ଲୋକଙ୍କ ଆବଶ୍ୟକତାକୁ ବଜେଟରେ ଗୁରୁତ୍ଵ ଦିଆଯିବ: ଅର୍ଥ ବିଭାଗ ଯୁଗ୍ମ ସଚିବ

ଭୁବନେଶ୍ଵର: ପ୍ରତିବର୍ଷ ରାଜ୍ୟ ସରକାର ବଜେଟ୍‌ ଉପସ୍ଥାପନ କରୁଛନ୍ତି। ଏଥିରେ ହଜାର ହଜାର କୋଟି ଟଙ୍କା ବ୍ୟୟବରାଦ ହେଉଛି। ହେଲେ ତାହା ସମ୍ପୂର୍ଣ୍ଣ ଭାବେ ଲୋକଙ୍କ ଆବଶ୍ୟକତା ଅନୁସାରେ କରାଯାଉ ନାହିଁ କି ତାହାର ସୁଫଳ ତଳସ୍ତରରେ ଜନସାଧାରଣଙ୍କ ନିକଟରେ ପହଞ୍ଚିପାରୁ ନାହିଁ। ତେଣୁ ରାଜ୍ୟ ସରକାର ଆଗାମୀ ୨୦୨୦-୨୧ରେ ଏକ ନାଗରିକ ଫ୍ରେଣ୍ଡ୍‌ଲି ବଜେଟ୍‌ ପ୍ରସ୍ତୁତ କରିବା ପାଇଁ ଦାବି ହୋଇଛି। ସେଣ୍ଟର ଫର ୟୁଥ ଆଣ୍ଡ ସୋସିଆଲ ଡେଭେଲପମେଣ୍ଟ(ସିୱାଇଏସଡି) ପକ୍ଷରୁ ସୋମବାର ସିୱାଇଏସଡି ପରିସରରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ଆଲୋଚନାଚକ୍ର ‘ରାଜ୍ୟ ବଜେଟରେ ଲୋକଙ୍କ ପ୍ରାଥମିକତା’ରେ ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ସାମାଜିକ କର୍ମୀ, ସ୍ତମ୍ଭକାରମାନେ ଭାଗନେଇ ଏହି ଦାବି ଉପସ୍ଥାପନ କରିଛନ୍ତି। ବିଶେଷକରି କୃଷି, ଶିକ୍ଷା ଏବଂ ସ୍ବାସ୍ଥ୍ୟ କ୍ଷେତ୍ରକୁ ବଜେଟ୍‌ରେ ସ୍ବତନ୍ତ୍ର ଭାବେ ଗୁରୁତ୍ଵ ଦେବା ଲାଗି ଆଲୋଚନାରେ ଦାବି କରାଯାଇଛି। ଆଲୋଚନାରେ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ଯୁଗ୍ମ ସଚିବ ଉପସ୍ଥିତ ରହି ଲୋକଙ୍କ ଆବଶ୍ୟକତାକୁ ବଜେଟରେ ଗୁରୁତ୍ଵ ଦିଆଯିବ ବୋଲି ମତ ଦେଇଥିଲେ।

