ଜିଏସ୍‍ଟି ପରିସରକୁ ଆସିବେ ପେଟ୍ରୋଲ ଏବଂ ଡିଜେଲ!

0

ନୂଆଦିଲ୍ଲୀ : ପେଟ୍ରୋଲ ଏବଂ ଡିଜେଲକୁ ଜିଏସ୍‍ଟି ପରିସର ଭୁକ୍ତ କରିବା ପାଇଁ ସରକାରଙ୍କ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଜିଏସ୍‍ଟି ପରିସର ଭୁକ୍ତ ହେବା ପରେ ବି ପେଟ୍ରୋଲ ଏବଂ ଡିଜେଲ ଉପରୁ ରାଜ୍ୟରେ ଲାଗୁଥିବା ଭ୍ୟାଟ ହଟିବ ନାହିଁ ବୋଲି ସୂଚନା ମିଳିଛି। ଅର୍ଥାତ ପେଟ୍ରୋଲ ଏବଂ ଡିଜେଲରେ ଜିଏସ୍‍ଟି ସହ ଭ୍ୟାଟ ଲାଗିବ। ତେବେ ପେଟ୍ରୋଲ ଏବଂ ଡିଜେଲକୁ ୨୮% ଜିଏସ୍‍ଟି ଟିକସ୍‍ ପରିସରରେ ରଖିବା ପାଇଁ ପ୍ରସ୍ତୁତି ଚାଲିଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଅଧିକାରୀଙ୍କ କହିବା ଅନୁସାରେ ପେଟ୍ରୋଲ ଏବଂ ଡିଜେଲ ଜିଏସ୍‍ଟି ପରିସର ଭୁକ୍ତ ହେଲେ କେନ୍ଦ୍ରକୁ ୨୦୦୦ କୋଟି ଟଙ୍କାର ଇନ୍‍ପୁଟ ଟିକସ୍‍ ଋଣକୁ ଛାଡ଼ିବାକୁ ପଡ଼ିବ। ବିଶ୍ୱର କୌଣସି ଦେଶରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଏକକ ଜିଏସ୍‍ଟି ଲାଗୁ ହୋଇନାହିଁ। ତେଣୁ ଭାରତରେ ମଧ୍ୟ ପେଟ୍ରୋଲ ଏବଂ ଡିଜେଲ ଭଳି ତୈଳ ଉପରେ ଜିଏସ୍‍ଟି ସହ ଭ୍ୟାଟ ମିଶିକି ଟିକସ୍‍ ଲାଗିବ। ବର୍ତ୍ତମାନ କେନ୍ଦ୍ର ସରକାର ପେଟ୍ରୋଲ ଉପରେ ଲିଟର ପିଛା ୧୯.୪୮ ଟଙ୍କା ଏବଂ ଡିଜେଲ ଉପରେ ଲିଟର ପିଛା ୧୫.୩୩ ଟଙ୍କା ଉତ୍ପାଦ ଶୁଳ୍କ ଆଦାୟ କରୁଛନ୍ତି। ଦିଲ୍ଲୀରେ ପେଟ୍ରୋଲ ଉପରେ ୨୭% ଏବଂ ଡିଜେଲ ଉପରେ ୧୭.୨୪% ଭ୍ୟାଟ୍‍ ଆଦାୟ କରାଯାଉଛି। ଏହି ଭଳି କେନ୍ଦ୍ର ଏବଂ ରାଜ୍ୟ ଟିକସ୍‍ ମିଶି ପେଟ୍ରୋଲ ଉପରେ ୪୫ରୁ ୫୦% ଏବଂ ଡିଜେଲ ଉପରୁ ୩୫ରୁ ୪୦% ଟିକସ୍‍ ଲାଗୁ ହେଉଛି। ଯଦି ପେଟ୍ରୋଲ ଏବଂ ଡିଜେଲ ଉପରେ ଜିଏସ୍‍ଟି ଏବଂ ଭ୍ୟାଟ ଲାଗୁ ହୁଏ ତେବେ ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୧୧ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇଯିବ। ବର୍ତ୍ତମାନ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୭୬.୨୭ ଟଙ୍କା ରହିଛି। ଏହା ମଧ୍ୟରେ ୪୬% ଟିକସ୍‍ ରହିଛି। ଡିଲରଙ୍କୁ ପେଟ୍ରୋଲ ଲିଟର ପିଛା ୩୬.୯୬ ଟଙ୍କାରେ ମିଳୁଛି। ଏହା ଉପରେ କମିଶନ ୩.୬୨ ଟଙ୍କା, ଉତ୍ପାଦ ଶୁଳ୍ପ ୧୯.୪୮ ଟଙ୍କା, ଦିଲ୍ଲୀରେ ଭ୍ୟାଟ୍‍ ଟିକସ୍‍ ୨୭% ଅର୍ଥାତ ୧୬.୨୧ ଟଙ୍କା ଲାଗୁଛି। ପେଟ୍ରୋଲ ଲିଟର ପିଛା ୩୬.୯୬ ଟଙ୍କା ଏବଂ ମୋଟ ଟିକସ୍‍ ୩୫ ଟଙ୍କା ୬୯ ପଇସା ମିଶି ଦର ଲିଟର ପିଛା ୭୬.୨୭ ଟଙ୍କାରେ ପହଞ୍ଚିଯାଉଛି। ଯଦି ପେଟ୍ରୋଲ ଉପରେ ୨୮% ଜିଏସ୍‍ଟି ଲାଗେ ତେବେ ଟିକସ୍‍ ୧୦.୩୪ ଟଙ୍କା, ଦିଲ୍ଲୀରେ ଭ୍ୟାଟ୍‍ ୨୭% ଅର୍ଥାତ ୧୩.୭୪ ଟଙ୍କା ମିଶି ଲିଟର ପିଛା ୬୪.୬୬ ଟଙ୍କାରେ ପହଞ୍ଚିବ। ପେଟ୍ରୋଲ ଜିଏସ୍‍ଟି ପରିସରଭୁକ୍ତ ହେଲେ ଲିଟର ପିଛା ୧୧ ଟଙ୍କା ଶସ୍ତା ହୋଇଯିବ।

Leave A Reply