‘ରାଜ୍ୟ ସୀମାକୁ ସରକାର ବନ୍ଦ କରିଦେବା ଜରୁରୀ’

ସମାଜ ପୋର୍ଟାଲ ଡେସ୍କ(ନିରାକାର ସାହୁ): କରୋନା ଭୂତାଣୁ ଏବେ ଓଡ଼ିଶାରେ। ରାଜ୍ୟରେ ଜଣେ ଆକ୍ରାନ୍ତ ଚିହ୍ନଟ ହେବା ପରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଅଧିକାଂଶ ଲୋକ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଅନେକେ ଅବହେଳା ମଧ୍ୟ କରୁଥିବା ଦେଖାଯାଉଛି। ସରକାରଙ୍କ ପକ୍ଷରୁ ମଧ୍ୟ ସତର୍କତାମୂଳକ ପଦକ୍ଷେପ ନିଆଯିବା ସହିତ ଲୋକଙ୍କୁ ନ ଡରିବାକୁ ପରାମର୍ଶ ଦିଆଯାଉଛି। ତେବେ ସରକାରଙ୍କ ବିଭିନ୍ନ ପଦକ୍ଷେପ ଯଥେଷ୍ଟ କି ନୁହେଁ, ସେ ବିଷୟରେ ଜନସାଧାରଣ କ’ଣ କୁହନ୍ତି ଏବଂ ଆହୁରି ଅଧିକ କି ଆକ୍ସନ ପ୍ଲାନ ଜରୁରୀ ସେ ନେଇ ଆମେ ଭେଟିଥିଲୁ ବିଭିନ୍ନ ବର୍ଗର ଲୋକଙ୍କୁ। ସେମାନଙ୍କ ମତାମତ ଏଠାରେ ଉପସ୍ଥାପିତ।

ଆଗୁଆ ପଦକ୍ଷେପ ନେବା ଜରୁରୀ ଥିଲା

– ରାଜ୍ୟ ସରକାର ବିଶେଷ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଭୂତାଣୁର ମୁକାବିଲା ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ସ୍ବାଗତଯୋଗ୍ୟ। କିନ୍ତୁ ସରକାର ଏ କ୍ଷେତ୍ରରେ କିଛିଟା ବିଳମ୍ବ କରିଦେଲେ। ଡିସେମ୍ବର ମାସରୁ ଏହି ଭୂତାଣୁ ବ୍ୟାପିଥିବାରୁ ସରକାର ଆଗୁଆ ପଦକ୍ଷେପ ନେବାର ଥିଲା। କେରଳରେ ଯେତେବେଳେ ପ୍ରଥମେ ଭୂତାଣୁ ଚିହ୍ନଟ ହେଲା ସେବେଠାରୁ ସରକାର ସତର୍କତାର ସହିତ କାମ କରିବାର ଥିଲା।

– ବେଣୁଧର ସାହୁ, କର୍ମଜୀବୀ ଭୁବନେଶ୍ଵର

ଚୀନ ଭଳି ପଦକ୍ଷେପ ନେବା ଆବଶ୍ୟକ

– ଚୀନର ହୁବେଇ ରାଜ୍ୟରୁ ଯେତେବେଳେ ଭୂତାଣୁ ବ୍ୟାପିବା ଆରମ୍ଭ ହେଲା, ତତ୍‌କ୍ଷଣାତ ସେଠାକାର ସରକାର ଉକ୍ତ ରାଜ୍ୟକୁ ସିଲ୍‌ କରିଦେଲେ। ଫଳରେ ସେଠାରୁ କୌଣସି ନାଗରିକ ବାହାରକୁ ଗଲେ ନାହିଁ କି ଅନ୍ୟ କୌଣସି ସ୍ଥାନରୁ ଉକ୍ତ ରାଜ୍ୟକୁ କେହି ଆସିଲେ ନାହିଁ। ଫଳରେ ଚୀନର ଅନ୍ୟ ରାଜ୍ୟରେ କରୋନାର ପ୍ରଭାବ ସାଙ୍ଘାତିକ ହେଲା ନାହିଁ। ତେଣୁ ଓଡ଼ିଶା ସରକାର ବି କାଳ ବିଳମ୍ବ ନ କରି ଏଭଳି ପଦକ୍ଷେପ ନେବା ଉଚିତ। ସରକାର ଓଡ଼ିଶାକୁ ସିଲ୍‌ କରିବା ଜରୁରୀ।