ଜନସ୍ବାସ୍ଥ୍ୟ ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ବତନ୍ତ୍ର ସଚିବ ଡା. ହରପ୍ରସାଦ ପଟ୍ଟନାୟକ ଆଲୋଚନାରେ ଭାଗନେଇ ସ୍ବାସ୍ଥ୍ୟକ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ, ପୂର୍ବରୁ ବଜେଟରେ ସ୍ବାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ର ପାଇଁ ଯେତିକି ପରିମାଣରେ ଅର୍ଥ ବରାଦ ହେଉଥିଲା ତାହା ପର୍ଯ୍ୟାପ୍ତ ନ ଥିଲା। ଫଳରେ ଏହି ଦୁଇ କ୍ଷେତ୍ରରେ ଭିତ୍ତିଭୂମିର ଠିକ୍‌ ବିକାଶ ହୋଇପାରୁ ନ ଥିଲା। ଏବେ ସରକାରଙ୍କ ପକ୍ଷରୁ ଏ କ୍ଷେତ୍ର​‌ରେ ବିଶେଷ ଧ୍ୟାନ ଦିଆଯାଉଛି। ଡାକ୍ତର, ବିଶେଷଜ୍ଞ ଏବଂ ଟେକ୍ନିସିଆନଙ୍କ ଅଭାବ ପୂରଣ ଦିଗରେ ପଦକ୍ଷେପ ନିଆଯାଉଛି। ଡାକ୍ତରଖାନାଗୁଡ଼ିକରେ ସ୍ବଚ୍ଛତା ଏବଂ ଔଷଧର ଉପଲବ୍ଧତା ବଢ଼ିଛି। ରୋଗୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସକେୱାଇ)ରେ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି।

ରାଜ୍ୟ ସରକାରଙ୍କ ୫ମ ଅର୍ଥ କମିଶନର ପୂର୍ବତନ ଅଧ୍ୟକ୍ଷ ତଥା ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଆର.ଏନ. ସେନାପତି କହିଥିଲେ, ବଜେଟରେ ଆଦିବାସୀ ଅଞ୍ଚଳକୁ ସ୍ବତନ୍ତ୍ର ଭା​‌ବେ ଦୃଷ୍ଟି ଦିଆଯିବା ଦରକାର। ଅପହଞ୍ଚ ଇଲାକାରେ କିପରି ଆମ୍ବୁଲାନ୍ସ ସେବା ପହଞ୍ଚିପାରିବ, ସ୍ବାସ୍ଥ୍ୟ କ୍ଷେତ୍ରରେ ଭିତ୍ତିଭୂମି ବିକାଶ, ମେଡିକାଲ କଲେଜ ପ୍ରତିଷ୍ଠା ଉପରେ ଗୁରୁତ୍ଵାରୋପ କରିଥିଲେ। ବଜେଟରେ ଗୋଟିଏ ବର୍ଷ ନୁହେଁ, ବରଂ ଆଗାମୀ ୧୫ ବର୍ଷକୁ ଦୃଷ୍ଟି ରଖି ବ୍ୟବସ୍ଥା କରାଯିବା ଦରକାର ବୋଲି ସେନାପତି କହିଥିଲେ। ଏହା ସହିତ ରାଜ୍ୟର ୩୦ ଜିଲାରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର(ପିଏଚସି)ରେ ଶଯ୍ୟା ନ ଥିବାରୁ ଏଥିପ୍ରତି ଦୃଷ୍ଟି ଦେବାକୁ ସେ ସରକାରଙ୍କୁ ପରାମର୍ଶ ଦେଇଥିଲେ। ସେ ଆହୁରି କହିଥିଲେ ଯେ, ଗ୍ରାମାଞ୍ଚଳରେ ଶିକ୍ଷାର ବିକାଶ ଲାଗି ବିଦ୍ୟାଳୟ ପରିଚାଳନା କମିଟି(ଏସଏମସି)ର ଅବଦାନ ରହିବା ଜରୁରୀ। ସରକାର କମ୍ୟୁନିଟି ଓରିଏଣ୍ଟେଶନ ବଜେଟ ପ୍ରସ୍ତୁତ କରିବା ଉଚିତ।

