ଟ୍ରମ୍ପଙ୍କ ପତ୍ନୀ ମେଲାନିୟାଙ୍କ ମୂର୍ତ୍ତିରେ ଲାଗିଲା ନିଆଁ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପତ୍ନୀ ତଥା ଦେଶର ପ୍ରଥମ ମହିଳା ମେଲାନିୟା ଟ୍ରମ୍ପଙ୍କ ମୂର୍ତ୍ତିରେ ନିଆଁ ଲଗାଇ ଦେଇଛନ୍ତି ଲୋକେ। ଏହି ଘଟଣାରୁ ଟ୍ରମ୍ପଙ୍କ ବିରୋଧରେ ଲୋକଙ୍କ ଆକ୍ରୋଶ ବଢ଼ିଥିବା ସ୍ପଷ୍ଟ ହେଉଛି। ଗତ ୪ ତାରିଖରେ ଆମେରିକାରେ ସ୍ବାଧୀନତା ଦିବସ ପାଳନ ହେଉଥିବାବେଳେ ସେହି ରାତିରେ ସ୍ଲୋଭେନିୟାସ୍ଥିତ ସେଭେନିକାରେ ସ୍ଥାପିତ ମେଲାନିୟାଙ୍କ ଏକ ମୂର୍ତ୍ତିକୁ ପୋଡ଼ି ଦିଆଯାଇଥିଲା। ଆଗକୁ ରାଷ୍ଟ୍ରପତି ନିର୍ବାଚନ ଆସୁଥିବା ବେଳେ ଏହି ଘଟଣାକୁ ନେଇ ନାନା ଚର୍ଚ୍ଚା ଜୋର ଧରିଛି।

ବର୍ଲିନରେ ରହୁଥିବା ଜଣେ ଆମେରିକୀୟ କଳାକାର ବ୍ରାଡ୍‌ ଡାଉନୀ ଏହି ପ୍ରତିମୂର୍ତ୍ତି ତିଆରି କରିଥିଲେ। ମୂର୍ତ୍ତି ପୋଡ଼ାଯିବା ନେଇ ସେ ପ୍ରଥମେ ଜାଣିବା ପରେ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ମେଲାନିୟା ଟ୍ରମ୍ପଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ। ନିକଟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାର ଐତିହାସିକ ସ୍ମାରକକୁ ନଷ୍ଟ କରିବା କିମ୍ବା ଭଙ୍ଗାରୁଜା କରିବାରେ ଜଡ଼ିତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ। ଦେଶରେ ଜାତିଗତ ହିଂସାକୁ ନେଇ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ ଜାରି ରହିଥିବାରୁ ରାଷ୍ଟ୍ରପତି ଏହା କହିଥିଲେ। କିନ୍ତୁ ଏହା ପରେ ତାଙ୍କ ପତ୍ନୀଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦିଆଯାଇଛି।

Comments are closed.