ମତଦାନ ହାର ୭୦% ସମ୍ଭାବନା

ଇଭିଏମ୍‌ରେ ତ୍ରୁଟି ପାଇଁ କର୍ମଚାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ, -୬ଟି ବୁଥରେ ସାନି ମତଦାନ ନେଇ କମିସନଙ୍କୁ ସୁପାରିସ

ଭୁବନେଶ୍ବର : ରାଜ୍ୟର ୫ଟି ଲୋକସଭା ଆସନ ଏବଂ ଏହି ସମସ୍ତ ଲୋକସଭା ଆସନ ଅନ୍ତର୍ଗତ ୩୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗୁରୁବାର ଭୋଟ ଗ୍ରହଣ କରାଯାଇଛି। ଅପରାହ୍ଣ ୫ଟା ସୁଦ୍ଧା ୬୪% ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ ଏହା ଚୂଡାନ୍ତ ରିପୋର୍ଟ ବେଳକୁ ୭୦ ପ୍ରତିଶତରୁ ଅଧିକ ଛୂଇଁବା ସମ୍ଭାବନା ରହିଛି। ଅନେକ ବୁଥ୍‌ରେ ସନ୍ଧ୍ୟା ପର୍ଯ୍ୟନ୍ତ ଭୋଟରଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିିଳିଥିଲା। ତେଣୁ ଭୋଟ ଗ୍ରହଣ ସରିବା ଓ ରିପୋର୍ଟ ଆସିବା ପରେ ଏହି ସଂଖ୍ୟା ବୃଦ୍ଧି ପାଇବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ୨୦୧୪ରେ ଏହି ଅଞ୍ଚଳରେ ମତଦାନ ହାର ୭୨.୪୬% ଥିଲା।


ଭୋଟ ଗ୍ରହଣ ସମୟରେ ସୁନ୍ଦରଗଡ଼ ଲୋକସଭା ଅନ୍ତର୍ଗତ ଦୁଇଟି, କନ୍ଧମାଳ ଲୋକସଭା ଆସନ ଅନ୍ତର୍ଗତ ଦୁଇଟି ଏବଂ ବରଗଡ଼ ଲୋକସଭା ଆସନ ଅନ୍ତର୍ଗତ ଦୁଇଟି ଏହି ପରି ମୋଟ ୬ଟି ବୁଥରେ ଇଭିଏମ ତ୍ରୁଟି ଯୋଗୁଁ ସେଠାରେ ମତଦାନ ବନ୍ଦ ରହିଛି। ଏହି ୬ଟି ବୁଥରେ ସାନି ମତଦାନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭାରତର ନିର୍ବାଚନ କମିସନଙ୍କୁ ସୁପାରିସ କରିଛନ୍ତି। ତେବେ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ମୋଟାମୋଟି ଶାନ୍ତିପୂର୍ଣ୍ଣ ଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି। ସୁନ୍ଦରଗଡ଼ ଲୋକସଭା ଆସନ ଅନ୍ତର୍ଗତ ବଣାଇଁ ବିଧାନସଭା ଆସନର ୧୨୯ ନମ୍ବର ଓ ସୁନ୍ଦରଗଡ଼ ବିଧାନସଭା ଆସନର ୨୧୩ ନମ୍ବର ବୁଥ, କନ୍ଧମାଳ ଲୋକସଭା ଅନ୍ତର୍ଗତ ଦଶପଲ୍ଲା ବିଧାନସଭା ଆସନର ୨୧୦ ଏବଂ ୨୨୨ ନମ୍ବର ବୁଥ ଓ ସେହିପରି ବରଗଡ଼ ଲୋକସଭା ଅନ୍ତର୍ଗତ ଅତାବିରା ବିଧାନସଭା ଆସନର ୨୩୫ ନମ୍ବର ଏବଂ ବରଗଡ଼ ବିଧାନସଭା ଆସନର ୬୮ନମ୍ବର ବୁଥ ଇଭିଏମରେ ତ୍ରୁଟି ଦେଖା ଦେଇଥିଲା। ତାହା ବଦଳା ଯିବା ପରେ ତ୍ରୁଟି ସୁଧୁରି ନଥିଲା। ଭୋଟର ଗୋଟିଏ ଚିହ୍ନରେ ଭୋଟ ଦେଲେ ତାହା ଆପେ ଆପେ ଅନ୍ୟ ଚିହ୍ନକୁ ଚାଲି ଯାଉଥିବା ଅଭିଯୋଗ ହୋଇଥିଲା। ଏହାର ବିଧିବଦ୍ଧ ଯାଞ୍ଚ କରାଯାଇଥିଲା। ତ୍ରୁଟି ଜଣାପଡ଼ିବା ପରେ ସେଠାରେ ମତଦାନ ବନ୍ଦ ରଖାଯାଇଥିଲା। ଶ୍ରୀ କୁମାର କହିଛନ୍ତି, ସକାଳେ ନିର୍ବାଚନ ସ୍ବାଭାବିକ ଥିଲା। ମେସିନରେ ତ୍ରୁଟିଦେଖା ଦେବା ପରେ ସେକ୍ଟର ଅଫିସର ପହଞ୍ଚି ଭିଭିପାଟ ବଦଳାଇ ଥିଲେ। ଦାୟିତ୍ବରେ ଥିବା କର୍ମଚାରୀ ଭୁଲରେ ଲୋକସଭା ପାଇଁ ଥିବା ଇଭିଏମରେ ବିଧାନସଭା ପାଇଁ ଥିବା ଭିଭିପାଟ ଏବଂ ବିଧାନସଭା ପାଇଁ ଥିବା ଭିଭିପାଟ ଲେକାସଭା ଇଭିଏମରେ ଲଗାଇବା ଫଳରେ ଏହି ତ୍ରୁଟି ଦେଖା ଯାଇଥିଲା। ଏଭଳି ପରିସ୍ଥିତି ପାଇଁ ସଂପୃକ୍ତ ବୁଥଗୁଡ଼ିକରେ ଉତ୍ତେଜନା ଦେଖାଯାଇଥିଲା। ଏହା ମାନବକୃତ ଭୁଲ ଥିବାରୁ ଏଥିପାଇଁ ଦାୟୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି।