ଆଲୋଚନାରେ ଭାଗନେଇ ବରିଷ୍ଠ ସାମ୍ବାଦିକ ଦିଲୀପ ବିଶୋୟୀ ଲୋକଙ୍କ ଆୟ ବୃଦ୍ଧି ଉପରେ ଗୁରୁତ୍ଵ ଦେଇଥିଲେ। ଜନସାଧାରଣଙ୍କ ଆୟ ବୃଦ୍ଧି ହୋଇପାରିଲେ ସବୁକିଛି ଠିକ୍‌ ହୋଇପାରିବ ବୋଲି ସେ କହିଥିଲେ। ଏପରି କି ରାଜ୍ୟ ସରକାର ବଜେଟରେ ବ୍ୟୟବରାଦ କରୁଥିବା ଅର୍ଥର ମାତ୍ର ୬୦ରୁ ୭୦ ପ୍ରତିଶତ ଖର୍ଚ୍ଚ ହେଉଥିବାରୁ ଲୋକଙ୍କୁ ଏହାର ସୁଫଳ ମିଳୁ ପାରୁ ନ ଥିବା କହିଥିଲେ। ସେହିପରି କୃଷକଙ୍କ ଆୟ ଉପରେ ମଧ୍ୟ ସେ ଫୋକସ୍‌ କରିଥିଲେ। କୃଷି, ସ୍ବାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରକୁ ବଜେଟରେ ପ୍ରାଧାନ୍ୟ ଦେବାକୁ ସେ ପରାମର୍ଶ ଦେଇଥିଲେ। ସରକାରଙ୍କ ପକ୍ଷରୁ ପ୍ରତିଷ୍ଠା ହେଉଥିବା ମେଡିକାଲ କଲେଜରେ ଅଧ୍ୟାପକ ସମସ୍ୟା ସ୍ବାସ୍ଥ୍ୟସେବାରେ ଅନ୍ତରାୟ ସୃଷ୍ଟି କରୁଥିବା ମଧ୍ୟ ସେ କହିଥିଲେ।

ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ତଥା ପୂର୍ବତନ କେନ୍ଦ୍ର ସଚିବ ଯୁଗଳ କିଶୋର ମହାପାତ୍ର କହିଥିଲେ, ସରକାର ରାଜସ୍ବ ବୃଦ୍ଧି ଉପରେ ଗୁରୁତ୍ବ ଦେବା ଆବଶ୍ୟକ। ଭିତ୍ତିଭୂମି ସୁଦୃଢ଼ ହୋଇପାରିଲେ ରାଜସ୍ବ ବଢ଼ିବ। ସରକାର ଭିତ୍ତିଭୂମି କରୁଛନ୍ତି, କିନ୍ତୁ ତାହାର ଠିକ୍‌ ବ୍ୟବହାର ହୋଇପାରୁ ନାହିଁ। ବଜେଟ ଘୋଷଣା ହୋଇସାରିବା ପରେ ପର୍ଯ୍ୟାୟକ୍ରମେ ତାହାର ଅନୁଧ୍ୟାନ କରାଯିବା ଦରକାର ବୋଲି କହିଥିଲେ।

ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ସଚିବ ପି.କେ. ବିଶ୍ଵାଳ କହିଥିଲେ, ସୀମିତ ଅର୍ଥ ମଧ୍ୟରେ ଏକ ଭଲ ବଜେଟ ପ୍ରସ୍ତୁତ କରାଯିବାକୁ ଚେଷ୍ଟା କରାଯାଉଛି। ସବୁ କ୍ଷେତ୍ରକୁ ସମାନ ପ୍ରାଥମିକତା ଦିଆଯାଉଛି। କିନ୍ତୁ ପ୍ରତି ଥର ଗୋଟିଏ କିମ୍ବା ୨ଟି କ୍ଷେତ୍ରକୁ ସ୍ବତନ୍ତ୍ର ଭାବେ ଗୁରୁତ୍ଵ ଦେବା ଦରକାର। ସଷ୍ଟେନେବଲ ଡେଭଲପମେଣ୍ଟ ଗୋଲ(ଏସଡିଜି) ହାସଲ କେବଳ ସରକାରଙ୍କ ଦ୍ବାରା ସମ୍ଭବ ନୁହେଁ, ଏଥିରେ ନାଗରିକ ସମାଜର ସମ୍ପୃକ୍ତି ରହିବା ଜରୁରୀ। ସରକାରୀ ରାଜସ୍ବ ପର୍ଯ୍ୟାପ୍ତ ନୁହେଁ। ସରକାରଙ୍କ ସିଏସଆର ପାଣ୍ଠି ମଧ୍ୟ ବିନିଯୋଗ ହେବା ଜରୁରୀ।

