ଉତ୍ପାଦ ଶୁଳ୍କ କମିବା ପରେ ତୈଳ ଦର ହ୍ରାସ

ଭୁବନେଶ୍ବର: କେନ୍ଦ୍ର ସରକାର ବୁଧବାର ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ହ୍ରାସ କରିଛନ୍ତି। ପେଟ୍ରୋଲ ଲିଟର ପ୍ରତି ଲାଗୁ ହୋଇଥିବା ଉତ୍ପାଦ ଶୁଳ୍କରୁ ୫ ଟଙ୍କା ଏବଂ ଡିଜେଲ ଲିଟର ଉପରେ ଲାଗୁ ହୋଇଥିବା ଉତ୍ପାଦ ଶୁଳ୍କରୁ ୧୦ ଟଙ୍କା ହ୍ରାସ କରିବାକୁ ଘୋଷଣା କରିଛନ୍ତି। ଫଳରେ ସ୍ବୟଂ କ୍ରିୟ ଦର ହ୍ରାସ-ବୃଦ୍ଧି ବ୍ୟବସ୍ଥାରେ ପେଟ୍ରୋଲ ଉପରେ ୬ଟଙ୍କା ୬୦ପଇସା ଓ ଡିଜେଲ ଲିଟର ପ୍ରତି ୧୨ଟଙ୍କା ୮୦ପଇସା ହ୍ରାସ ପାଇଛି। ଆଜି ମଧ୍ୟରାତ୍ରିରୁ ଏହି ପରିବର୍ତ୍ତିତ ଦର ଲାଗୁ ହୋଇଛି।

କେନ୍ଦ୍ରର ଉତ୍ପାଦ ଶୁଳ୍କ ପେଟ୍ରୋଲ ଉପରେ ୫ଟଙ୍କା ହ୍ରାସ କରାଯାଇଥିବା ଯୋଗୁଁ ଅଟୋମେସନ (ସ୍ବୟଂଚାଳିତ ବ୍ୟବସ୍ଥା)ରେ ରାଜ୍ୟର ଭାଟ୍ ମଧ୍ୟ ୧ଟଙ୍କା ୬୦ପଇସା କମିଛି। ସେହିଭଳି ଡିଜେଲ ଉପରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ୧୦ଟଙ୍କା କମାଯାଇଥିଲା ବେଳେ ରାଜ୍ୟମାନଙ୍କୁ ଏ ବାବଦରେ ଭାଟରୁ ମିଳୁଥିବା ଲିଟର ପ୍ରତି ୨ଟଙ୍କା ୮୦ପଇସା କମିଛି। ଅତଏବ ପେଟ୍ରୋଲ ଉପରେ ମୋଟ ଲିଟର ପ୍ରତି ୬ଟଙ୍କା ୬୦ପଇସା (୫+୧.୬୦) ଓ ଡିଜେଲ ଉପରେ ଲିଟର ପ୍ରତି ୧୨ଟଙ୍କା ୮୦ପଇସା (୧୦+୨.୮୦) କମିଛି।

କରୋନା ମହାମାରୀ ମୁକାବିଲା ପାଇଁ ମେ, ୨୦୨୦ରେ କେନ୍ଦ୍ର ସରକାର ପେଟ୍ରୋଲ ଉପରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ୯.୯୨ ଟଙ୍କା ଏବଂ ଡିଜେଲ ଉପରେ ୧୨.୯୭ ଟଙ୍କା ଅଧିକ ଶୁଳ୍କ ବସାଇଥିଲେ। କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ବସାଇବା ଦ୍ବାରା ଓଡ଼ିଶା ସରକାର ମଧ୍ୟ ସେହି ସମୟରେ ପେଟ୍ରୋଲ ଉପରେ ଭାଟ୍ ୨୬ରୁ ୩୨ ପ୍ରତିଶତକୁ ବୃଦ୍ଧି କରିଥିବା ବେଳେ ଡିଜେଲ ଉପରେ ୨୬ରୁ ୨୮ ପ୍ରତିଶତ ଭାଟ୍ ଅଂଶ ବଢ଼ାଇଥିଲେ। ବର୍ତ୍ତମାନ ପରିସ୍ଥିତିରେ କେନ୍ଦ୍ର ସରକାର ପେଟ୍ରୋଲ ଉପରେ ଶୁଳ୍କ ୩୨.୯୦ ଟଙ୍କା ଏବଂ ଡିଜେଲ ଉପରେ ଶୁଳ୍କ ୩୧.୮୦ ଟଙ୍କା ଆଦାୟ କରୁଛନ୍ତି। ଓଡ଼ିଶା ସରକାର ପେଟ୍ରୋଲ ଉପରେ ୨୫.୮୭ ଟଙ୍କା ଏବଂ ଡିଜେଲ ଲିଟର ପ୍ରତି ୨୨.୯୦ ଟଙ୍କା ଭାଟ୍ ନେଉଛନ୍ତି।

ତୈଳ ଦର ହ୍ରାସକୁ ବସ ମାଲିକ ସଂଘର ସ୍ବାଗତ

ଭୁବନେଶ୍ୱର: କେନ୍ଦ୍ର ସରକାର ତୈଳ ଦର ହ୍ରାସ କରିଥିବାରୁ ରାଜ୍ୟ ବସ ମାଲିକ ସଂଘ ପକ୍ଷରୁ ଏହାକୁ ସ୍ବାଗତ କରାଯାଇଛି। କେନ୍ଦ୍ର ସରକାର ଯେପରି ଉତ୍ପାଦ ଶୁଳ୍କ ହ୍ରାସ କରିଛନ୍ତି ରାଜ୍ୟ ସରକାର ଅନୁରୂପ ଭାବେ ଡିଜେଲ ଓ ପେଟ୍ରୋଲ ଉପରୁ ଭାଟ ହ୍ରାସ କରିବାକୁ ସଂଘ ଅନୁରୋଧ କରିଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଯେତିକି ଦର ହ୍ରାସ କରିବେ ଅନୁରୂପ ଭାବେ ବସଭଡା ମଧ୍ୟ ହ୍ରାସ କରିବାକୁ ମଧ୍ୟ ସଂଘ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି ବୋଲି ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି। ଏହାଦ୍ବାରା ରାଜ୍ୟରେ ଯାତ୍ରୀମାନେ ପୁନର୍ବାର ବସରେ ଯାତାୟାତ କରିବା ଆରମ୍ଭ କରିେବ ଏବଂ ବ୍ୟବସାୟ ସ୍ବାଭାବିକ ଅବସ୍ଥାକୁ ଆସିପାରିବ ବୋଲି ଶ୍ରୀ ନାୟକ ଆଶାବ୍ୟକ୍ତ କରିଛନ୍ତି।

Comments are closed.