pic courtesy HuffPost India

ସେହିପରି ଇଭିଏମରେ ତ୍ରୁଟି ଯୋଗୁଁ କନ୍ଧମାଳର କିଲିଙ୍ଗିରି ବୁଥରେ ମତଦାନ ବାଧାପ୍ରାପ୍ତ ହୋଇଥିବା ଖବର ମିଳିଛି। ଆଜି ଅନୁଷ୍ଠିତ ନିର୍ବାଚନ ସମୟରେ କାଁ ଭାଁ ଗଣ୍ଡଗୋଳକୁ ବାଦ ଦେଲେ ସେଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନଥିବା ଦାୟିତ୍ବରେ ଥିବା ପୁଲିସ ମହା ନିର୍ଦେଶକ ବି.କେ.ଶର୍ମା କହିଛନ୍ତି। ଗତକାଲି କନ୍ଧମାଳର ଫିରିଙ୍ଗିଆ ଓ ଗୋଛିପଡ଼ା ଥାନା ଅଞ୍ଚଳରେ ମାଓବାଦୀଙ୍କ ଆକ୍ରମଣ ଯୋଗୁଁ ଦୁର୍ଭାଗ୍ୟଜନକ ପରିସ୍ଥିତି ସୃଷ୍ଟି ହୋଇଥିଲା। ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ସଂପୃକ୍ତ ଅଞ୍ଚଳରେ ମତଦାନ ଶାନ୍ତିପୂର୍ଣ୍ଣ ଥିବା ସେ କହିଛନ୍ତି।
ଆଜି ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସିକା ଲୋକସଭା ଆସନ ଏବଂ ଏହି ଲୋକସଭା ଆସନ ଅନ୍ତର୍ଗତ ୩୫ଟି ବିଧାନସଭା ଆସନରେ ଭୋଟ ଗ୍ରହଣ କରାଯାଇଛି। ସକାଳ ୫.୩୦ରେ ସମସ୍ତ ବୁଥରେ ମକ ପୋଲିଂ ଆରମ୍ଭ ହୋଇଥିଲା। ୭ଟାରୁ ମତଦାତାମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ। ମାଓ ପ୍ରଭାବିତ ଅଞ୍ଚଳର ବୁଥରେ ଅପରାହ୍ଣ ୪ଟା ସୁଦ୍ଧା ମତଦାନ ଶେଷ କରାଯିବାକୁ ଥିବା ବେଳେ କେତେକ ବୁଥରେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ମତଦାନ ଚାଲିଥିଲା। ସେହିପରି ବୁଥ ପରିସରରେ ମତାଧିକାର ସାବ୍ୟସ୍ତ ପାଇଁ ବହୁ ଭୋଟର ଥିବାରୁ ମତଦାନ ଅବ୍ୟାହତ ଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ ଯେ ଗତ ୧୧ ତାରିଖରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ କେତେକ ବୁଥରେ ରାତି ୧୨ଟା ପର୍ଯ୍ୟନ୍ତ ମତଦାନ ଚାଲିଥିଲା।
ଦ୍ବିତୀୟ ପର୍ଯ୍ୟାୟରେ ଭୋଟ ଗ୍ରହଣ ପାଇଁ ୯,୧୧୭ଟି ବୁଥର ବ୍ୟବସ୍ଥା କରାଯାଇଥିଲା। ଏହି ଅଞ୍ଚଳରେ ମତଦାତାଙ୍କ ସଂଖ୍ୟା ୭୬ ଲକ୍ଷ ୯୩ ହଜାର ୧୨୩ ଥିବା ବେଳେ ୨୭୯ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଥିଲେ।

Comments are closed.