ଆଲୋଚନା ବେଳେ ଉପସ୍ଥିତ ଜନସାଧାରଣ, ବୁଦ୍ଧିଜୀବୀ, ସାମାଜିକ କର୍ମୀ ଏବଂ ସ୍ତମ୍ଭକାରମାନେ ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟ, ଗ୍ରାମାଞ୍ଚଳରେ ସେମାନଙ୍କ ପାଇଁ ଜରା ନିବାସ ନିର୍ମାଣ ଲାଗି ବଜେଟରେ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦେଇଥିଲେ। ଗ୍ରାମାଞ୍ଚଳରେ ଅନେକ ବୃଦ୍ଧାବୃଦ୍ଧ ଅଛନ୍ତି ଯେଉଁମାନେ ପିଡିଏସ ସାମଗ୍ରୀ ପାଉଥିଲେ ବି ରୋଷେଇ କରି ଖାଇବାକୁ ସମର୍ଥ ନୁହନ୍ତି। ତେଣୁ ସେମାନଙ୍କୁ ଚିହ୍ନଟ କରିବାକୁ ପ୍ରସ୍ତାବ ଦିଆଯାଇଛି। ସ୍ବାସ୍ଥ୍ୟ ସମସ୍ୟାର ଅନୁଧ୍ୟାନ ପାଇଁ ସରକାର କେରଳ ଓ ଅନ୍ୟ  ରାଜ୍ୟ ଭଳି ହେଲ୍‌ଥ ମ୍ୟାପିଂ କରିବାକୁ ସ୍ତମ୍ଭକାର ସାରଳା ଦାସ ପ୍ରସ୍ତାବ ଦେଇଥିଲେ। ସେହିପରି ପିଲାଙ୍କୁ କୁପୋଷଣରୁ ରକ୍ଷା କରିବା ଲାଗି ବଜେଟରେ ଅଧିକ ବ୍ୟୟବରାଦ ସମେତ ୫-ଟିକୁ ଅଧିକ କ୍ରିୟାଶୀଳ କରାଇବା ପାଇଁ ବଜେଟରେ ବ୍ୟବସ୍ଥା କରିବାକୁ ଦାବି ହୋଇଥିଲା।

ଶେଷରେ ଅର୍ଥ ବିଭାଗ ଯୁଗ୍ମ ସଚିବ ସତ୍ୟପ୍ରିୟ ରଥ କହିଥିଲେ, ଗୋଟିଏ ଭଲ ବଜେଟ ପ୍ରସ୍ତୁତ ପାଇଁ ସରକାର ଜନସାଧାରଣଙ୍କ ମତାମତ ଗ୍ରହଣ କରୁଛନ୍ତି। ଜାନୁୟାରୀ ୧୫ ତାରିଖ ପର୍ଯ୍ୟନ୍ତ ଲୋକମାନେ ସେମାନଙ୍କ ମତାମତ ସରକାରଙ୍କ ନିକଟକୁ ପଠାଇପାରିବେ। ବର୍ତ୍ତମାନ ସୁଦ୍ଧା ପ୍ରତିଦିନ ହଜାର ହଜାର ମତାମତର ସମୀକ୍ଷା କରାଯାଉଛି। ବଜେଟ ପ୍ରସ୍ତୁତି ସମୟରେ ସେଗୁଡ଼ିକ ଉପରେ ବିଚାର କରାଯିବ। ଲୋକଙ୍କ ଆବଶ୍ୟକତାକୁ ବଜେଟରେ ଗୁରୁତ୍ଵ ଦିଆଯିବ ବୋଲି ସେ କହିଥିଲେ।