– ଶୁଭାଶିଷ ନାୟକ, କମ୍ପିଟିଟିଭ୍‌ ଛାତ୍ର, ଭୁବନେଶ୍ଵର

ସରକାର ସୀମା ସିଲ୍‌ କରନ୍ତୁ

– ଯେହେତୁ ମଣିଷ ନିଜେ ଏହି ଭୂତାଣୁର ବାହକ, ତେଣୁ ସରକାର ତୁରନ୍ତ ଓଡ଼ିଶାକୁ ସିଲ୍‌ କରିଦେବା ଆବଶ୍ୟକ। କାରଣ ସରକାର ଯେତେବେଳେ ଏହାକୁ ରାଜ୍ୟ ବିପତ୍ତି ବୋଲି ଘୋଷଣା କରିଛନ୍ତି, ସେହି ଅନୁଯାୟୀ ପଦକ୍ଷେପ ନେବା ଦରକାର। କେବଳ ଘୋଷଣା କରିଦେଲେ ହେବନି। ଆମ ରାଜ୍ୟରୁ କେହି ବାହାରକୁ ଯିବା ଉଚିତ ନୁହେଁ, କି ଅନ୍ୟ ରାଜ୍ୟ କିମ୍ବା ଦେଶରୁ କେହି ଏଠାକୁ ଆସିବା ଉଚିତ ନୁହେଁ। ନିଦ୍ଧାରିତ ସମୟ ପାଇଁ ଏହାକୁ ବଳବତ୍ତର ରଖାଯିବା ଦରକାର। ଯଦି କେହି ଆମ ରାଜ୍ୟର ଲୋକ ବାହାରକୁ ଘରକୁ ଫେରିବାକୁ ଚାହୁଁଛନ୍ତି, ତେବେ ସରକାର ଏ ଦିଗରେ ବିଶେଷ ଭାବେ ପଦକ୍ଷେପ ନିଅନ୍ତୁ, ଯେମିତି ଗଞ୍ଜାମର ଶିବାଷିଶ ନାୟକଙ୍କ କ୍ଷେତ୍ରରେ ନିଆଗଲା।

– ସୌଭାଗ୍ୟଲକ୍ଷ୍ମୀ ରଥ, ଛାତ୍ରୀ, ପୁରୀ

ବାହାର ରାଜ୍ୟ ଏବଂ ବିଦେଶୀ ନାଗରିକଙ୍କ ପ୍ରବେଶ ଉପରେ ସାମୟିକ କଟକଣା ଲାଗୁ ହେଉ

– କରୋନା ଭୂତାଣୁକୁ ନେଇ ଆତଙ୍କିତ ହୋଇ ଅନ୍ୟକୁ ଭୟଭୀତ କରିବା ଠିକ୍‌ ନୁହେଁ। ସମସ୍ତେ ସରକାର ଏବଂ ଡାକ୍ତରମାନଙ୍କ ଦ୍ବାରା ଜାରି ପରାମର୍ଶବଳୀକୁ ଅନୁସରଣ କରିବା ଆବଶ୍ୟକ। ତେବେ ଓଡ଼ିଶାରେ ପୁରୀ, କୋଣାର୍କ ଏବଂ ଏକାମ୍ରକ୍ଷେତ୍ର ଭଳି ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଥିବାରୁ ବିଦେଶୀ ପର୍ଯ୍ୟଟକ ଏବଂ ଅନ୍ୟ କରୋନା ପ୍ରଭାବିତ ରାଜ୍ୟରୁ ଲୋକମାନେ ଆସୁଛନ୍ତି। ତେଣୁ ସରକାର ଏହାକୁ ଗମ୍ଭୀରତାର ସହ ନେଇ ସେମାନଙ୍କର ପ୍ରବେଶ ଉପରେ ସାମୟିକ କଟକଣା ଲଗାଇବା ସହିତ ରାଜ୍ୟର ସମସ୍ତ ସୀମାକୁ ସିଲ୍‌ କରିଦେବା ଜରୁରୀ। ସରକାର ଭାବୁଥିବେ ସ୍ଥିତି ଜଟିଳ ହୋଇନାହିଁ। କିନ୍ତୁ ଜଟିଳ ହେବା ପୂର୍ବରୁ କଠୋର ପଦକ୍ଷେପ ନେଲେ ଭଲ। କାରଣ ଭୂତାଣୁ କେତେବେଳେ ବ୍ୟାପିବ କହିହେବ ନାହିଁ। ଚୀନର ପରିସ୍ଥିତି ବିଷୟରେ ସମସ୍ତ ଦେଶ ଅବଗତ ଥିଲେ। କିନ୍ତୁ କେହି କଠୋର ପଦକ୍ଷେପ ନେଲେ ନାହିଁ। ଏବେ ଇଟାଲୀ, ଇରାନ ଏବଂ ଆମେରିକା ଭଳି ରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଭାରତରେ ବି ଦିନକୁ ଦିନ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇଲାଣି। ତେଣୁ ଓଡ଼ିଶା ସରକାର ସୁଚିନ୍ତିତ ପଦକ୍ଷେପ ନିଅନ୍ତୁ।

