ନୀଳଚକ୍ର ଆଶ୍ରାରେ ବଡଦେଉଳର ପାରା

ଭୁବନେଶ୍ୱର : କରୋନା ଲାଗି ହୋଇଥିବା ଲକ୍‍ ଡାଉନ ସମୟରେ ନୀଳଚକ୍ରକୁ ଆଶ୍ରା କରି ପଡିରହିଥିବା ପ୍ରାୟ ୬ ହଜାର ପାରା ଏବେ ଖାଇବାକୁ ନପାଇବାରୁ ସେମାନଙ୍କର ଅବସ୍ଥା ଦୁର୍ବିସହ ହୋଇପଡିଲାଣି । ଶ୍ରୀମନ୍ଦିରରେ ବ୍ୟବସାୟିକ ଭୋଗ ବିକ୍ରି ଏବେ ବନ୍ଦ ହୋଇଯିବା ପରେ ପରା ଗୁଡିକ କଣ ଖାଇ ବଞ୍ଚିବେ ତାହା ଦେଖିବା ଲାଗି ମନ୍ଦିର ପ୍ରଶାସନ ସମ୍ଭବତଃ ଭୁଲି ଯାଇଥିବା ଘେନି ବିଭିନ୍ନ ମହଲରେ ଆଲୋଚନା ହେଉଛି । ଏ ସମ୍ପର୍କରେ ସୂଚନା ଦେଇ ବରିଷ୍ଠ ଦଇତାପତି ସେବକ ରାମଚନ୍ଦ୍ର ଦାସମହାପାତ୍ର କହିଲେ ସାଧାରଣ ମଣିଷ ଯେପରି ନିଜ ଘରେ ବିଭିନ୍ନ ଗୃହପାଳିତ ପଶୁପକ୍ଷୀଙ୍କୁ ରଖିଥାଏ ଠିକ୍‍ ସେହିଭଳି ମଣିଷଙ୍କ ବ୍ୟତୀତ ଅନେକ ପଶୁପକ୍ଷୀ ମଧ୍ୟ ଜଗନ୍ନାଥ ମହାପ୍ରଭଙ୍କୁ ଆଶ୍ରା କରି ବଡଦେଉଳରେ ପଡିରହିଛନ୍ତି । ଖାଲି ଯେ ମାଙ୍କଡ ଓ ବିଲେଇ ଖାଇବାକୁ ପାଉନାହାଁନ୍ତି ତା ନୁହେଁ ଖରା ବର୍ଷାକୁ ଖାତିର ନକରି ବଡଦେଉଳ ଉପରେ ରହୁଥିବା ପାରା ଓ ଗାଈଗୋରୁମାନେ ପ୍ରଭାବିତ ହୋଇଛନ୍ତି। କଟକଣା ଲାଗୁ ହେବା ପରେ ଭକ୍ତମାନେ ଏବେ ଶ୍ରୀମନ୍ଦିରକୁ ଯାଉନଥିବାରୁ ବ୍ୟବସାୟିକ ଭୋଗ ଆଉ ରନ୍ଧା ଯାଉନି । ଫଳରେ ଅସଂଖ୍ୟ ଗାଈଗୋରୁ ଦକ୍ଷିଣ ଦ୍ୱାର ନିକଟ ପେଜନଳାରେ ଆଉ ମୁନ୍ଦଏ ପେଜ ତୋରାଣି ପିଇବାକୁ ନପାଇ କେଉଁଆଡେ ପଳାଇ ଗଲେଣି। ସେହିପରି ବଡଦେଉଳରେ ରହୁଥିବା ହଜାର ହଜାର ସଂଖ୍ୟକ ପାରାମାନେ ଏବେ ଖାଇବାକୁ ନପାଇ ଛଟପଟ ହେଉଛନ୍ତି।

ପ୍ରତିଦିନ ଆନନ୍ଦ ବଜାରରେ ପଡିଥିବା ଅଭଡା ଓ ନିର୍ମାଲ୍ୟ ଖଳାରେ ଶୁଖାଯାଉଥିବା ନିର୍ମାଲ୍ୟ ସବୁକୁ ଖୁଣ୍ଟି ଖାଇବା ସହିତ ଅଭଡା ତୋରାଣୀ ପିଇ ବଞ୍ଚି ରହିଛନ୍ତି। ମାତ୍ର ଏସବୁ ଏବେ ଦ୍ରୁଶପ୍ରାପ୍ୟ ହୋଇ ଯାଇଥିବାରୁ ପାରା ସବୁ ଖାଇବା ବିନା ଡହଳ ବିକଳ ହେଉଛନ୍ତି। ଶ୍ରୀ ଦାସମହାପାତ୍ର କହିଲେ ଶ୍ରୀଜଗନ୍ନାଥ ମହାପ୍ରଭୁ ସମସ୍ତ ଜୀବ ଜଗତ ପ୍ରତି ଦୟାଶୀଳ। ଶ୍ରୀଜୀଉ ମଧ୍ୟ ପଶୁପକ୍ଷୀ ପ୍ରିୟ। ମହାପ୍ରଭୁ ରଥରେ ଯିବା ସମୟରେ ସାଙ୍ଗରେ ଗାଈ ନେଇ ଯାଇଥାନ୍ତି । ସେଥିଲାଗି ରଥର ପଛପଟେ ଗାଈ ଚିତ୍ର କରାଯାଇଥାଏ। ସେହିପରି ଶ୍ରୀମନ୍ଦିରରେ ଠାକୁରଙ୍କ ଅନେକ ବେଶରେ ଗାଈ ଓ ପଶୁପକ୍ଷୀଙ୍କୁ ରଖାଯିବାର ପରମ୍ପରା ରହିଛି। ଏପରିକି ଏକ ନିଦ୍ଦିଷ୍ଟ ଉତ୍ସବ ପାଳନ ସମୟରେ ଗୋଟିଏ ଦୁଧୁଆଳି ଗାଈକୁ ବଡଦେଉଳ ଭିତରକୁ ନିଆଯାଇ ନୀତି କରାଯାଇଥାଏ। ଲୋକେ ସେମାନଙ୍କର ଗ୍ରହଶାନ୍ତି ଲାଗି ପାରାଙ୍କୁ ଚାଉଳ ଓ ଗହମ ଆଦି ଖାଇବାକୁ ଦେବାର ଅନେକ ନଜିର ରହିଛି। ଏଣୁ ଏହି ଅସମୟରେ ମନ୍ଦିର ପ୍ରଶାସନ ପକ୍ଷରୁ ବଡଦେଉଳ ପାରାଙ୍କୁ ପ୍ରତିଦିନ ଖାଇବାକୁ ଦେବାଲାଗି ପଦକ୍ଷେ ପ ନିଆଯିବା ଉଚିତ୍‍ ବୋଲି ସେ ମତବ୍ୟକ୍ତ କରିଛନ୍ତି।

-ଶ୍ରୀକୁମାର ଶୁକ୍ଲ

Comments are closed.