ପଛରେ ନାହାନ୍ତି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ, ମାଟ୍ରିକ ପାସ୍‍ କରିଛନ୍ତି ଅନିମା ଭଳି ଅନେକ

ବଲାଙ୍ଗିର: ପୁଇଁନ୍ତଲା ବ୍ଲକ ବୁବେଲ ଗାଁ। ଏହି ଗାଁର ଚାଷୀ ଚମ୍ପେଶ୍ୱର ନାଏକ ଓ ଚନ୍ଦ୍ରକାନ୍ତି ନାଏକଙ୍କ ତିନି ଝିଅ। ସବା ସାନ ଝିଅ ଅନିମା। ଡାହାଣ ହାତ ଆଙ୍ଗୁଳି ବଢୁଥିବାରୁ ୧୧ ବର୍ଷ ବୟସରେ ଅସ୍ତ୍ରୋପଚାର ଆଙ୍ଗୁଠିକୁ କାଟି ଦିଆଗଲା। ବାମ ହାତରେ ଲେଖନ୍ତି ଓ କାମ କରନ୍ତି। ବୁବେଲ ନିଧିସାଗର ବିଦ୍ୟାପୀଠ ପକ୍ଷରୁ ସେ ମାଟ୍ରିକ ପରୀକ୍ଷା ଦେଇଥିଲେ। ଫଳ ପ୍ରକାଶ ପାଇବା ପରେ ଅନିମା ଇ ଗ୍ରେଡ୍‍ରେ ପାସ୍‍ କରିଥିବା ଜଣାପଡ଼ିଛି।

ବଲାଙ୍ଗିର ଜିଲାରେ ମାଟ୍ରିକ ପରୀକ୍ଷା ପାଇଁ ୨୩ହଜାର ୩୧୦ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ୨୨ହଜାର ୨୫୫ ପିଲା ପରୀକ୍ଷା ଦେଇଥିବା ବେଳେ ଗତ ୩୧ ତାରିଖରେ ପ୍ରକାଶିତ ମାଟ୍ରିକ ପରୀକ୍ଷା ଫଳରେ ଜିଲାର ୧୬ହଜାର ୩୬୭ ଛାତ୍ରଛାତ୍ରୀ ବିଭିନ୍ନ ଗ୍ରେଡ୍‍ ରଖି ପାସ୍‍ କରିଥିଲେ। ସେମାନଙ୍କ ମଧ୍ୟରେ ଶାରିରୀକ ଭିନ୍ନକ୍ଷମ ଛାତ୍ରୀ ଅନିମା ଅନ୍ୟତମ। କେବଳ ଅନିମା ନୁହନ୍ତି, ତାଙ୍କ ଭଳି ଆଉଜଣେ ଛାତ୍ରୀ ହେଲେ ଚେରେଙ୍ଗାବାହାଲି ଗାଁ ତଥା ସୁରଜମଲ ହାଇସ୍କୁଲ ସାଉନ୍ତପୁରର ଛାତ୍ରୀ ଜୟନ୍ତୀ କୁଅଁର, ସାଉନ୍ତପୁର ଗାଁର ଦୀପେଶ ଭୋଇ, ପଡ଼ିଆବାହାଲ ଗାଁ ତଥା ଛତାମଖନା ବିନୋବା ହାଇସ୍କୁଲର ଛାତ୍ରୀ ଲିଲି ପଧାନ। ଭିନ୍ନକ୍ଷମ ହୋଇଥିଲେ ବି ଭଲ ମାର୍କ ରଖି ମାଟ୍ରିକ ପରୀକ୍ଷାରେ ପାସ୍‍ କରିଛନ୍ତି।

ଶାରିରୀକ ଭାବେ ସେମାନେ ଅକ୍ଷମ। କିଏ ଶ୍ରବଣ ବାଧିତ ତ ପୁଣି କିଏ ଦୃଷ୍ଟି ବାଧିତ ଓ ଶାରିରୀକ ଭିନ୍ନକ୍ଷମ। ହଜାର ହଜାର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭିନ୍ନକ୍ଷମ ଛାତ୍ରଛାତ୍ରୀ ବି ମାଟ୍ରିକ ପରୀକ୍ଷା ଦେଇଥିଲେ ଜିଲାରୁ। ଅନିମାଙ୍କ ଭଳି ଅନେକ ଛାତ୍ରଛାତ୍ରୀ ପରିଶ୍ରମ କରି ନିଜର ଦକ୍ଷତା ଦେଖାଇଛନ୍ତି। ମାଟ୍ରିକରେ ପାସ୍‍ କରିଛନ୍ତି। ଏହା ଅଧାରୁ ପାଠ ଛାଡୁଥିବା ଓ ସ୍କୁଲ ବାରଣ୍ଡା ମାଡି ପାରୁ ନଥିବା ଭିନ୍ନକ୍ଷମଙ୍କ ପାଇଁ ଏକ ଉଦାହରଣ ନିଶ୍ଚିତ। ମିଳିଥିବା ତଥ୍ୟ ଅନୁସାରେ, ବଲାଙ୍ଗିର ଜିଲାର ଟିଟିଲାଗଡରୁ ୭ଜଣ, ଲୋଇସିଂହା ବ୍ଲକରୁ ଜଣେ, ବଙ୍ଗୋମୁଣ୍ଡା ବ୍ଲକରୁ ୬ଜଣ, ଗୁଡଭେଲା ବ୍ଳକରୁ ୧୦ଜଣ, ପାଟଣାଗଡ ବ୍ଲକରୁ ୪ଜଣ, ବେଲପଡ଼ା ବ୍ଲକରୁ ୬ଜଣ, ପୁଇଁନ୍ତଲା ବ୍ଲକରୁ ୪ଜଣ ଏଭଳି ପ୍ରାୟ ୫୦ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଯେଉଁମାନେ ଆଶାଠାରୁ ଭଲ ପରୀକ୍ଷା ଫଳ କରିଛନ୍ତି। ଯାହା ସେମାନଙ୍କ ଅଭିଭାବକ ଓ ସ୍କୁଲ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଭିନ୍ନ ଆଶା ସଞ୍ଚାର କରିଛି। ସେହିପରି ପାଠ ପଢାରୁ ଦୂରେଇ ରହିଥିବା ଅନେକ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ଏହା ପ୍ରେରଣାର ଉତ୍ସ।

Comments are closed.