ପେହଲୁ ଖାଁ ଉପରୁ ଗୋ ଚାଲାଣ ଅଭିଯୋଗ ରଦ୍ଦ

ଜୟପୁର : ଗୋଷ୍ଠୀବଦ୍ଧ ହିଂସାର ଶିକାର ହୋଇଥିବା ପେହଲୁ ଖାଁଙ୍କ ବିରୋଧରେ ରୁଜୁ ବେଆଇନ ଗୋ ଚାଲାଣ ମାମଲାକୁ ରାଜସ୍ଥାନ ହାଇକୋର୍ଟ ବୁଧବାର ରଦ୍ଦ କରିଦେଇଛନ୍ତି। ପେହଲୁଙ୍କ ସହିତ ତାଙ୍କର ଦୁଇ ପୁଅ ଓ ଟ୍ରକ ଚାଳକଙ୍କ ବିରୋଧରେ ରୁଜୁ ଗୋଚାଲାଣ ମାମଲାକୁ ହାଇକୋର୍ଟଙ୍କ ଜଣିକିଆ ବିଚାରପତି ପୀଠ ରଦ୍ଦ କରିଦେଇଛନ୍ତି। ରାଜସ୍ଥାନ ଗୋ ସମ୍ପଦ ସୁରକ୍ଷା ଆଇନ ଅନୁଯାୟୀ ଏହି ଚାରି ଜଣଙ୍କ ବିରୋଧରେ ଅଭିଯୋଗଫର୍ଦ ଦାଖଲ କରାଯାଇଥିଲା। ମାଂସ ଉଦ୍ଦେଶ୍ୟରେ ପେହଲୁ ଗୋରୁ ଚାଲାଣ କରୁଥିବା ନେଇ କୌଣସି ପ୍ରମାଣ ନଥିବା ବିଚାରପତି କହିଛନ୍ତି। ତଥ୍ୟ ପ୍ରମାଣରୁ ଜଣାଯାଉଛି ଯେ ପେହଲୁ ଗୋପାଳନ ଉଦ୍ଦେଶ୍ୟରେ ଗୋରୁ ନେଇ ଯାଉଥିଲେ। ୨୦୧୭ ଏପ୍ରିଲ ୧ରେ ପେହଲୁ ତାର ଦୁଇ ପୁଅ ଓ ଅନ୍ୟମାନେ ଟ୍ରକ ଯୋଗେ ଗୋରୁ ନେଇ ଯାଉଥିବାବେଳେ ରାଜସ୍ଥାନ ଅଲୱାର ଜିଲା ବେହନର ନିକଟରେ ଗୋରକ୍ଷାକାରୀମାନେ ସେମାନଙ୍କୁ ଅଟକାଇ ମାଡ ମାରିଥିଲେ। ମାଡରେ ପେହଲୁ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏପ୍ରିଲ ୩ରେ ତାଙ୍କର ମୃତ୍ୟୁ ହୋଇଥିଲା। ଅଗଷ୍ଟ ୧୪ରେ ଅଲୱାର ଅଦାଲତ ୬ଜଣ ଗୋ ରକ୍ଷାକାରୀଙ୍କୁ ଉପଯୁକ୍ତ ପ୍ରମାଣ ଅଭାବରୁ ଦୋଷମୁକ୍ତ କରିଥିଲେ।

Comments are closed.