ସୁପ୍ରିମକୋର୍ଟରେ ଓଡ଼ିଶା ସରକାରଙ୍କ ସତ୍ୟପାଠ : ପିଜି ଓ ୟୁଜି ପରୀକ୍ଷା ଫଳ ପ୍ରକାଶନ ପାଇଁ ୟୁଜିସି ଗାଇଡଲାଇନକୁ ଉଚ୍ଚଶିକ୍ଷା ବିଭାଗର ବିରୋଧ

ନୂଆଦିଲ୍ଲୀ : ଆସନ୍ତା ୩୦ ସେପ୍ଟେମ୍ବର ସୁଦ୍ଧା ପୋଷ୍ଟ ଗ୍ରାଜୁଏଟ (ପିଜି) ଓ ଅଣ୍ଡରଗ୍ରାଜୁଏଟ (ୟୁଜି) ଶ୍ରେଣୀରେ ଫାଇନାଲ ପରୀକ୍ଷା ଶେଷ କରି ଫଳ ପ୍ରକାଶନ କରିବାକୁ ୟୁଜିସିର ୬ ଜୁଲାଇ ଗାଇଡ଼ଲାଇନକୁ ସର୍ବୋଚ୍ଚ ନ୍ୟାୟାଳୟରେ ବିରୋଧ କରିଛନ୍ତି ଓଡ଼ିଶା ସରକାର। ଯୁବ ସେନା ବନାମ ୟୁଜିସି ମାମଲାରେ ସୁପ୍ରିମକୋର୍ଟରେ ସତ୍ୟପାଠ ଜରିଆରେ କୋଭିଡ଼ ପରିସ୍ଥିତିକୁ ଦୃଷ୍ଟିରେ ରଖି ବିକଳ୍ପ ବ୍ୟବସ୍ଥା ସପକ୍ଷରେ ମତ ରଖିଛି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ।
ଏବିଷୟରେ ଗତ ୧୮ ଜୁଲାଇରେ ରାଜ୍ୟ ସରକାରଙ୍କ ତରଫରୁ ଜାରି ଗାଇଡ଼ଲାଇନ ବିଷୟରେ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି। ଗାଇଡ଼ଲାଇନରେ ଉଲ୍ଲେଖ ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥା ଅନୁଯାୟୀ ବିଗତ ବର୍ଷ ଗୁଡ଼ିକରେ ପରୀକ୍ଷାରେ ରଖିଥିବା ନମ୍ବର ଆଧାରରେ ଛାତ୍ରଛାତ୍ରୀଙ୍କୁ ମାର୍କ ମିଳିବ। ଯଦି କୌଣସି ଛାତ୍ରଛାତ୍ରୀ ବିକଳ୍ପ ବ୍ୟବସ୍ଥା ମାର୍କରେ ସନ୍ତୁଷ୍ଟ ନହୁଅନ୍ତି ସେଭଳି ସ୍ଥିତିରେ କୋଭିଡ଼-୧୯ ପରିସ୍ଥିତି ସାମାନ୍ୟ ହେବା ପରେ ଚାହିଁଲେ ପରୀକ୍ଷା ଦେଇପାରିବେ ଏବଂ ସଂଶୋଧିତ ମାର୍କ ପାଇପାରିବେ। ଏଥିପାଇଁ ସଂପୃକ୍ତ ଛାତ୍ରଛାତ୍ରୀଙ୍କୁ ଲିଖିତ ଭାବେ ଅଣ୍ଡରଟେକିଂ ଦେବାକୁ ପଡ଼ିବ। ଯଦି ପରୀକ୍ଷା ଦେବା ପରେ ଛାତ୍ରଛାତ୍ରୀ ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥାରେ ମିଳିଥିବା ନମ୍ବର ଠାରୁ କମ୍ ନମ୍ବର ପାଆନ୍ତି ସେଭଳି ସ୍ଥିତିରେ ପରୀକ୍ଷାରେ ପାଇଥିବା ମାର୍କକୁ ସଂପୃକ୍ତ ଛାତ୍ରଛାତ୍ରୀଙ୍କୁ ଗ୍ରହଣ କରିବାକୁ ପଡ଼ିବ।
ଓଡ଼ିଶା ସରକାରଙ୍କ ତରଫରୁ ସୁପ୍ରିମକୋର୍ଟରେ କୁହାଯାଇଛି ଯେ ରାଜ୍ୟରେ ପ୍ରାୟ ୨ ଲକ୍ଷ ଛାତ୍ରଛାତ୍ରୀ ପିଜି ଓ ୟୁଜି ଫାଇନାଲ ପରୀକ୍ଷା ଦେବାକୁ ଅପେକ୍ଷାରତ ଅଛନ୍ତି। ଗ୍ରାମାଞ୍ଚଳରେ ମୁଖ୍ୟତଃ ବସବାସ କରୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅଧିକାଂଶ ନିମ୍ନ ଆୟବର୍ଗ ଶ୍ରେଣୀର। ଏମାନଙ୍କ ପାଖରେ ଅନଲାଇନ ପରୀକ୍ଷା ଦେବାକୁ ଆବଶ୍ୟକ ଡେକ୍ସଟପ, ଲାପଟପ ଓ ସ୍ମାର୍ଟ ଫୋନ ଉପଲବ୍ଧ ନାହିଁ। ଗ୍ରାମାଞ୍ଚଳରେ ସ୍ପିଡ଼ ଇଣ୍ଟରନେଟ ସୁବିଧା ମଧ୍ୟ ଉପଲବ୍ଧ ନାହିଁ। କୋଭିଡ଼-୧୯ ପରିସ୍ଥିତି ଯୋଗୁଁ ସାଧାରଣ ପରିବହନ ବ୍ୟବସ୍ଥା ପ୍ରାୟତଃ ଅଚଳ ହୋଇପଡ଼ିଛି। ଫଳରେ ପରୀକ୍ଷା ଦେବା ପାଇଁ ମହାବିଦ୍ୟାଳୟକୁ ଆସିବା ଛାତ୍ରଛାତ୍ରୀଙ୍କ ପାଇଁ କଷ୍ଟକର ହୋଇପଡ଼ିବ। କୋଭିଡ଼-୧୯ ନିୟମାବଳୀକୁ ମାନି ବିଭିନ୍ନ ହଷ୍ଟେଲରେ ଛାତ୍ରଛାତ୍ରୀଙ୍କୁ ରଖିବା ମଧ୍ୟ ଅସମ୍ଭବ। ଗତ ୨୫ ମାର୍ଚ୍ଚରେ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ହୋଇପଡ଼ିବା ପରେ ଛାତ୍ରଛାତ୍ରୀ ନିଜ ଘରକୁ ଫେରିଯାଇଛନ୍ତି। ବନ୍ଦ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଜିଲା ପ୍ରଶାସନ ଦ୍ୱାରା କ୍ୱାରାଣ୍ଟାଇନ ସେଣ୍ଟର, କୋଭିଡ଼ କେଅ।।ର ସେଣ୍ଟର, କୋଭିଡ଼ କେଆର ହୋମ ଓ କୋଭିଡ଼ ହସ୍ପିଟାଲ ଭାବେ ବ୍ୟବହାର କରାଯାଉଛି। ଏସବୁ ଶିକ୍ଷାନୁଷ୍ଠାନକୁ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଆସିଲେ କରୋନା ସଂକ୍ରମଣର ଯଥେଷ୍ଟ ସମ୍ଭାବନା ରହିଛି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ସତ୍ୟପାଠରେ ଦର୍ଶାଇଛି।