ଦିଲ୍ଲୀ ବସ୍ତିବାସିନ୍ଦାଙ୍କ ପାଇଁ ଶାହାଙ୍କ ଘୋଷଣା; ୨୦ ହଜାରଙ୍କୁ ମିଳିବ ସ୍ଥାୟୀ ଘର

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସୋମବାର ଏକ ବଡ ଘୋଷଣା କରିଛନ୍ତି। ଅମିତ ଶାହା ଦିଲ୍ଲୀର ବସ୍ତିବାସିନ୍ଦାଙ୍କ ପାଇଁ କହିଛନ୍ତି ଯେ, ଆପଣମାନେ ଚିନ୍ତା କରନ୍ତୁ ନାହିଁ। ଯେଉଁଠି ବସ୍ତି ରହିଛି ସେଠାରେ ଘର ନିର୍ମାଣ କରିବାର ଦାୟିତ୍ବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେଇଛନ୍ତି। ସେ ଆହୁରି କହିଛନ୍ତି ଯେ, ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ ହୋଇ ଯାଇଛି; ଯେଉଁଥିରେ ୨୦ ହଜାର ବସ୍ତିବାସିନ୍ଦାଙ୍କୁ ସ୍ଥାୟୀ ଘର ପ୍ରଦାନ କରାଯିବ।

ଦିଲ୍ଲୀରେ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଅମିତ ଶାହା ଦିଲ୍ଲୀରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଦିଲ୍ଲୀରେ ସାଇକଲ ଟ୍ରାକ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଶାସକ ଆପ୍ ସରକାରକୁ ଟାର୍ଗେଟ କରି ଶାହା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ କେଜରିୱାଲ ପାଞ୍ଚ ବର୍ଷ ମଧ୍ୟରେ ଦିଲ୍ଲୀବାସୀଙ୍କ ପାଇଁ କିଛି କରିନାହାନ୍ତି, କେବଳ ଆଖିରେ ଧୂଳି ଛାଡିଛନ୍ତି। ଦିଲ୍ଲୀରେ ବଢୁଥିବା ବାୟୁ ପ୍ରଦୂଷଣକୁ ଆକ୍ଷେପ କରି ଶାହା ଏପରି କହିଛନ୍ତି। ଦିଲ୍ଲୀରେ ଆୟୁଷ୍ମାନ୍‌ ଭାରତ ଯୋଜନା କାର୍ଯ୍ୟକାରୀ କରିବାକୁ କେଜରିୱାଲ ଭୟ କରୁଛନ୍ତି। କାରଣ ଆୟୁଷ୍ମାନ୍‌ ଭାରତ ଯୋଜନା କାର୍ଯ୍ୟକାରୀ ହେଲେ ଦିଲ୍ଲୀବାସୀ ବିଜେପିକୁ ଭୋଟ ଦେବେ। ଆପ ସରକାର ଏହାର ୫ବର୍ଷ ଶାସନକାଳରେ କିଛି କରି ନାହାନ୍ତି; କେବଳ ନିଜର ବିଜ୍ଞାପନ ଛାପିଛନ୍ତି। ଦିଲ୍ଲୀର ସର୍ବସାଧାରଣ ସ୍ଥାନରେ ୧୫ଲକ୍ଷ ସିସିଟିଭି କ୍ୟାମେରା ଲଗାଇବାକୁ କେଜରିୱାଲ ପ୍ରତିଶ୍ରୁତି ଦେଇଥିଲେ; ମାତ୍ର ଦିଲ୍ଲୀବାସ ସହରରେ କୌଣସିଠାରେ ଏହିସବୁ କ୍ୟାମେରା ଦେଖିବାକୁ ପାଉ ନାହାନ୍ତି। ଶାହା କହିଛନ୍ତି ଯେ କେଜରିୱାଲ ସରକାର ଦିଲ୍ଲୀର ଗରିବ ଓ ଗ୍ରାମାଞ୍ଚଳ ଲୋକଙ୍କୁ ବେଶି କ୍ଷତି ପହଞ୍ଚାଇଛନ୍ତି। କେଜରିୱାଲ ଓ ରାହୁଲ ଗାନ୍ଧୀଙ୍କୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସହ ତୁଳନା କରିଛନ୍ତି ଅମିତ ଶାହା। ସେ କହିଛନ୍ତି, ଯେପରି ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାରତ ସରକାରଙ୍କ କାର୍ଯ୍ୟକୁ ନେଇ ପ୍ରମାଣ ମାଗନ୍ତି, ଠିକ୍ ସେହିପରି କେଜରିୱାଲ ଓ ରାହୁଲ ମଧ୍ୟ ପ୍ରମାଣ ମାଗନ୍ତି। ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ଉପୁଜିଥିବା ହିଂସା ପାଇଁ ପ୍ରିୟଙ୍କା ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଦଳକୁ ପୁଣି ଥରେ ଶାହା ଦୋଷାରୋପ କରିଛନ୍ତି।

Comments are closed.