ପେଟ୍ରୋଲ ଓ ଡିଜେଲ ଉପରୁ ଶୁଳ୍କ ହ୍ରାସ ପାଇବନି : ଅରୁଣ ଜେଟଲି

0

ନୂଆଦିଲ୍ଲୀ : ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦ ଶୁଳ୍କରେ ହ୍ରାସ କରାଯିବାର ସମ୍ଭାବନା ନାହିଁ ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ସ୍ପଷ୍ଟ କରିଛନ୍ତି। ଏଭଳି କୌଣସି ପଦକ୍ଷେପ କ୍ଷତିକାରକ ହେବ ବୋଲି ସେ କହିଛନ୍ତି। ଦେଶର ନାଗରିକମାନେ ସାଧୁତାର ସହ ନିଜ ଭାଗର ଟିକସ୍‍ ପୈଠ କଲେ ରାଜସ୍ୱ ପାଇଁ ପେଟ୍ରୋଲିୟମ ପଦାର୍ଥ ଉପରେ ସରକାର ନିର୍ଭରତା ହ୍ରାସ ପାଇବ ଓ ଭବିଷ୍ୟତରେ ଏଭଳି ସମସ୍ୟାର ସମାଧାନ ହୋଇପାରିବ ବୋଲି ସେ ଦର୍ଶାଇଛନ୍ତି। ଏକ ଫେସ୍‍ବୁକ୍‍ ପୋଷ୍ଟରେ ଜେଟଲି ଲେଖିଛନ୍ତି ଯେ କେବଳ ବେତନଭୋଗୀ ବର୍ଗ ନିଜ ଭାଗର ଟିକସ୍‍ ପ୍ରଦାନ କରୁଛନ୍ତି। ଅନ୍ୟ ବର୍ଗର ଲୋକମାନଙ୍କୁ ମଧ୍ୟ ନିଜ ଭାଗର ଟିକସ୍‍ ଦେବା ଆବଶ୍ୟକ ଓ ଟିକସ୍‍ ପ୍ରଦାନ ଜନିତ ରେକର୍ଡକୁ ସୁଧାରିବା ଆବଶ୍ୟକ। ସମସ୍ତ ବର୍ଗର ଲୋକ ଠିକ୍‍ ଭାବେ ଟିକସ୍‍ ପ୍ରଦାନ କରୁନଥିବାରୁ ଭାରତ ଏପର୍ଯ୍ୟନ୍ତ ଟିକସ୍‍ ଅନୁପାଳନ କରୁଥିବା ସମାଜ ହୋଇପାରିନାହିଁ। ଲୋକ ଯଦି ଠିକ୍‍ଭାବେ ଟିକସ୍‍ ପ୍ରଦାନ କରିବେ ତେବେ ପେଟ୍ରୋଲ ଓ ଡିଜେଲ ଭଳି ପେଟ୍ରୋଲିୟମ ଉତ୍ପାଦ ଉପରେ ରାଜସ୍ୱ ପାଇଁ ନିର୍ଭରତା ହ୍ରାସ ପାଇବ। ଏବେ ମଧ୍ୟମ କିମ୍ବା ଦୀର୍ଘ ମିଆଦି କ୍ଷେତ୍ରରେ ରାଜକୋଷ ଗଣିତରେ କୌଣସି ପ୍ରକାର ପରିବର୍ତ୍ତନ ପ୍ରତିକୂଳ ସାବ୍ୟସ୍ତ ହୋଇପାରେ। ଗତ ୪ ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ଟିକସ୍‍ ଜିଡିପି ଅନୁପାତ ୧୦%ରୁ ସୁଧୁରି ୧୧.୫%ରେ ପହଞ୍ଚିଛି। ଏହା ମଧ୍ୟରେ ୦.୭୨% ଜିଡିପି ଅଣତୈଳ ଉତ୍ପାଦରେ ଟିକସ୍‍ ବୃଦ୍ଧି ଯୋଗୁଁ ହୋଇଛି। ୨୦୧୭-୧୮ରେ ଅଣତୈଳ ଟିକସ୍‍ରୁ ଜିଡିପି ଅନୁପାତ ୨୦୧୭-୧୮ରେ ୯.୮% ରହିଥିଲା। ୨୦୦୭-୦୮ରେ ଅଣତୈଳ ଉତ୍ପାଦରେ ଟିକସ୍‍ ଅଭିବୃଦ୍ଧି କ୍ଷେତ୍ରରେ ଏହା ସର୍ବୋଚ୍ଚସ୍ତରରେ ରହିଛି। ରାଜକୋଷ ପାଇଁ ଅନୁଶାସନ ପାଳନ ନକଲେ ଅଧିକ ଋଣ ନେବାକୁ ପଡ଼ିଥାଏ ଓ ଋଣ ବାବଦ ସୁଧ ବଢିଥାଏ। ଉପଭୋକ୍ତାଙ୍କୁ ରିଆତି କେବଳ ପୂର୍ଣ୍ଣ ରାଜକୋଷ ଏବଂ ଆର୍ଥିକ ଦୃଷ୍ଟରୁ ମଜଭୁତ କେନ୍ଦ୍ର ଏବଂ ରାଜ୍ୟ ସରକାର ଦେଇପାରିବେ। ତୈଳ ଦରରେ ବୃଦ୍ଧି ଯୋଗୁଁ ରାଜ୍ୟ ଏବଂ କେନ୍ଦ୍ରକୁ ଅତିରିକ୍ତ ରାଜସ୍ୱ ମିଳୁଛି। ଅଣତୈଳ ଉତ୍ପାଦରୁ ସେଭଳି ଟିକସ୍‍ ମିଳୁନଥିବାରୁ ଟିକସ୍‍ ପାଇଁ ପେଟ୍ରୋଲିୟମ ଉତ୍ପାଦ ଉପରେ ନିର୍ଭର କରିବାକୁ ପଡୁଛି। ବେତନଭୋଗୀଙ୍କ ଭଳି ଅନ୍ୟ ବର୍ଗର ଲୋକମାନେ ଠିକ୍‍ ଭାବେ କର ପ୍ରଦାନ କଲେ ଏହି ସମସ୍ୟାର ସମାଧାନ ହୋଇପାରିବ।

Leave A Reply