କାମ ମନ୍ଥର: ବିକଳ୍ପ ରାସ୍ତା ନେଇ ଚିନ୍ତାରେ ଗ୍ରାମବାସୀ

ଲୋଇସିଂହା: ଆଗାମୀ ପ୍ରାୟ ୨/୩ ମାସ ମଧ୍ୟରେ ଲୋଇସିଂହା ଓ ଖଲିଆପାଲି ଷ୍ଟେସନ ମଧ୍ୟରେ ଦ୍ୱିତୀୟ ଲାଇନ କାମ ସଂପୂର୍ଣ୍ଣ ହୋଇ ଟ୍ରେନ ଚଳାଚଳ ହେବା ସମ୍ଭାବନା ରହିଛି। ଏଥିପାଇଁ ଠିକାଦାର ସମେତ ବିଭାଗୀୟ କର୍ମକର୍ତ୍ତା ମଧ୍ୟ କାମ ସମ୍ପୂର୍ଣ କରିବା ପାଇଁ ଜୋରଦାର ଉଦ୍ୟମ କରିଛନ୍ତି। ଏବେ ବରପାଲିରୁ ଖଲିଆପାଲି ପର୍ଯ୍ୟନ୍ତ ଦ୍ୱିତୀୟ ଲାଇନରେ ଟ୍ରେନ ଚଳାଚଳ କରୁଛି। ଖୁବ ଶିଘ୍ର ଏହା ଲୋଇସିଂହା ପର୍ଯ୍ୟନ୍ତ ବୃଦ୍ଧି ପାଇବ। ମାତ୍ର ଗ୍ରାମବାସୀ ଗେଟ୍‍ ପାରି ହେବା ପାଇଁ ବିକଳ୍ପ ରାସ୍ତା ନିର୍ମାଣ ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ଜୋର ଦେଉ ନ ଥିବାରୁ ଲୋଇସିଂହା ଗ୍ରାମବାସୀଙ୍କ ଦୁର୍ଦ୍ଦଶା ବୃଦ୍ଧି ପାଇବା ଆଶଙ୍କା ଦେଖା ଦେଇଛି। ଲୋଇସିଂହାର ପ୍ରାୟ ସମସ୍ତ ସରକାରୀ/ ବେସରକାରୀ ଅନୁଷ୍ଠାନ, ବ୍ୟାଙ୍କ, ସ୍ୱାସ୍ଥ୍ୟକେନ୍ଦ୍ର, ସ୍କୁୂଲ କଲେଜ, ବସ୍‍ ଷ୍ଟାଣ୍ଡ, ରେଲୱେ ଷ୍ଟେସନ ଆଦି ଗେଟ୍‍ର ଆର ପଟେ ରହିଥିବା ବେଳେ ଗେଟ୍‍ର ଅନ୍ୟ ପଟେ ଲୋଇସିଂହା ଜନ ବସତି ସହ ସାପ୍ତାହିକ ବଜାର, ଶିଶୁ/ବିଦ୍ୟା ମନ୍ଦିର, ପୋଷ୍ଟ ଅଫିସ ଆଦି ରହିଛି। ଏବେ ଗୋଟିଏ ମାତ୍ର ଲାଇନରେ ଟ୍ରେନ ଚଳାଚଳ କରୁଥିବା ଏବଂ ଷ୍ଟେସନ କଂଟ୍ରୋଲରେ ଗେଟ୍‍ ବନ୍ଦ ଥିବା ବେଳେ ଗୋଟିଏ ଟ୍ରେନ ଯାତାୟାତ ବେଳେ ଗ୍ରାମବାସୀ ଙ୍କୁ ୧୫ରୁ ୨୦ ମିନିଟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଛି। ଗେଟର ଉଭୟ ପାର୍ଶ୍ବରେ ଶତାଧିକ ଗାଡି ମଟର ସହ ବହୁ ଲୋକ ଅଟକ ରହୁଥିବା ପରିଲକ୍ଷିତ ହେଉଛି। ଦୁଇଟି ଯାକ ଲାଇନ କାର୍ଯ୍ୟକ୍ଷମ ହେଲେ ଏଠାରେ ଅଧିକ ସଂଖ୍ୟାରେ ଟ୍ରେନ ଚଳାଚଳ କରିବା ସମ୍ଭାବନା ଥିବାରୁ ଦୀର୍ଘ ସମୟ ଧରି ଗେଟ୍‍ ବନ୍ଦ ରହିବା ଆଶଙ୍କା ରହିଛି। ଗ୍ରାମବାସୀ ଙ୍କ ପାଇଁ ଅନ୍ୟ ବିକଳ୍ପ ରାସ୍ତା ନ ଥିବାରୁ ଛାତ୍ର/ଛାତ୍ରୀ ମାନେ ନିର୍ଦ୍ଦିଷ୍ଟ ସମୟରେ ସ୍କୁଲ କଲେଜ ଯିବାରେ ବହୁ ହଇରାଣ ହେବା ସହ ଗ୍ରାମର ରୋଗୀଙ୍କୁ ଜରୁରୀ ଚିକତ୍ସା ଯୋଗାଇବାରେ ବ୍ୟାଘାତ ସୃଷ୍ଟି ହେବ ଆଶଙ୍କା କରାଯାଉଛି।

ଏଠାରେ ଓଭରବ୍ରିଜ ନିର୍ମାଣ ପାଇଁ ଗ୍ରାମବାସୀ ଙ୍କ ପକ୍ଷରୁ ଦାବୀ ହେଉଥିବା ବେଳେ କୁଆଡେ ଗେଟ୍‍ ଠାରୁ ପ୍ରାୟ ୧୦୦ ମିଟର ଦୂରରେ ଭୂତଳ ରାସ୍ତା ନିର୍ମାଣ କରାଯିବା ନେଇ ଗତ ବର୍ଷ ବିଭାଗୀୟ ବରିଷ୍ଠ ଅଧିକାରୀ ମଧ୍ୟ ସ୍ଥାନ ପରିଦର୍ଶନ କରି ଯାଇଛନ୍ତି। ତେବେ କାମ ଏତେ ମନ୍ଥର ଗତିରେ ଚାଲିଛି ଯେ, ଭୂତଳ ରାସ୍ତା କେବେ ସଂପୂର୍ଣ୍ଣ ହୋଇ କାର୍ଯ୍ୟକ୍ଷମ ହେବ ତାହା ଜଣା ପଡୁ ନାହିଁ। ଉକ୍ତ ବିକଳ୍ପ ରାସ୍ତା ଖୁବ୍‍ ଶିଘ୍ର ନ ହେଲେ ଲୋଇସିଂହା ଗ୍ରାମବାସୀଙ୍କ ଦୁର୍ଦ୍ଦଶା ବୃଦ୍ଧି ପାଇବ ବୋଲି ମତ ପ୍ରକାଶ ପାଉଛି।

Comments are closed.