ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ୮ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଜେନାପୁର: ଜେନାପୁର ଥାନା କନ୍ତପଡା ପେଟ୍ରୋଲ ପମ୍ପର ଜଣେ କର୍ମଚାରୀଙ୍କ ଠାରୁ ଦୁର୍ବୃତ୍ତମାନେ ୮ଲକ୍ଷ ଟଙ୍କା ଲୁଟିନେଇଥିବା ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ଆଜି ପେଟ୍ରୋଲ ପମ୍ପ କର୍ମଚାରୀ ନିଜ ବାଇକ ଯୋଗେ କବାଟବନ୍ଧ ସ୍ଥିତ ଷ୍ଟେଟବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯାଉଥିବା ବେଳେ ବାରକଣା ଖେଳପଡିଆ ନିକଟରେ ୩ଜଣ ଦୁର୍ବୃତ୍ତ ମୁହଁରେ ମାସ୍କ ଲଗାଇ ଏକ ନାଲିକଳା ରଙ୍ଗର ଆପାଚି ବାଇକରେ ଆସି ତାଙ୍କୁ ଆକ୍ରମଣ କରିଥିଲେ। ଏଥିସହ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ବାଇକ ଡିକିରୁ ୮ଲକ୍ଷ ଟଙ୍କା ଲୁଟି ନେଇ ଚମ୍ପଟ ମାରିଥିଲେ।

 

ଏ ସଂପର୍କରେ କର୍ମଚାରୀ ଜଣକ ପମ୍ପର ମାଲିକ ରମେଶ ଜେନାଙ୍କୁ ଖବର ଦେଇଥିଲେ। ପରେ ମାଲିକ ଜେନାପୁର ଥାନାକୁ ଖବର ଦେବା ପରେ ଥାନା ଅଧିକାରୀ ଆଶିଷ କୁମାର ସାହୁ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଚଳାଇଛନ୍ତି। ତେବେ ଟଙ୍କା ଲୁଟି ନେଇଥିବା ଦୁର୍ବୃତ୍ତମାନଙ୍କ ଟେର ମିଳିନାହିଁ। ବ୍ୟାଙ୍କ ଧର୍ମଘଟ ହେତୁ ୪ଦିନ ହେବ ପେଟ୍ରୋଲ ପମ୍ପର ଟଙ୍କା ବ୍ୟାଙ୍କରେ ଜମା ହୋଇ ପାରିନଥିଲା। ଫଳରେ ଆଜି ଏତେ ପରିମାଣର ଟଙ୍କାକୁ ଜମା କରିବାକୁ କର୍ମଚାରୀ ଜଣକ ବ୍ୟାଙ୍କକୁ ଯିବା ସମୟରେ ଏହି ଘଟଣା ଘଟିଥିବା ପମ୍ପର ମାଲିକ ଶ୍ରୀ ଜେନା ସୂଚନା ଦେଇଛନ୍ତି। ତଦନ୍ତ ଚାଲୁ ରହିଛି ଓ ଦୁର୍ବୃତ୍ତମାନଙ୍କୁ ତୁରନ୍ତ ଧରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ସାହୁ କହିଛନ୍ତି।

Comments are closed.