ସ୍ପେଶଏକ୍ସର ତୃତୀୟ ମହାକାଶ ଅଭିଯାନ ନେତୃତ୍ୱରେ ଭାରତୀୟ ବଂଶୋଦ୍ଭବ ରାଜା ଚାରୀ

ୱାଶିଂଟନ: ନାସା ପକ୍ଷରୁ ସ୍ପେଶଏକ୍ସର ତୃତୀୟ ବ୍ୟବସାୟିକ ମହାକାଶ ଅଭିଯାତ୍ରୀ ଦଳର ନେତୃତ୍ୱ ନେଉଛନ୍ତି ଭାରତୀୟ ବଂଶୋଦ୍ଭବ ରାଜା ଚାରୀ । ବୁଧବାର ଦିନ ଫ୍ଲୋରିଡାରେ ଥିବା କେନେଡି ମହାକାଶ କେନ୍ଦ୍ରର ୩୯ଏ ଉତକ୍ଷେପଣ ସ୍ଥଳରୁ ସ୍ପେଶଏକ୍ସ ମହାକାଶ ଯାନ ମହାକାଶକୁ ଯାତ୍ରା କରିଥିବାବେଳେ ସେଥିରେ ନାସାର ମହାକାଶଚାରୀ ଟମ୍‌ ମାର୍ଶବର୍ନ, କାୟଲା ବାରୋନ, ରାଜା ଚାରୀ ଏବଂ ୟୁରୋପୀୟ ମହାକାଶ ସଂସ୍ଥାର ମହାକାଶଚାରୀ ମାଥିଆସ ମୋରେର ମହାକାଶକୁ ଯାଇଛନ୍ତି । ସେମାନେ ମହାକାଶ କେନ୍ଦ୍ରରେ ୬ ମାସ ରହି ବିଭିନ୍ନ ବୈଜ୍ଞାନିକ ଗବେଷଣା କରିବେ । ସୂଚନାଯୋଗ୍ୟ ଯେ ରାଜା ଚାରୀ ଏହି ଅଭିଯାତ୍ରୀ ଦଳର କମାଣ୍ଡର ଦାୟିତ୍ୱ ତୁଲାଉଛନ୍ତି । ସେ ମହାକାଶଯାନର ଉତକ୍ଷେପଣ ଠାରୁ ପୃଥିବୀକୁ ଫେରିବା ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ ବହନ କରିବେ । ତାହାସହିତ ମହାକାଶରେ ସେ ଫ୍ଲାଇଟ ଇଞ୍ଜିନିୟର ଭାବରେ କାର୍ଯ୍ୟ କରିବେ । ଚାରୀ ପ୍ରଥମ ଥର ପାଇଁ ମହାକାଶକୁ ଯାତ୍ରା କରିଛ୍‌ତି । ସୂଚନାଯୋଗ୍ୟ ଯେ ରାଜା ଚାରୀ ଆମେରିକା ବାୟୁସେନାରେ ଜଣେ କଲୋନେଲ ଭାବରେ କାର୍ଯ୍ୟରତ । ତାଙ୍କ କ୍ୟାରିୟର ମଧ୍ୟରେ ସେ ୨୫୦୦ ଘଣ୍ଟା ବିମାନ ଉଡାଣ ଅଭିଜ୍ଞତା ହାସଲ କରିଛନ୍ତି । ମାର୍ଶବର୍ନ ଏହି ଅଭିଯାତ୍ରୀ ଦଳର ଦ୍ୱିତୀୟ ମୁଖ୍ୟ ଭାବରେ ଦାୟିତ୍ୱ ତୁଲାଇବେ ।

Comments are closed.