୫୦ କୋଟିରୁ ଅଧିକ ଫେସବୁକ୍‌ ବ୍ୟବହାରକାରୀଙ୍କ ତଥ୍ୟ ଲିକ୍‌

ଫେସବୁକ ବ୍ୟବହାର କରୁଥିବା ୫୦ କୋଟିରୁ ଅଧିକ ୟୁଜର୍ସଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍‌ ହୋଇଯାଇଛି। ଲିକ୍‌ ହୋଇଯାଇଥିବା ଏହି ତଥ୍ୟରେ ଇ-ମେଲ୍‌ ଠିକଣା ଏବଂ ଫୋନ ନମ୍ବର ସାମିଲ ରହିଛି। ଏକ ରିପୋର୍ଟରୁ ଏ ନେଇ ସୂଚନା ମିଳିଛି। ଏହା ସହିତ ହଡସନ ରକ୍‌ ସାଇବର କ୍ରାଇମ ଇଣ୍ଟେଲିଜେନ୍ସ ଫାର୍ମର ମୁଖ୍ୟ ପ୍ରଯୁକ୍ତିବିଦ୍ୟା ଅଧିକାରୀ ଏଲୋନ ଗେଲ୍‌ ଶନିବାର ଟ୍ବିଟ୍‌ କରି ଏହି ସୂଚନା ଦେଇଛନ୍ତି। ଫେସବୁକର ୫୩ କୋଟି ୩୦ ଲକ୍ଷ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍‌ ହୋଇଥିବା ସେ କହିଛନ୍ତି।

ଅନ୍ୟପଟେ ତଥ୍ୟ ଲିକ୍‌କୁ ନେଇ ସୋସିଆଲ ମିଡିଆ କମ୍ପାନୀ ଫେସବୁକକୁ ୟୁଜରମାନେ ଅଭିଯୋଗ କରିବା ପରେ କମ୍ପାନୀ ସଫେଇ ଦେଇ ଏହା ଏକ ପୁରୁଣା ରିପୋର୍ଟ ବୋଲି କହିଛି। ଗଣମାଧ୍ୟମ ରିପୋର୍ଟ ଏବଂ ଜଣେ ସାଇବର ବିଶେଷଜ୍ଞଙ୍କ କହିବା ଅନୁସାରେ, ୫୦ କୋଟିରୁ ଅଧିକ ଫେସବୁକ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ହ୍ୟାକର୍ସଙ୍କ ହାତରେ ରହିଛି। ଏହି ତଥ୍ୟରେ ବ୍ୟବହାରକାରୀଙ୍କ ମୋବାଇଲ ନମ୍ବର, ଇ-ମେଲ ଠିକଣା ଏବଂ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ରହିଛି।

ଏଲୋନ ଗେଲ୍‌ ତଥ୍ୟ ଲିକ୍‌କୁ ନେଇ ଫେସବୁକ୍‌ର ଦାୟିତ୍ଵହୀନତାକୁ ନିନ୍ଦା କରିବା ପରେ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଏହା ଏକ ପୁରୁଣା ରିପୋର୍ଟ। କମ୍ପାନୀ ମୁଖପାତ୍ର କହିଛନ୍ତି, ଏହି ତଥ୍ୟ ୨୦୧୯ ଅଗଷ୍ଟରେ ଲିକ୍‌ ହୋଇଛି। ଏହା ଜଣାପଡ଼ିବା ପରେ ତୁରନ୍ତ ତାହାର ପ୍ରତିକାର କରାଯାଇଥିଲା।

Comments are closed.