ପେଥାଇ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

0

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିଝଡ଼ ‘ପେଥାଇ’ ଘଣ୍ଟା ପ୍ରତି ୧୬ କିଲୋମିଟର ବେଗରେ ଉତ୍ତର – ପଶ୍ଚିମ ଦିଗରେ ଗତି କରୁଛି। ଉତ୍ତର-ପଶ୍ଚିମ ଦିଗରେ ଗତି କରି ସୋମବାର ଅପରାହ୍ନ ସୁଦ୍ଧା ଆନ୍ଧ୍ର ପ୍ରଦେଶ ଉପକୂଳ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପ୍ରତିକୂଳ ପରିବେଶ ଯୋଗୁ ଏହା ସ୍ଥଳଭାଗ ଛୁଇଁବା ପୂର୍ବରୁ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିବ ବୋଲି ଜଣାପଡ଼ିଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୭୦ ରୁ ୯୦ କି.ମି ରହିବ। ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ସେହିପରି ଘୂର୍ଣ୍ଣିଝଡ଼ ‘ପେଥାଇ’ର ପ୍ରଭାବରେ ସୋମବାର ଓ ମଙ୍ଗଳବାର ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବା ସହ ଆଉ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୪ଟି ଜିଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ କରାଯାଇଥିବା ବେଳେ ୧୧ଟି ଜିଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ୪ଟି ଜିଲା ହେଲା – ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତି। ସେହିଭଳି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲା ଗୁଡ଼ିକ ହେଲା – ଗଞ୍ଜାମ, ପୁରୀ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବରଗଡ଼, ବଲାଙ୍ଗୀର, ଝାରସୁଗୁଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସବୁ ବନ୍ଦରରେ ୨ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି।

Leave A Reply