– ମଣ୍ଟୁ ବିଶ୍ଵାଳ, ଶିକ୍ଷକ

ନିଜେ ସୁରକ୍ଷିତ ରହି ଅନ୍ୟକୁ ସୁରକ୍ଷିତ ରଖିବା ଆମ ଦାୟିତ୍ଵ

– ଯେହେତୁ ଏହି ଭୂତାଣୁ ଛୁଇଁବା ଦ୍ବାରା ଅଧିକ ବ୍ୟାପୁଛି ତେଣୁ ସମସ୍ତେ ଏ ନେଇ ସଚେତନ ହେବା ନିହାତି ଆବଶ୍ୟକ। ସରକାରଙ୍କ ଯେଉଁସବୁ ଗାଇଡ୍‌ଲାଇନ ରହିଛି ତାହାକୁ ଲୋକେ କଠୋର ଭାବେ ପାଳନ କରିବା ଉଚିତ। ସାଧାରଣ ନାଗରିକ ହିସାବରେ ଆମେ ନିଜେ ସୁରକ୍ଷିତ ରହି ଅନ୍ୟକୁ ସୁରକ୍ଷିତ ରଖିବା ଆମ ଦାୟିତ୍ଵ ଏବଂ କର୍ତ୍ତବ୍ୟ। ରାଜ୍ୟବାସୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଲାଗି ସରକାର ସବୁ ଦିଗକୁ ଦୃଷ୍ଟି ଦେଇ ଯୁଦ୍ଧକାଳୀନ ଭିତ୍ତିରେ ପରିସ୍ଥିତିର ମୁକାବିଲା କରିବା ନିତାନ୍ତ ଆବଶ୍ୟକ।

– ଜୟଶ୍ରୀ ସ୍ବାଇଁ, ପିପିଲି

ପ୍ରମୁଖ ଷ୍ଟେଶନ ଓ ବସ୍‌ଷ୍ଟାଣ୍ଡରେ ସ୍କ୍ରିନିଂ ବ୍ୟବସ୍ଥା ହେଉ

– ସତର୍କତା ଅବଲମ୍ବନ କରିବାକୁ ସରକାର ବସ୍‌ରେ ଓଭରଲୋଡିଂ ଉପରେ କଟକଣା ଲାଗୁ କରିଛନ୍ତି। କିନ୍ତୁ ପର୍ଯ୍ୟାପ୍ତ ଗମନାଗମନ ସୁବିଧା ନ ଥିବାରୁ ଲୋକେ ବାଧ୍ୟ ହୋଇ ବସ୍‌ରେ ଭିଡ଼ରେ ଯାତ୍ରା କରୁଛନ୍ତି। ଟ୍ରେନ କଥା ନ କହିବା ଭଲ। ଭୁବନେଶ୍ଵର ଷ୍ଟେଶନରେ ବାହାରୁ ଆସୁଥିବା ଯାତ୍ରୀଙ୍କୁ ଥର୍ମାଲ ସ୍କ୍ରିନିଂ କରିବାର ବ୍ୟବସ୍ଥା ନ ଥିବାରୁ ସେହି ଯାତ୍ରୀମାନଙ୍କୁ ଯାଞ୍ଚ କରାଯାଇ ପାରୁନାହିଁ। ତେଣୁ ଏହା ସରକାରଙ୍କ ସ୍ବତନ୍ତ୍ର ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ସରକାର ସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବା ଦରକାର।

– ଦୀପକ ସାହୁ, କଷ୍ଟ ମ୍ୟାନେଜମେଣ୍ଟ ଆକାଉଣ୍ଟାଣ୍ଟ

ସୀମାକୁ ବନ୍ଦ କରିଦେଲେ ସହଜରେ ମୁକାବିଲା କରିହେବ

– ନିର୍ଦ୍ଧାରିତ ସମୟ ପାଇଁ ରାଜ୍ୟକୁ ସିଲ୍‌ କରିଦେବା ଦରକାର। ଆମ ରାଜ୍ୟରୁ କୌଣସି ବ୍ୟକ୍ତି ବାହାରକୁ ଯିବା ଅନୁଚିତ। ସେହିପରି ବାହାର ରାଜ୍ୟ କିମ୍ବା ବିଦେଶରୁ ଯଦି କୌଣସି ଲୋକ ଘରକୁ ଫେରୁଛନ୍ତି, ତେବେ​‌ ସେ ଉପଯୁକ୍ତ ବ୍ୟବସ୍ଥା ଭିତରେ ଆସନ୍ତୁ। ସେମାନଙ୍କୁ ଆଣିବା ଲାଗି ସରକାର ସ୍ବତନ୍ତ୍ର ପଦକ୍ଷେପ ନିଅନ୍ତୁ। ରାଜ୍ୟର ସମସ୍ତ ସୀମାକୁ ବନ୍ଦ କରିଦେଲେ କରୋନାକୁ ସହଜରେ ମୁକାବିଲା କରାଯାଇ ପାରିବ। ଭୂତାଣୁ ଅଧିକ ବ୍ୟାପିବା ପୂର୍ବରୁ ଏ ଦିଗରେ ଚିନ୍ତା କରିବା ନିହାତି ଦରକାର।

– ଜୟନ୍ତ ବେହେରା, କର୍ମଜୀବୀ

Comments are closed.