ହିତାଧିକାରୀଙ୍କ ଭତ୍ତା ଟଙ୍କା ହଡପ ଅଭିଯୋଗ, କାର୍ଡରେ ସରପଞ୍ଚଙ୍କ ଦସ୍ତଖତକୁ ନେଇ ଉଠିଲା ପ୍ରଶ୍ନ

ହରଭଙ୍ଗା: ହରଭଙ୍ଗା ପଂଚାୟତରେ ସାମାଜିକ ସୁରକ୍ଷା ଆଈନ ଖୋଲାଖୋଲି ଉଲ୍ଲଂଘନ ହୋଇଥିବା ଭଳି ଆଉ ଏକ ଅଭାବନୀୟ ଦୃଶ୍ୟ ନଜରକୁ ଆସିଛି। ସାମାଜିକ ସୁରକ୍ଷାରେ ଅର୍ନ୍ତଭୁକ୍ତ ଗରିବ ଶ୍ରେଣୀର ବିଧବା, ବାର୍ଦ୍ଧକ୍ୟ, ଅର୍କମଣ୍ୟଙ୍କ ଗୋଟିଏ ଗୋଟିଏ ମାସର ଭତ୍ତା ଟଙ୍କା ହଡପ ହୋଇଥିବା ଭଳି ଏକ ସାଂଘାତିକ ଅଭିଯୋଗ ପଦାକୁ ଆସିବା ପରେ ଘଟଣାକୁ ଚପାଇଦେବା ଉଦ୍ୟମ ଜାରି ରହିଛି।

ସୂଚନା ଅନୁସାରେ, ମଧୁବାବୁ ପେନସନ ଯୋଜନାରେ ହରଭଙ୍ଗା ପଂଚାୟତର ୪୨ଜଣ ନୂତନ ହିତାଧିକାରୀଙ୍କ ଭତ୍ତା ଟଙ୍କା ମଞ୍ଜୁର ହୋଇଥିଲା। ଭତ୍ତା ମଞ୍ଜୁର ହୋଇଥିବା ପ୍ରଥମ ମାସଠାରୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ସମସ୍ତ ବକେୟା ଭତ୍ତା ଟଙ୍କା ପ୍ରଦାନ ପାଇଁ ପଂଚାୟତକୁ ବ୍ଲକ ସାମାଜିକ ସୁରକ୍ଷା ବିଭାଗ ମଞ୍ଜୁର ଟଙ୍କା ପ୍ରଦାନ କରିଥିଲେ। ମାତ୍ର ଏହି ପଂଚାୟତର ଭେଜିଗୁଡା ଗ୍ରାମର ଗୋପବନ୍ଧୁ ଅମାତ ଭଳି ଜଣେ ବାର୍ଦ୍ଧକ୍ୟ ହିତାଧିକାରୀଙ୍କ ଗତ ଏପ୍ରିଲ ମାସରୁ ଭତା ଟଙ୍କା ମଞ୍ଜୁର ହୋଇଥିଲା। ତାଙ୍କୁ ଏପ୍ରିଲରୁ ଅଗଷ୍ଟ ପର୍ଯ୍ୟନ୍ତ ଦୀର୍ଘ ୫ମାସର ଭତ୍ତା ଟଙ୍କା ବାବଦକୁ ୨୫ଶହ ଟଙ୍କା ପ୍ରଦାନ କରାଯିବା ବଦଳରେ ୨ହଜାର ଟଙ୍କା ପ୍ରଦାନ କରାଯାଇ ତାଙ୍କର ଗୋଟିଏ ମାସର ଭତ୍ତା ଟଙ୍କା ହଡପ କରାଯାଇଥିବା ଅଭିଯୋଗ ହୋଇଛି। ସେହିପରି ହରଭଙ୍ଗା ଗ୍ରାମର ଝରିଆ ମେହେର ଭଳି ଜଣେ ବାର୍ଦ୍ଧକ୍ୟ ହିତାଧିକାରୀ ଏବଂ ବୁକେଶିଙ୍ଗା ଗ୍ରାମର ହୀନା ବେହେରା ଭଳି ବିଧବା ହିତାଧିକାରୀଙ୍କ ମଇ ମାସରୁ ଭତ୍ତା ଟଙ୍କା ମଞ୍ଜୁର ହୋଇଥିଲା। ସେମାନଙ୍କୁ ମଇରୁ ଅଗଷ୍ଟ ପର୍ଯ୍ୟନ୍ତ ଦୀର୍ଘ ୪ମାସର ଭତା ଟଙ୍କା ବାବଦକୁ ୨ହଜାର ଟଙ୍କା ଲେଖାଏଁ ପ୍ରଦାନ ବଦଳରେ ୧୫ଶହ ଟଙ୍କା ଲେଖାଏଁ ପ୍ରଦାନ କରାଯାଇ ସେମାନଙ୍କ ଗୋଟିଏ ମାସ ଲେଖାଏଁ ଭତ୍ତା ଟଙ୍କା ହଡପ କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ସମସ୍ତ ଅନେକ ହିତାଧିକାରୀ ଗୋଟିଏ ଗୋଟିଏ ମାସର ଭତ୍ତା ଟଙ୍କା ହଡପ କରାଯାଇଥିବା ମଧ୍ୟ ଅଭିଯୋଗ ଉଠୁଛି।

