କୋଭିଡ ମୁକାବିଲା କ୍ଷେତ୍ରରେ ଆଉ ଏକ ସଫଳତା; ପିଲାଙ୍କ ପାଇଁ ଫାଇଜର ଟିକାକୁ ମିଳିଲା ଚୂଡାନ୍ତ ଅନୁମୋଦନ

ୱାଶିଂଟନ: ଫାଇଜର ଦ୍ୱାରା ପ୍ରସ୍ତୁତ ପିଲାଙ୍କର କୋଭିଡ ଟିକାକୁ ଆମେରିକାର ଫୁଡ ଆଣ୍ଡ ଡ୍ରଗ ଆଡମିନିଷ୍ଟେସନ (ଏଫଡିଏ) ଚୂଡାନ୍ତ ଅନୁମୋଦନ ପ୍ରଦାନ କରିଛି । ୫ରୁ ୧୧ ବର୍ଷ ବୟସର ପିଲାଙ୍କୁ ଏହି ଟିକା ଦିଆଯିବ । ଏହାଦ୍ୱାରା ବିଶ୍ୱରେ କୋଭିଡ ମୁକାବିଲା ପଦକ୍ଷେପକୁ ଆଉ ଏକ ସଫଳତା ମିଳିପାରିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ଏଭଳି ପ୍ରୟାସକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶଂସା କରିବା ସହିତ କୋଭିଡ ମୁକାବିଲା କ୍ଷେତ୍ରରେ ଏହା ଏକ ନିର୍ଣ୍ଣାୟକ ଭୂମିକା ନେବ ବୋଲି କହିଛନ୍ତି । ସୂଚନାଯୋଗ୍ୟ ଯେ ଏଫଡିଏ ପକ୍ଷରୁ ପ୍ରାଥମିକ ସ୍ୱୀକୃତି ମିଳିବା ପରେ ସେଣ୍ଟର ଫର ଡିଜିଜ କଂଟ୍ରୋଲ ଆଣ୍ଡ ପ୍ରିଭେନସନ ଏହି ଟିକାକୁ ସବୁଜ ସଙ୍କେତ ଦେଇଥିଲା । ଏହାଦ୍ୱାରା ପିଲାମାନେ କୋଭିଡ ଟିକା ନେବା ପଥ ପରିଷ୍କାର ହୋଇଚି । ଆମେରିକା ପ୍ରଶାସନ ଇତିମଧ୍ୟରେ ପିଲାଙ୍କ ପାଇଁ ଟିକା ସଂଗ୍ରହ କରିବା ସହିତ ତାହାକୁ ଦେଶବ୍ୟାପୀ ବିଭିନ୍ନ ସ୍ଥାନକୁ ପଠାଉଛି ।

Comments are closed.