ଜନସାଧାରଣ କ୍ୱାରେଣ୍ଟାଇନ କେନ୍ଦ୍ରଠାରୁ ଦୂରରେ ରୁହନ୍ତୁ : ଗଞ୍ଜାମ ଜିଲ୍ଲାପାଳ

ବ୍ରହ୍ବପୁର : ଗଞ୍ଜାମ ଜିଲ୍ଲାରେ ଆଜି ଆଉ ୧୭ ଜଣ ନୂଆ କରୋନା ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ୍‍ ଆକ୍ରାନ୍ତଙ୍କ ସଂଖ୍ୟା
୨୧କୁ ବୃଦ୍ଧି ପାଇଛି । ନୂଆ ଚିହ୍ନଟ ହୋଇଥିବା ଏହି ଆକ୍ରାନ୍ତ ସମସ୍ତେ ସୁରଟ ଫେରନ୍ତା । ସୁରଟରୁ ଫେରିବା ପରେ ଏମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ସେମାନଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା । ପରେ ସ୍ୱାବ୍‍ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିବାବେଳେ ଏହି ରିପୋର୍ଟ ପଜିଟିଭ୍‍ ଆସିଥିବା ଜଣାପଡିଛି ।

Image source : odishabytes.com

ତେବେ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଅଧିକାଂଶ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ କ୍ୱାରେଣ୍ଟାଇନ କେନ୍ଦ୍ରଠାରୁ ସ୍ଥାନୀୟ ଜନସାଧାରଣ ଦୂରେଇ ରହିବା ଏବଂ କେନ୍ଦ୍ରକୁ ନଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଗଞ୍ଜାମ ଜିଲ୍ଲାପାଳ ଟ୍ୱିଟ୍‍ କରି ଏହି ସୂଚନା ଦେଇଛନ୍ତି । କେବଳ ଅଧିକୃତ ଲୋକମାନେ ହିଁ ଏହି କେନ୍ଦ୍ରକୁ ଯାଇପାରିବେ ବୋଲି ସେ ଟ୍ୱିଟରେ ଉଲ୍ଲେଖ କରିଛନ୍ତି।

ଚିହ୍ନଟ ହୋଇଥିବା ୧୭ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୧୬ ଜଣ ପୁରୁଷ ଓ ଜଣେ ଯୁବତୀ ଅଛନ୍ତି । ତେବେ ଏଠାରୁ ୧୭ଟି ନୂଆ କରୋନା ମାମଲା ସାମନାକୁ ଆସିଲା ପରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଗଞ୍ଜାମ ଜିଲ୍ଲାକୁ ରେଡ୍‍ ଜୋନ୍‍ ବର୍ଗରେ ସାମିଲ କରିଛି । ସେହିପରି ଜଗତସିଂହପୁର ଓ ମୟୁରଭଞ୍ଜ ଜିଲ୍ଲାକୁ ଅରେଞ୍ଜ୍‍ ଜୋନ୍‍ ବର୍ଗରେ ସାମିଲ କରିଛି । ରାଜ୍ୟର ଅତିରିକ୍ତ ଶାସନ ସଚିବ ଏହି ତିନି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପତ୍ର ଲେଖି ଏ ସମ୍ପର୍କିତ ସୂଚନା ଦେଇଛନ୍ତି।

Comments are closed.