ସରକାରୀ କର୍ମଚାରୀଙ୍କ ଦ୍ୱାରା ହିତାଧିକାରୀଙ୍କୁ ଭତା ଟଙ୍କା ପ୍ରଦାନ ପାଇଁ କଡାକଡି ନିୟମ ରହିଛି। ମାତ୍ର ଗୋପବନ୍ଧୁ ଅମାତ, ଝରିଆ ମେହେର ଏବଂ ହୀନା ବେହେରା ଭଳି ହିତାଧିକାରୀଙ୍କ କାର୍ଡରେ ସ୍ଥାନୀୟ ସଂରପଚ ସୁମଞି ଲାଲଙ୍କ ଦସ୍ତଖତରେ କିଭଳି ଭତା ଟଙ୍କା ବଂଟନ କରାଯିବା ଘଟଣା ସାମାଜିକ ସୁରକ୍ଷା ନିୟମର ଖୋଲାଖୋଲି ଉଲ୍ଲଘଂନ ଭଲି ଲୁକାୟିତ ତଥ୍ୟ ପଦାକୁ ଆସିଛି। ହରଭଙ୍ଗା ପଂଚାୟତ ଦାୟିତ୍ୱରେ ଥିବା ପିଇଓ ଏବଂ ଜିଆରଏସ ଭଳି ସରକାରୀ କର୍ମଚାରୀ ଥାଉ ଥାଉ ସଂରପଚଙ୍କ ଦସ୍ତଖତରେ କିଭଳି ବେନିୟମଭାବେ ଭତା ଟଙ୍କା ପ୍ରଦାନ କରାଗଲା ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଯାହାଦ୍ୱାରା ଗରିବ ହିତାଧିକାରୀଙ୍କ ଭତା ଭଳି ମାସିକ ମିଳୁଥିବା ସର୍ବନିମ୍ନ ୫ଶହ ଟଙ୍କା ପାଉଣା ହଡପ ପାଇଁ ସୁଯୋଗ ସୃଷ୍ଟି କ୍ଷେତ୍ରରେ କିଏ ଉତରଦାୟୀ ଏହା ଉପରେ ତଦନ୍ତ ହେବା ଆବଶ୍ୟକ ବୋଲି ଦାବୀ ହେଉଛି। ଏହି ସମସ୍ତ ଘଟଣାର ପଙ୍ଖାନୁପଙ୍ଖ ତଦନ୍ତ କରାଯାଇ ହରଭଙ୍ଗା ପଂଚାୟତରେ ଚାଲିଥିବା ଭତା ଟଙ୍କା ହଡପ କଳେଙ୍କାରୀର ଘଟଣା ଉପରେ ଦୃଢକାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି। ଏ ସମ୍ପର୍କରେ ବୌଦ୍ଧ ଉପଜିଲ୍ଲାପାଳ ଅଶ୍ୱିନୀ ମେହେରଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ ଭତାଟଙ୍କ ହଡପ ଭଳି ସମ୍ବେଦନଶୀଳ ଘଟଣା ଉପରେ ତଦନ୍ତ କରାଯାଇ ଦୃଢକାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଏ ସମ୍ପର୍କରେ ହରଭଙ୍ଗା ବିଡିଓ ନୀଳକଣ୍ଠ ବେହେରାଙ୍କୁ ପଚାରିବାରୁ ସେ କହିଲେ ଗରିବ ଲୋକଙ୍କ ଭତା ଟଙ୍କା ଖାଇଥିବା ଲୋକଙ୍କୁ କୁଷ୍ଠରୋଗ ହେବ। ସରପଞ୍ଚଙ୍କ ଦସ୍ତଖତରେ ଭତା ଟଙ୍କା ବଂଟନ କରାଯିବ କୌଣସି ନିୟମ ନାହିଁ। ପିଇଓ, ଜିଆରଏସ ଥାଊ ଥାଉ ସେ କିଭଳି ଟଙ୍କା ବାଂଟିଲେ ଏହାର ତଦନ୍ତ କରାଯିବ ବୋଲି କହିଥିଲେ।

Comments are closed.