ବିସ୍ଫୋରଣ ଘଟଣା : ସିଲ୍‌ ହେଲା ପେଟ୍ରୋଲ ପମ୍ପ

ସିସିଟିଭି ଯାଞ୍ଚ କଲା ପୁଲିସ

ଭୁବନେଶ୍ୱର : ରାଜଭବନ ନିକଟ ପେଟ୍ରୋ ଲପମ୍ପ ବିସ୍ଫୋରଣ ଘଟଣାର ତଦନ୍ତ କରୁଥିବା କମିସନରେଟ ପୁଲିସ ରବିବାର ପେଟ୍ରୋଲ ପମ୍ପକୁ ସିଲ୍‍ କରିଛି। ତଦନ୍ତ ନ ସରିବା ପର୍ଯ୍ୟନ୍ତ ଏହା ବନ୍ଦ ରହିବ ବୋଲି ଡିସିପି ଡ. ଉମାଶଙ୍କର ଦାସ ସୂଚନା ଦେଇଛନ୍ତି। ସିସିଟିଭିକୁ ପୁଲିସ ପକ୍ଷରୁ ଯାଞ୍ଚ କରାଯାଇଛି। ତେବେ ସିସିଟିଭିରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ତାକୁ ନେଇ ପୁଲିସ ତର୍ଜମା ଆରମ୍ଭ କରିଥିଲେ ମଧ୍ୟ ବିଶେଷଜ୍ଞଙ୍କ ମତାମତ ଆବଶ୍ୟକ ବୋଲି ଡିସିପି କହିଛନ୍ତି।
ସିସିଟିଭି ରିପୋର୍ଟ ପାଇଁ ଏହାକୁ ଫୋରେନ୍‍ସିକ୍‍ ଲାବରେଟୋରିକୁ ପଠାଯିବ ବୋଲି ଜଣାପଡ଼ିଛି। ତେବେ ଫୋରେନ୍‍ସିକ୍‍ ଲାବରେଟୋରିକୁ ପଠାଯିବା ପୂର୍ବରୁ ସିସିଟିଭିରେ ଥିବା ଫୁଟେଜ୍‍ ସମ୍ପର୍କରେ ଭାରତୀୟ ତୈଳ ନିଗମ ମୁଖ୍ୟାଳୟରୁ ଆସିଥିବା ବିଶେଷଜ୍ଞ ଟିମ୍‍ ସହିତ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି। ସେହିପରି ପେଟ୍ରୋଲିୟମ୍‍ ଏକ୍ସପ୍ଲୋସିଭ୍‍ ସିକ୍ୟୁରିଟି ଆଣ୍ଡ୍‍ ଅର୍ଗାନାଇଜେସନ(ପେସୋ)ର ଅଧିକାରୀମାନେ ମଧ୍ୟ କମିସନରେଟ ପୁଲିସ ସହିତ ଆଲୋଚନା କରିବେ। ତ୍ରିସ୍ତରୀୟ ତଦନ୍ତ ପରେ ଏନେଇ ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ କରାଯିବ।
ସିସିଟିଭି ଫୁଟେଜ୍‍ରୁ ସେଠାରେ କାର୍ଯ୍ୟରତ ସୂର୍ଯ୍ୟଶକ୍ତି ଭେସେଲ୍‌ର ୪ଜଣ କର୍ମଚାରୀ ସେଠାରେ କାର୍ଯ୍ୟ କରୁଥିବା ଜଣାପଡ଼ିଛି। ସେମାନଙ୍କ ସିଡିଆର୍‍ ମଗାଇ ପୁଲିସ ଅନୁଧ୍ୟାନ ଆରମ୍ଭ କରିଛି। ସେହିପରି ଖୁବ୍‍ଶୀଘ୍ର ଘଟଣାସ୍ଥଳରୁ ଜବତ ହୋଇଥିବା ଦେହାବଶେଷର ଡିଏନ୍‍ଏ ଯାଞ୍ଚ କରାଯିବାକୁ କ୍ୟାପିଟାଲ ଥାନା ପୁଲିସ କୋର୍ଟରେ ଆବେଦନ କରିବ। ପେସୋ ପକ୍ଷରୁ ସୂର୍ଯ୍ୟଶକ୍ତି ଭେସେଲ୍‌ର ଫରିଦାବାଦ ମୁଖ୍ୟାଳୟ ସହିତ ଯୋଗାଯୋଗ କରାଯାଇ ଏହାର ମାଲିକଙ୍କ ସହିତ ଆଲୋଚନା କରାଯାଇଛି। ସେଦିନ କମ୍ପାନୀ କେତେ ଜଣ କର୍ମଚାରୀଙ୍କୁ ମରାମତି ପାଇଁ ନିୟୋଜିତ କରିଥିଲା ଏବଂ ସେମାନଙ୍କର ନାମ ଓ ଠିକଣା ସମ୍ପର୍କରେ ତଦନ୍ତକାରୀ ସଂସ୍ଥାକୁ ପ୍ରଦାନ କରିବାକୁ ନିର୍ଦେଶ ଦିଆଯାଇଛି। ଏସବୁ ତଥ୍ୟ ମିଳିବା ପରେ ଘଟଣା ଉପରୁ ପରଦା ହଟିପାରିବ ବୋଲି ଆଶା କରାଯାଉଛି।

Comments are closed.