଁ କେଉଁ ଔଷଧ ଲେଖିବେ ସେ ସମ୍ବନ୍ଧରେ ବିଭାଗ ପକ୍ଷରୁ ଏକ ଔଷଧ ତାଲିକା ପ୍ରସ୍ତୁତ କରାଯାଇଛି। ମାଲେରିଆ, ସାଧାରଣ ଜ୍ବର, ଚର୍ମରୋଗ, ଝାଡାବାନ୍ତି, ସାଧାରଣ ଖଣ୍ଡିଆ, ଯକ୍ଷ୍ମା, ବାତଜ୍ବର, ସାମାନ୍ୟ ପୋଡାଜଳା ରୋଗୀ, ଥଣ୍ଡା ଓ କାଶ ଆଦି ରୋଗ ପାଇଁ ଫାର୍ମାସିଷ୍ଟ କେଉଁ ଔଷଧ ଲେଖିବେ ଫାର୍ମାସିଷ୍ଟଙ୍କ ପାଇଁ ତାଲିକା ପ୍ରସ୍ତୁତ କରି ଦିଆଯାଇଛି।

Comments are closed.