ବର୍ଷର ସର୍ବନିମ୍ନସ୍ତରରେ ପହଞ୍ଚିଲା ପେଟ୍ରୋଲ ଓ ଡିଜେଲ ଦର

0

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସର ସକରାତ୍ମକ ପ୍ରଭାବ ଭାରତୀୟ ତୈଳ ବଜାରରେ ପଡିଛି। ଫଳରେ ରବିବାର ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇ ଚଳିତ ବର୍ଷର ସର୍ବନିମ୍ନସ୍ତରରେ ପହଞ୍ଚିଛି। ରବିବାର ପେଟ୍ରୋଲ ଦର ଲିଟର ପିଛା ୨୨ ପଇସା ଏବଂ ଡିଜେଲ ଦର ଲିଟର ପିଛା ୨୩ ପଇସା ହ୍ରାସ ପାଇଛି। ପେଟ୍ରୋଲିୟମ କମ୍ପାନୀଗୁଡ଼ିକର ଅଧିସୂଚନା ଅନୁସାରେ ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୬୯ ଟଙ୍କା ୨୬ ପଇସାରୁ ହ୍ରାସ ପାଇ ୬୯ ଟଙ୍କା ୪ ପଇସା ଏବଂ ଡିଜେଲ ଦର ଲିଟର ପିଛା ୬୩ ଟଙ୍କା ୩୨ ପଇସାରୁ ହ୍ରାସ ପାଇ ୬୩ ଟଙ୍କା ୯ ପଇସା ହୋଇଛି।
ପ୍ରକାଶ ଯେ ଗୋଟିଏ ଦିନକୁ ଛାଡ଼ିଦେଲେ ଅକ୍ଟୋବର ୧୮ରୁ ପେଟ୍ରୋଲ ଦର କ୍ରମାଗତ ହ୍ରାସ ପାଉଛି। ଏବେ ଏହା ୨୦୧୮ ବର୍ଷର ସର୍ବନିମ୍ନସ୍ତରରେ ପହଞ୍ଚିଛି। ଅକ୍ଟୋବର ୧୮ରୁ ରବିବାର ପର୍ଯ୍ୟନ୍ତ ପେଟ୍ରୋଲ ଦର ୧୩ ଟଙ୍କା ୭୯ ପଇସା ହ୍ରାସ ପାଇଛି। ଏହି ସମୟ ମଧ୍ୟରେ ଡିଜେଲ ଦର ୧୨ ଟଙ୍କା ୬ ପଇସା ହ୍ରାସ ପାଇଛି। ଏହା ପୂର୍ବରୁ ଅକ୍ଟୋବର ୪ରେ ପେଟ୍ରୋଲ ଦର ଲିଟର ପିଛା ଦିଲ୍ଲୀରେ ୮୪ ପଇସା ଏବଂ ମୁମ୍ବଇରେ ୯୧ ଟଙ୍କା ୩୪ ପଇସା ରହିଥିଲା। ସେହିପରି ଡିଜେଲ ଲିଟର ପିଛା ଦିଲ୍ଲୀରେ ୭୫ ଟଙ୍କା ୪୫ ପଇସା ଏବଂ ମୁମ୍ବଇରେ ଲିଟର ପିଛା ୮୦ ଟଙ୍କା ୧୦ ପଇସା ରହିଥିଲା।

Leave A Reply