ଖବରକାଗଜ ପ୍ରସାରଣ କରାଇ ନ ଦେବାକୁ ଅପଚେଷ୍ଟା

ବିତରକଙ୍କ ନଁାରେ ଭୁବନେଶ୍ବରରେ ଅସାମାଜିକଙ୍କ ଆତଙ୍କରାଜ

-ବିତରକଙ୍କୁ ପଞ୍ଜୀକରଣ, ବୀମା ଓ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇଦେବାକୁ ସରକାରଙ୍କୁ ‘ସମାଜ’ର ପ୍ରସ୍ତାବ
-ଲକ୍‌ଡାଉନ୍‌ (ତାଲାବନ୍ଦୀ) ସମୟରେ ବିତରକ ବନ୍ଧୁମାନଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ‘ସମାଜ’ ନିଜସ୍ବ ବିତରଣ କେନ୍ଦ୍ର ଖୋଲି ପାଠକପାଠିକାଙ୍କୁ ସିଧାସଳଖ ଖବର କାଗଜ ପହଞ୍ଚାଇବା ବ୍ୟବସ୍ଥା କରିଛି

ଭୁବନେଶ୍ୱର : କୋଭିଡ-୧୯ ସଂକ୍ରମଣ ପରିସ୍ଥିତିରେ ସରକାର ଉଭୟ ପ୍ରିଣ୍ଟ ଓ ଇଲେକଟ୍ରୋନିକ୍ସ ଗଣମାଧ୍ୟମକୁ ଅତ୍ୟାବଶ୍ୟକ ସେବାଭୁକ୍ତ କରିଛନ୍ତି। ଏଭଳି ଦୁର୍ଦ୍ଦିନରେ ଜନସାଧାରଣଙ୍କ ନିକଟରେ ଯେଭଳି ସଠିକ ତଥ୍ୟ ଓ ସୂଚନା ପହଞ୍ଚିପାରିବ ସେଥିଲାଗି କେନ୍ଦ୍ର ଓ ରାଜ୍ୟ ସରକାର ଖବରକାଗଜ ପ୍ରକାଶନକୁ ପ୍ରାଥମିକତା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖବରକାଗଜ ସମ୍ପାଦକମାନଙ୍କ ସହିତ ଆଲୋଚନା କରିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଗଣମାଧ୍ୟମର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି; କିନ୍ତୁ କିଛି ଅସାମାଜିକ ବ୍ୟକ୍ତି ଖବରକାଗଜ ପ୍ରସାରଣ କରାଇନଦେବାକୁ ଅପଚେଷ୍ଟା ଚଳାଇଛନ୍ତି। ଏହାଦ୍ବାରା ପାଠକମାନେ ଖବରକାଗଜରୁ ବଞ୍ଚିତ ହେବା ସହ ବିତରକବନ୍ଧୁମାନଙ୍କ ଜୀବିକା ଉପାର୍ଜନରେ କ୍ଷତି ପହଞ୍ଚିଛି।
ସମ୍ପ୍ରତି କରୋନା ମହାମାରୀ ଭଳି ବୈଶ୍ୱିକ ବିପର୍ଯ୍ୟୟ କାଳରେ କିଛି ଖବରକାଗଜ ନିଜର ଅସହାୟତା ପ୍ରକାଶ କରି ପ୍ରକାଶନ ସମ୍ପୂର୍ଣ୍ଣ ବନ୍ଦ ରଖିଛନ୍ତି। ମାତ୍ର ସମସ୍ତ ପ୍ରତିକୂଳ ପରିସ୍ଥିତିରେ ଲୋକଙ୍କ ନିକଟରେ ସଠିକ ସୂଚନା ଓ ତଥ୍ୟ ପହଞ୍ଚାଇବା  ପାଇଁ ‘ସମାଜ’ ଓ ଅନ୍ୟ କିଛି ଖବରକାଗଜ ନିଜର ପ୍ରକାଶନ ଜାରି ରଖିଛନ୍ତି। ବିଶେଷକରି ଖବରକାଗଜ କ୍ଷେତ୍ରରେ କାର୍ଯ୍ୟରତ ଏହାର ବିତରକ, ସାମ୍ବାଦିକ, ସହସମ୍ପାଦକ, କାର୍ଯ୍ୟାଳୟର ଅନ୍ୟ ସମସ୍ତ କର୍ମଚାରୀ, ଖବରକାଗଜ ପରିବହନରେ ନିୟୋଜିତ କର୍ମଚାରୀ ଏବଂ ପରିଚାଳକ, ସମ୍ପାଦକଙ୍କ ପର୍ଯ୍ୟନ୍ତ ସମସ୍ତେ ଉତ୍ସର୍ଗୀକୃତ ଭାବେ ନିଜ କର୍ତ୍ତବ୍ୟ ପ୍ରତି ପ୍ରତିବଦ୍ଧତା ବଜାୟ ରଖିଛନ୍ତି।
କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଗଣମାଧ୍ୟମ ଯେଭଳି ବିନା ବାଧାରେ କାର୍ଯ୍ୟ କରିବ ସେଥିପାଇଁ ସମସ୍ତ ବ୍ୟବସ୍ଥା କରୁଛନ୍ତି। ଲକ୍‍ଡାଉନ (ତାଲାବନ୍ଦୀ) ସମୟରେ ଗଣମାଧ୍ୟମର ପ୍ରତିନିଧି ଓ ସଂପୃକ୍ତ ବ୍ୟକ୍ତିବିଶେଷଙ୍କୁ ସରକାର ପାସ୍‍ ଯୋଗାଇଛନ୍ତି। ବିତରକମାନେ ସକାଳୁ ଯେପରି ଖବରକାଗଜ ସୁରୁଖୁରୁରେ ପାଠକଙ୍କ ନିକଟରେ ପହଞ୍ଚାଇପାରିବେ ସେଥିପାଇଁ ସେମାନଙ୍କୁ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଲକ୍‍ଡାଉନ କଟକଣାରୁ ମୁକ୍ତ ରଖାଯାଇଛି। ସରକାର ନିୟମିତ ଭାବେ ଖବରକାଗଜ ପ୍ରକାଶନ ଏବଂ ପ୍ରସାରଣକୁ ପ୍ରାଧାନ୍ୟ ଦେଉଛନ୍ତି। ବିତରଣ ସମସ୍ୟାକୁ ହୃଦୟଙ୍ଗମ କରି ରାଜ୍ୟର ବହୁଳ ପ୍ରସାରିତ ଦୈନିକ ଖବରକାଗଜ ‘ସମାଜ’ ପକ୍ଷରୁ ବିତରକ ଭାଇମାନଙ୍କ ପାଇଁ ପରିଚୟପତ୍ର ପ୍ରଦାନ କରିଛି। ଏଥିସହିତ ସେମାନଙ୍କ ସ୍ୱାସ୍ଥ୍ୟଗତ ଦିଗକୁ ମଧ୍ୟ ଦୃଷ୍ଟିଦେଇ ସେମାନଙ୍କୁ ମାସ୍କ, ସାନିଟାଇଜର, ଗ୍ଲୋବ୍‍ସ ଆଦି ଯୋଗାଇ ଦିଆଯାଇଛି। ଏପରିକି ଯେଉଁସବୁ ସ୍ଥାନରେ ବିତରକ ବନ୍ଧୁମାନେ କରୋନା ପ୍ରତିଷେଧକ ତଥା ଲକ୍‌ଡାଉନ୍‌ କାରଣରୁ ‘ସମାଜ’ ବିତରଣ କରିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି, ସେ କ୍ଷେତ୍ରରେ ସେମାନଙ୍କ ନିଷ୍ପତ୍ତିକୁ ‘ସମାଜ’ କର୍ତ୍ତୃପକ୍ଷ ସମ୍ମାନ ଜଣାଇବା ସହିତ ନିଜସ୍ୱ ଉଦ୍ୟମରେ ‘ସେଲ୍‍ସ ପଏଣ୍ଟ’ (ବିତରଣ କେନ୍ଦ୍ର) ଜରିଆରେ ପାଠକଙ୍କ ନିକଟରେ ଯଥା ସମ୍ଭବ ଖବରକାଗଜ ପହଞ୍ଚାଇବା ବ୍ୟବସ୍ଥା କରିଛନ୍ତି। ଏସବୁ ସହିତ ବିତରକ ବନ୍ଧୁମାନଙ୍କ ପଞ୍ଜୀକରଣ କରିବା ସହିତ ସେମାନଙ୍କ ପାଇଁ ବୀମା ଓ ଅନ୍ୟାନ୍ୟ ମୌଳିକ ସୁବିଧା ସୁଯୋଗ ଯୋଗାଇଦେବାକୁ ‘ସମାଜ’ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହା କାର୍ଯ୍ୟକାରୀ ହେଲେ ସମଗ୍ର ରାଜ୍ୟର ବିତରକ ଭାଇମାନେ ଉପକୃତ ହେବେ।
ରାଜ୍ୟର ଗାଁ ଗହଳିଠାରୁ ଆରମ୍ଭକରି ସହର ପର୍ଯ୍ୟନ୍ତ ସବୁଠି ଲୋକମାନେ ସକାଳୁ ଖବରକାଗଜରୁ ସଠିକ ସୂଚନା ଜାଣିବାକୁ ଚାହୁଁଛନ୍ତି। ସୋସିଆଲ ମିଡିଆରେ ଅନେକ ସମୟରେ ବିଭ୍ରାନ୍ତକାରୀ ଖବର ଏବଂ ଗୁଜବ ପ୍ରସାରିତ ହେଉଥିବାରୁ ଦାୟିତ୍ୱସଂପନ୍ନ ଗଣମାଧ୍ୟମ ଭାବରେ ଖବରକାଗଜ ହିଁ ଲୋକଙ୍କର ବିଶ୍ୱାସଭାଜନ ହୋଇ ରହିଛି। ଲୋକଙ୍କର ସମସ୍ୟା ଓ ଅଭାବ ଅସୁବିଧା ମଧ୍ୟ ଖବରକାଗଜ ଜରିଆରେ ସରକାରଙ୍କ ପାଖରେ ପହଞ୍ଚାଯାଉଛି। ଉଭୟ ପ୍ରିଣ୍ଟ ଓ ଇଲେକଟ୍ରୋନିକ୍ସ ମିଡିଆର ଦାୟିତ୍ୱ ବଢିଛି ଏବଂ ସେମାନେ ନିଜ ନିଜର କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି।
