ପିଡ଼ିପିରେ ସଂକଟ, ଦଳ ଛାଡ଼ିବେ ୧୪ ବିଧାୟକ!

0

ଶ୍ରୀନଗର : ଜାମ୍ମୁ କାଶ୍ମୀରରେ କ୍ଷମତାଚ୍ୟୂତ ହେବା ପରେ ପିପୁଲ୍ସ ଡେମୋକ୍ରାଟି୍‍ ପାର୍ଟି (ପିଡିପି)ରେ ବିଦ୍ରୋହ ଦେଖାଦେଇଛି। ଦଳର ମୁଖ୍ୟ ମେହବୁବା ମୁଫତିଙ୍କ ବିରୋଧରେ ଦଳର ନେତା ଏବଂ ବିଧାୟକ ଖୋଲାଖୋଲି ସ୍ୱର ଉତ୍ତୋଳନ କରୁଛନ୍ତି। ଦଳ ବିଭାଜନ ଆଡ଼କୁ ମୁହାଁଉଥିବା ବେଳେ ବିଦ୍ରୋହୀ ବିଧାୟକ ଅବିଦ ଆନସାରୀ ଦାବି କରିଛନ୍ତି ଯେ ଆଉ ୧୪ ବିଧାୟକ ଦଳ ଛାଡ଼ିବାକୁ ପ୍ରସ୍ତୁତ ଅଛନ୍ତି। ପ୍ରକାଶ ଯେ ଗତ ସପ୍ତାହରେ ଇମ୍ରାନ୍‍ ଆନ୍‍ସାରୀ ଏବଂ ଅବିଦ ଆନ୍‍ସାରୀ ପିଡ଼ିପି ଛାଡ଼ିବାକୁ ଘୋଷଣା କରିଥିଲେ। ମେହବୁବା ନିଜ ଭାଇ ତସଦ୍ଦୁକ ସିଦ୍ଦିକିଙ୍କୁ ପର୍ଯ୍ୟଟନ ମନ୍ତ୍ରୀ ପଦ ଦେବା ଏବଂ ଅନେକ ଦୁର୍ନୀତି ଅଭିଯୋଗ ସତ୍ତ୍ବେ ମାମୁଁ ସତରାଜ ମଦନିଙ୍କୁ କେତେକ ଦଳୀୟ ପଦବୀରେ ଅବସ୍ଥାପିତ କରିବାକୁ ନେଇ ପିଡ଼ିପିର ଅନେକ ନେତା ଅସନ୍ତୁଷ୍ଟ ଥିଲେ। ଜାମ୍ମୁ କାଶ୍ମୀରରେ ବିଜେପି ସହ ମେଣ୍ଟ ସରକାର ଭାଙ୍ଗିବା ପରେ ପିଡ଼ିପି ନେତାମାନେ ବିଦ୍ରୋହକୁ ଓହ୍ଲାଇଛନ୍ତି। ପିଡିପିର ବିଭାଜିତ ଗୋଷ୍ଠୀଙ୍କୁ ନେଇ ପୁଣି ସରକାର ଗଠନ ପାଇଁ ବିଜେପି ଭିତିରିଆ ଉଦ୍ୟମ ଚଳାଇଥିବା ସୂଚନା ମିଳିଛି। ପିଡିପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଇମ୍ରାନ୍‍ ଆନ୍‍ସାରୀ ଏବଂ ବିଧାୟକ ଅବିଦ ଅନ୍‍ସାରୀ ମେହବୁବାଙ୍କୁ ନେତୃତ୍ୱକୁ ନେଇ ପ୍ରଶ୍ନ କରିବା ସହ ତାଙ୍କୁ ସମାଲୋଚନା କରିଛନ୍ତି। ଦଳର ନେତୃତ୍ୱ ପାରିବାରିକ ରାଜନୀତିକୁ ଗୁରୁତ୍ୱ ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି। ବାରାମୁଳା