ଶବ ସତ୍କାରରେ ଧର୍ମ ପ୍ରତିବନ୍ଧକ: ଦୀର୍ଘ ସମୟ ଧରି ପଡ଼ି ରହିଛି ମୃତଦେହ

ବଡ଼ସାହି: ମୟୂରଭଞ୍ଜ ଜିଲା ସୀମାନ୍ତରେ ଥିବା ଭୀମଦା ପଞ୍ଚାୟତର ମଙ୍ଗଳପୁର ଗ୍ରାମ ଫାଦର ସାହିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଶବ ସତ୍କାରରେ ଧର୍ମ ପ୍ରତିବନ୍ଧକ ସାଜିଥିବାରୁ ଦୀର୍ଘ ସମୟ ଧରି ମୃତଦେହ ପଡ଼ି ରହିଛି। ଗ୍ରାମର ସୁରେଶ ସିଂହ(୩୫)ଙ୍କର ବୁଧବାର ରାତିରେ ମୃତ୍ୟୁ ଘଟିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଶବ ସତ୍କାର ହୋଇ ପାରୁନି। ମୃତକ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଥିବାରୁ ପଡ଼ୋଶୀ ଶବ ସତ୍କାରକୁ ନେଇ ଦ୍ବନ୍ଦ୍ବରେ ପଡିଛନ୍ତି।

ସୂଚନା ଅନୁସାରେ, ପତ୍ନୀଙ୍କ ମୃତ୍ୟୁ ପରେ ସୁରେଶ ୨ ଶିଶୁଙ୍କ ସହ ରହୁଥିଲେ। ଚିକିତ୍ସା ଅବହେଳାରୁ ତାଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ସୁରେଶଙ୍କ ବାପା ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଥିଲେ। ସୁରେଶ ମଧ୍ୟ ପରିବାର ଲୋକଙ୍କ ସହିତ ଗ୍ରାମରେ ଥିବା ମିଶନାରୀ ଚର୍ଚ୍ଚକୁ ପ୍ରାର୍ଥନା ପାଇଁ ଯାଉଥିଲେ। ତେବେ ଅସୁସ୍ଥତା କାରଣରୁ ୬ ମାସରୁ ଉର୍ଦ୍ଧ୍ବ ସମୟ ସେ ଚର୍ଚ୍ଚ ଯାଇ ନଥିଲେ। ଘଟଣା ସମ୍ପର୍କରେ ଚର୍ଚ୍ଚ କର୍ତ୍ତୃପକ୍ଷଙ୍କୁ ଗ୍ରାମବାସୀ ଜଣାଇବା ପରେ ସୁରେଶଙ୍କ ନାମ ଚର୍ଚ୍ଚରେ ପଞ୍ଜିକୃତ ନଥିବା ଫାଦର କହିଛନ୍ତି। ତେବେ ଶବ ସତ୍କାର ପାଇଁ କିଛି ସହାୟତା ଦେବେ କହିଥିଲେ ହେଁ ସମଧର୍ମୀ ଗ୍ରାମବାସୀ ସତ୍କାର ପାଇଁ ଆଗଭର ହେଉ ନାହାନ୍ତି। ଅନ୍ୟ ପକ୍ଷରେ ଧର୍ମ ପରିବର୍ତ୍ତନ ପାଇଁ ହିନ୍ଦୁ ଧର୍ମୀ ତଥା ନିଜର ସମଜାତି ଲୋକେ ମଧ୍ୟ ହାତ ବାନ୍ଧି ବସିଛନ୍ତି। ଶବ ସତ୍କାର ପାଇଁ ଧର୍ମ ପ୍ରତିବନ୍ଧକ ଘଟଣା ସମ୍ପର୍କରେ ବଡ଼ସାହି ବିଡିଓ ଦିଲ୍ଲୀପ ମହାରଣାଙ୍କୁ ଆମ ପ୍ରତିନିଧି ଜଣାଇବା ପରେ ସେ ଉକ୍ତ ଗ୍ରାମକୁ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ପଠାଇଥିବା କହିଛନ୍ତି ।

Comments are closed.