ଏଭଳି ସ୍ଥିତିରେ ଗତ କିଛିଦିନ ହେଲା ଲୋକଙ୍କ ନିକଟରେ ଖବରକାଗଜ ପହଞ୍ଚାଇନଦେବାକୁ ରାଜଧାନୀ ଭୁବନେଶ୍ୱରରେ ବିଧିବଦ୍ଧ ଅପଚେଷ୍ଟା କରାଯାଉଛି। ସକାଳୁ ବିତରକମାନେ ଖବରକାଗଜ ବିତରଣ କରିବାକୁ ବାହାରିବା ବେଳକୁ ସେମାନଙ୍କୁ ପ୍ରତିରୋଧ କରାଯାଉଛି। ସେମାନଙ୍କ ହାତରୁ ଖବରକାଗଜ ଛଡାଇ ନିଆଯାଉଛି ଏବଂ ଜୋର ଜବରଦସ୍ତ ସେମାନଙ୍କୁ ଅଟକାଇ ରଖାଯାଉଛି। କିଛିସ୍ଥାନରେ ଖବରକାଗଜ ଛଡାଇନେଇ ଫୋପାଡି ଦିଆଯାଉଛି। ଯେଉଁ ପାଠକମାନେ ସକାଳୁ ସକାଳୁ ଖବରକାଗଜ କିଣିବାକୁ ଆସୁଛନ୍ତି ସେମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ସହିତ ଧମକ ଚମକ ଦିଆଯାଉଛି। ବିତରକମାନଙ୍କ ନାଁରେ କିଛି ଅସାମାଜିକ ବ୍ୟକ୍ତିବିଶେଷ ଏଭଳି ଆତଙ୍କରାଜ ଚଳାଇଛନ୍ତି। ଫଳରେ ଖବରକାଗଜ ଅନେକ ପାଠକଙ୍କ ନିକଟରେ ପହଞ୍ଚିପାରୁନାହିଁ। ସୂଚନାଯୋଗ୍ୟ ଯେ ଭୁବନେଶ୍ୱରରେ ବିତରକ ଭାଇମାନଙ୍କ ପାଇଁ ପାଞ୍ଚଟି ବିତରଣସ୍ଥଳ ରହିଥିବାବେଳେ ସମ୍ପ୍ରତି କେବଳ ମାଷ୍ଟରକ୍ୟାଣ୍ଟିନ ଏବଂ ଚନ୍ଦ୍ରଶେଖରପୁର ବିତରଣସ୍ଥଳ କାର୍ଯ୍ୟକ୍ଷମ ହୋଇଛି। ଅନ୍ୟ ତିନିଟି ସ୍ଥାନ ଯଥା ଖଣ୍ଡିଗିରି, ସିଆରପି ଛକ ଏବଂ ଓଲ୍‍ଡ ଟାଉନରେ ବିତରଣସ୍ଥଳଗୁଡିକ କାର୍ଯ୍ୟକ୍ଷମ ହୋଇପାରିନାହିଁ।
ଭୁବନେଶ୍ୱରରେ କିଛିଦିନ ହେଲା କ୍ରମାଗତ ଭାବେ ଏହିଭଳି ଚାଲିଥିବାବେଳେ ପୁଲିସ ସହାୟତା ଲାଗି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀଙ୍କର ଦୃଷ୍ଟି ଆକର୍ଷଣ କରାଯାଇଛି। ସେ ଏହାକୁ ଗୁରୁତ୍ବର ସହ ନେଇ ଆବଶ୍ୟକ ସ୍ଥଳେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିଷ୍ଠିତ ‘ସମାଜ’ ସର୍ବଦା ଦୁସ୍ଥ ଓ ଅସହାୟ ଲୋକଙ୍କ ସେବା କରିଆସିଛି। ବିଭିନ୍ନ ସମୟରେ ବିଭିନ୍ନ ବର୍ଗର ଲୋକଙ୍କୁ ‘ସମାଜ’ ସହାୟତା ଯୋଗାଇ ଦେଇଆସୁଥିବାବେଳେ ବିତରଣ ସହ ସଂଶ୍ଳିଷ୍ଟ ବ୍ୟକ୍ତିମାନଙ୍କ ଆବଶ୍ୟକତା ସମୟରେ ମଧ୍ୟ ସେମାନଙ୍କୁ ବିଶେଷଭାବେ ସୁରକ୍ଷା ଓ ସେବା ଯୋଗାଇ ଆସିଛି।

Comments are closed.