ଆଲୋଚନା ଶେଷରେ ଦୈନିକ ଖବରକାଗଜ ‘ସମାଜ’ର ଏଡିଟୋରିଆଲ ଆଡ୍‌ଭାଇଜର ମହେଶ ଶର୍ମା ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ସେ ରାଜ୍ୟ ସରକାରଙ୍କୁ ବଜେଟ ଘୋଷଣା ପରେ ଏହାର ନିୟମିତ ସମୀକ୍ଷା କରିବା ଲାଗି ପ୍ରସ୍ତାବ ଦେଇଥିଲେ। ଏହା ସହିତ ୨୦୨୦-୨୧ ବଜେଟକୁ ‘ଓଡିଶା ସିଟିଜେନ୍‌ ବଜେଟ’ ନାମରେ ନାମିତ କରିବା ଲାଗି ମଧ୍ୟ ଉପସ୍ଥିତ ଅଧିକାରୀମାନଙ୍କୁ ପ୍ରସ୍ତାବ ଦେଇଥିଲେ। ସିୱାଇଏସଡିର ପ୍ରତିଷ୍ଠାତା ଜଗଦାନନ୍ଦ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ସିୱାଇଏସଡିର ଓଡ଼ିଶା ବଜେଟ ଆଣ୍ଡ ଆକାଉଣ୍ଟେବିଲିଟି ସେଣ୍ଟର(ଓବିଏସି) ପକ୍ଷରୁ ରାଜ୍ୟରେ ପ୍ରାକ୍‌ ବଜେଟ୍‌ ପରାମର୍ଶ ଭିତ୍ତିକ କ୍ୟାମ୍ପେନ କରାଯାଇଥିଲା। ୬ ଜିଲାରେ ୧୫ ଦିନ ଧରି ଏହି କ୍ୟାମ୍ପେନ ଚାଲିଥିଲା। ଏହି ସମୟରେ ସେଣ୍ଟର ପକ୍ଷରୁ ସମାଜର ବିଭିନ୍ନ ବର୍ଗର ପ୍ରାୟ ୪ ହଜାର ଲୋକଙ୍କ ମତାମତ ସଂଗ୍ରହ କରାଯାଇଥିଲା। ତାହାକୁ ଆଧାର କରି ସିୱାଇଏସଡି ରାଜ୍ୟ ବଜେଟରେ ଲୋକଙ୍କ ପ୍ରାଥମିକତାକୁ ଗୁରୁତ୍ଵ ଦେବା ସକାଶେ ସରକାରଙ୍କ ନିକଟରେ​‌ ସେମାନଙ୍କ ଦାବି ଉଠାଇବାକୁ ପ୍ରୟାସ କରିଛି। କ୍ୟାମ୍ପେନ ସମୟରେ ସାମାଜିକ ନିରାପତ୍ତା କାର୍ଯ୍ୟକ୍ରମ, ଏମଜିଏନଆରଇଜିଏସ, ପାନୀୟଜଳ, ବିଦ୍ୟୁତ, ପରିମଳ, ଭୂତଳ ଜଳ, ଶିକ୍ଷା ଓ ଏହାର ଭିତ୍ତିଭୂମି, ସ୍ବାସ୍ଥ୍ୟ କ୍ଷେତ୍ରରେ ଭିତ୍ତିଭୂମି, ମାଗଣା ଔଷଧ, କୃଷକଙ୍କ ଆୟ ଆଦି ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କ ଯୋଜନା ସମ୍ପର୍କରେ ଜନସାଧାରଣଙ୍କ ମତାମତ ନିଆଯାଇଥିଲା। ଜନସାଧାରଣଙ୍କ ଦାବିକୁ ସିୱାଇଏସଡି ପକ୍ଷରୁ ସରକାରଙ୍କୁ ପ୍ରଦାନ କରାଯିବ। ‘ସମାଜ’ ଏହି କାର୍ଯ୍ୟକ୍ରମର ମିଡିଆ ପାର୍ଟନର ରହିଥିଲା।

Comments are closed.