ସମଦୂରତା ମାନୁନାହାନ୍ତି ଅମାନିଆ

ସୁଆଣ୍ଡୋ: କରୋନା ସଂକ୍ରମଣକୁ ନେଇ ସାରା ପୃଥିବୀ ତ୍ରାହି ତ୍ରାହି ଡାକ ଛାଡୁଥିବା ବେଳେ କେତେକ ଅମାନିଆ ଲକଡାଉନ ନିୟମ ଉଲ୍ଲଂଘନ କରିବା ସହିତ ଅନ୍ୟମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛନ୍ତି। ଏହି ଘଟଣା ଦେଖିବାକୁ ମିଳୁଛି ସତ୍ୟବାଦୀ ବ୍ଲକ ଅଞ୍ଚଳରେ। ଦେଶରେ ଲକଡାଉନ ବଳବତ୍ତର ରହିଥିବା ବେଳେ ସମଦୂରତା ବଜାୟ ରଖିବା ଏବଂ ମାସ୍କ ପିନ୍ଧିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବାଧ୍ୟତାମୂଳକ କରାଯିବା ସହିତ ସଚେତନ କରାଯାଉଛି। ହେଲେ ସାକ୍ଷୀଗୋପାଳ ବଜାର ସହିତ ଗ୍ରାମାଞ୍ଚଳରେ ଏହାର କୌଣସି ପ୍ରଭାବ ପଡ଼ୁ ନ ଥିବା ଦେଖିବାକୁ ମିଳିଛି। ଅନେକ ଲୋକ ନିୟମକୁ ଫୁ କରି ଉଡ଼ାଇ ଦେଉଛନ୍ତି। ପରିବାର ଦୋକାନଠାରୁ ଆରମ୍ଭ କରି ବିଭିନ୍ନ ଅତ୍ୟାବଶ୍ୟକ ସାମ୍ରଗ ଉପଲବ୍ଧ ହେଉଥିବା ଦୋକାନ ନିକଟରେ ଲୋକଙ୍କ ଭିଡ଼ ଜମୁଛି। ଲୋକମାନେ ପାଖାପାଖି ଛିଡ଼ାହୋଇ ପରିବା କିଣୁଛନ୍ତି। ଅଧିକାଂଶଙ୍କ ମୁହଁରେ ମାସ୍କ ରହୁନାହିଁ। ସତ୍ୟବାଦୀ ବ୍ଲକ ପ୍ରଶାସନ ପକ୍ଷରୁ ଘନ ଘନ ପାଟ୍ରୋଲିଂ କରାଯାଉଛି। ହେଲେ କଠୋରତା କମିଯାଉଥିବାରୁ ଗାଁ ମୁଣ୍ଡରେ ବାଡ଼ ପକାଇ ଯୁବକମାନେ କ୍ରିକେଟ, ତାସ୍‌ ଖେଳିବା ସାଙ୍ଗକୁ ଭୋଜିଭାତ କରୁଛନ୍ତି। ପ୍ରଶାସନ ପକ୍ଷରୁ ପୂର୍ବପରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ସତ୍ୟବାଦୀର ସ୍ଥିତି ବିଗିଡିଯିବାର ଆଶଙ୍କା ରହିଥିବା ସ୍ଥାନୀୟ ବୁଦ୍ଧିଜୀବୀଙ୍କ ପକ୍ଷରୁ କୁହାଯାଇଛି।

Comments are closed.