୩୫ କିଲୋ ଚାଉଳ ପାଇଁ ୫୦୦ କିିମି ବସ୍‌ଯାତ୍ରା

ଯୋଗାଣ ଅଧିକାରୀଙ୍କୁ ଦୁଃଖ ଜଣାଇଲେ ଦୃଷ୍ଟିହୀନ ଗାୟକ

ଭଞ୍ଜନଗର  : ବଡ ବିଚିତ୍ର ଘଟଣା। ୩୫ କିଲୋଗ୍ରାମ ଟଙ୍କିକିଆ ସରକାରୀ ଚାଉଳ ପାଇବାକୁ ମାସକୁ କିମ୍ବା ଦୁଇମାସକୁ ଥରେ ୫୦୦ କିଲୋମିଟର ଦୂର କେନ୍ଦୁଝର ଜିଲାର ଯୋଡାକୁ ଯାତ୍ରା କରିବାକୁ ହୁଏ। ୬ ଟଙ୍କାର ଘୋଡାକୁ ୯ଟଙ୍କାର ଦାନା ନ୍ୟାୟରେ ଚାଉଳ ମୂଲ୍ୟ ଠାରୁ ବସ୍‍ଭଡା ମୂଲ୍ୟ ଅଧିକ ଦେଇ ଚାଲିଛନ୍ତି ଗଞ୍ଜାମ ଜିଲା ସୋରଡା ବ୍ଳକର ଗାଙ୍ଗପୁରରେ ରହୁଥିବା ଯୋଡାର ଦୃଷ୍ଟିହୀନ ଯୁବକ ସଞ୍ଜୟ ପାତ୍ର । ସେ ଅନ୍ତୋଦ୍ୱୟ ଯୋଜନାରେ ମାସିକ ପାଉଥିବା ୩୫ କିଲୋଗ୍ରାମ ଚାଉଳ ଯୋଡା ଯାଇ ସଂଗ୍ରହ କରିବା ଘଟଣା ସ୍ଥାନୀୟ ଯୋଗାଣ ବିଭାଗ ଅଧିକାରୀଙ୍କୁ ସ୍ତବ୍ଧ କରିଛି। ଆଜି ଏ ସଂକ୍ରାନ୍ତରେ ଅଭିଯୋଗ ପାଇବା ପରେ ତତ୍କାଳ ସମ୍ପୃକ୍ତ ଦୃଷ୍ଟିହୀନ ଯୁବକଙ୍କୁ ସମ୍ପ୍ରତି ସେ ରହୁଥିବା ଗାଙ୍ଗପୁରରେ ହିଁ ଟଙ୍କିକିଆ ଚାଉଳ ଯୋଗାଇ ଦେବାକୁ ଯୋଗାଣ ବିଭାଗ ପଦକ୍ଷେପ ନେଇଛନ୍ତି।
୩ ବର୍ଷ ତଳେ ୭ଜଣ ଦୃଷ୍ଟିହୀନ ଯୁବକ ଯୁବତୀ ଏକତ୍ରିତ ହୋଇ ଗାଙ୍ଗପୁରଠାରେ ଶ୍ରୀହର-ଗୌରୀ ଦୃଷ୍ଟିହୀନ ଭଜନ ସମାରୋହ ଗଠନ କରିଛନ୍ତି। ସେମାନେ ତବଲା, ହାରମୋନିୟମ୍‍ ଏବଂ ଅନ୍ୟାନ୍ୟ ବାଦ୍ୟଯନ୍ତ୍ର ଧରି ବିଭିନ୍ନ ପର୍ବପର୍ବାଣୀରେ ବିଭିନ୍ନ ଗାଁ ଓ ସହରବଜାର ବୁଲି ଭଜନ ପରିବେଶଣ କରି ଯାହା ଉପାର୍ଜନ କରନ୍ତି ସେଥିରେ ଚଳି ଆସୁଛନ୍ତି। କରୋନା ମହାମାରୀ କାଳ​‌େ​‌ର ୨ ବର୍ଷ ହେଲା ଏମାନଙ୍କ ଅବସ୍ଥା ଦୁର୍ବିସହ ହୋଇପଡିଛି। ବାରମ୍ବାର ତାଲାବନ୍ଦ ଏବଂ ତଦଜନିତ ପର୍ବପର୍ବାଣୀ ବନ୍ଦ ହୋଇଯିବାରୁ ଭଜନ ପରିବେଷଣ କରିନପାରି ଦୁର୍ଦଶାଗ୍ରସ୍ତ ଜୀବନ ବିତାଉଛନ୍ତି। କୌଣସି ମତେ ବଞ୍ଚି ରହିବା ପାଇଁ ଗାଙ୍ଗପୁରର ବିଭିନ୍ନ ଦୋକାନରୁ ପ୍ରାୟ ୭୦ ହଜାର ଟଙ୍କାର ପଡି ସାମଗ୍ରୀ ଧାରରେ ଆଣିଥିବା ସୋମବାର ସଞ୍ଜୟ ଓ ଶରତ ଭଞ୍ଜନଗର ଆସି ଅତିରିକ୍ତ ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରାଙ୍କ ନିକଟରେ ପ୍ରକାଶ କରିଥିଲେ। ଶରତ ଓ ତାଙ୍କର ପତ୍ନୀ ପାଉଥିବା ୧୦ କିଲୋ ଚାଉଳରେ ବଞ୍ଚିବା କଷ୍ଟକର ହେଉଥିବାରୁ ସେମାନଙ୍କୁ ଅନ୍ତୋଦ୍ୱୟ ଯୋଜନାରେ ସାମିଲ କରି ମାସିକ ୩୫ କିଲୋ ଚାଉଳ ଯୋଗାଇ ଦେବାକୁ ସଞ୍ଜୟକୁ ସାଥିରେ ଧରି ଏଠାକୁ ଆସିଥିବା ଶରତ ଅତିରିକ୍ତ ଯୋଗାଣ ଅଧିକାରୀଙ୍କୁ କାକୁତିମିନତି ହୋଇ ଦରଖାସ୍ତ ଖଣ୍ଡିଏ ଦେଇଥିଲେ। ଏହି ସମୟରେ ଦୃଷ୍ଟିହୀନ ଯୁବକ ସଞ୍ଜୟ ପାତ୍ର ମଧ୍ୟ ଅନ୍ତୋଦ୍ୱୟ ଯୋଜନାରେ ୩୫ କିଲୋ ଚାଉଳ ପାଉଥିବା ପ୍ରକାଶ କରିଥିଲେ। କିନ୍ତୁ ତାଙ୍କ ଘର କେନ୍ଦୁଝର ଜିଲାର ଯୋଡାରେ ହୋଇଥିବାରୁ ସେ ପ୍ରତ୍ୟେକ ମାସେ କିମ୍ବା ଦୁଇମାସରେ ଥରେ ଚାଉଳ ପାଇଁ ଯୋଡା ଯାଇଥାନ୍ତି ବୋଲି ପ୍ରକାଶ କରିଥିଲେ। ଭଞ୍ଜନଗରରୁ ଯୋଡା ଯାତାୟାତ ନିମନ୍ତେ ଯିବାଆସିବାରେ ବସ ଭଡା ବାବଦରେ ୧୫୨୦ ଟଙ୍କା ବ୍ୟୟ କରନ୍ତି ବୋଲି କହିଛନ୍ତି ସଞ୍ଜୟ। ୩୫ ଟଙ୍କା ମୂଲ୍ୟରେ ୩୫ କିଲୋ ଚାଉଳ ପାଇବାକୁ ସଞ୍ଜୟ ପ୍ରତି ଦୁଇମାସରେ ଉପରୋକ୍ତ ପରିମାଣର ଟଙ୍କା ବ୍ୟୟ କରୁଛନ୍ତି। ଦୃଷ୍ଟୀହୀନ ହୋଇଥିବାରୁ ସେ ନିଜର ଦୃଷ୍ଟିବାଧିତ ପ୍ରମାଣପତ୍ରରେ ଯୋଡାକୁ ମାଗଣାରେ ସରକାରୀ ବସରେ ଯାତ୍ରା କରିବାର ସୁବିଧା ପାଇବାକୁ ହକଦାର ହୋଇଥିଲେ ହେଁ ସେ ରହୁଥିବା ଗାଙ୍ଗପୁରରୁ କୌଣସି ସରକାରୀ ବସ ନଥିବାରୁ ସେ ସଦାସର୍ବଦା ଘରୋଇ ବସରେ ଯୋଡା ଯାଇ ଚାଉଳ ସଂଗ୍ରହ କରନ୍ତି ବୋଲି କହିଛନ୍ତି। ସଞ୍ଜୟଙ୍କଠାରୁ ଏପରି ବେଦନାଦାୟକ କଥା ଶୁଣିବା ପରେ ସହକାରୀ ଯୋଗାଣ ନିରୀକ୍ଷକ ତତ୍କାଳ ସୋରଡା ଯୋଗାଣ ନିରୀକ୍ଷକଙ୍କୁ ଟେଲିଫୋନ ଯୋଗେ ଜଣାଇ ସେ ରହୁଥିବା ଗାଙ୍ଗପୁର ପଞ୍ଚାୟତରୁ ଚାଉଳ ଦେବାକୁ ନିର୍ଦେଶ ଦେଇଥିଲେ। ସୋମବାର ଭଞ୍ଜନଗର ଅତିରିକ୍ତ ଯୋଗାଣ ସହାୟକଙ୍କ ସମ୍ମୁଖରେ ସୋରଡା ବ୍ଳକରୁ ଚାଉଳ କାର୍ଡ ନିମନ୍ତେ ଆବେଦନ କରିବାକୁ ଆସିଥିବା ଅନ୍ୟ କେତକ ପୁରୁଷ ଓ ମହିଳାଙ୍କ ସହ ସଞ୍ଜୟ ଓ ଶରତ ନିଜ ଭଜନ ସମାରୋହ ସଂଘର ଦୁଃଖ ବଖାଣିବା ବେଳେ ଏହି ଘଟଣା ଜଣାପଡିଥିଲା।

Comments are closed.