ବିଧାୟକ ଜାଭିଦ ହୁସେନ ବେଗ୍‍ ରାଜ୍ୟରେ ମେହବୁବା ପାରିବାରିକ ରାଜନୀତି ସ୍ଥାପନ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି। ସେ ଦଳ ଛାଡ଼ବା ନିଷ୍ପତ୍ତି ନିଜ ସମ୍ପର୍କୀୟ ଏବଂ ସାଂସଦ ମୁଜଫର ହୁସେନ ବେଗ୍‍ଙ୍କ ଉପରେ ଛାଡ଼ି ଦେଇଛନ୍ତି। ଗୁଲମାର୍ଗ ବିଧାୟକ ମୋହମମ୍ମଦ ଆବାସ ୱାନି, ବାନ୍ଦିପୋରା ନେତା ଏମ୍‍ଏଲ୍‍ସି ୟାସିର ଏବଂ ଅନ୍ୟ ନେତାମାନେ ମେହବୁବାଙ୍କ ବିକଳ୍ପ ଖୋଜିବାକୁ ସମର୍ଥନ ଦେଇଛନ୍ତି। ଦଳରେ ବିଦ୍ରୋହ ଦେଖାଯିବା ପରେ ମେହବୁବା ଗତ ସପ୍ତାହରେ ଦଳୀୟ ବିଧାୟକ ଏବଂ ନେତାଙ୍କୁ ଗୋଟି ଗୋଟି କରି ଭେଟିଥିଲେ।
ଦଳର ବରିଷ୍ଠ ନେତା ଏଆର ଭିରି, ଜିଏନ୍‍ ଲୋନ୍‍, ମହମ୍ମଦ ଖଲିଲ ବନ୍ଦ, ଜହୁର ମୀର, ଏମୱାଇ ଭଟ୍ଟ, ନୂର ମହମ୍ମଦ ଭଟ୍ଟ, ୟାଭର ଦିଲାଭର ମୀର, ଏଜାଜ ଅହମଦ ମୀର ତାଙ୍କ ନେତୃତ୍ୱକୁ ସମର୍ଥନ ଦେଇଥିବା ଓ ତାଙ୍କ ସହ ରହିଥିବା ସେ ଜଣାଇ ଦେଇଛନ୍ତି। ତେବେ ଅନେକ ନେତା ଦଳର ନେତୃତ୍ୱ ପରିବର୍ତ୍ତନ ପାଇଁ ଦାବି କରିଛନ୍ତି। ଏବେ ଆନ୍‍ସାରୀଙ୍କ ଭଳି ଗୋଟିଏ ପରେ ଗୋଟିଏ ବିଦ୍ରୋହୀ ନେତା ପଦାକୁ ଆସି ମେହବୁବାଙ୍କ ବିରୋଧରେ କହୁଛନ୍ତି। ତେଣୁ ଖୁବଶୀଘ୍ର ଦଳରେ ବିଭାଜନ ହେବ ବୋଲି ଆଶଙ୍କା କରାଯାଉଛି।
ଉଲ୍ଲେଖଯୋଗ୍ୟ କି ରାଜ୍ୟ ବିଧାନସଭାର ମୋଟ ୮୯ ଆସନରୁ ବିଜେପିର ସଦସ୍ୟ ସଂଖ୍ୟା ୨୫ ଥିବାବେଳେ ପିଡିପି ପାଖରେ ୨୮ ରହିଛି। ସେହିଭଳି କଂଗ୍ରେସ ପାଖରେ ୧୨ ଓ ନ୍ୟାସନାଲ କନ୍‍ଫରେନ୍ସ ପାଖରେ ୧୫ ସଦସ୍ୟ ଅଛନ୍ତି। ସରକାର ଗଠନ ପାଇଁ ୪୪ ସଦସ୍ୟଙ୍କ ସମର୍ଥନର ଆବଶ୍ୟକତା ରହିଛି।

Leave A Reply