ପୁଲିସ ଉପସ୍ଥିତିରେ ମାଡ଼

ଦୁଇ ଅଭିଯୁକ୍ତ ଗିରଫ; ପିସିଆର୍‌ କର୍ମଚାରୀ ନିଲମ୍ବିତ

ଭୁବନେଶ୍ବର : ଲକ୍ଷ୍ମୀସାଗର ଥାନା ଅଧୀନ ଭଗବାନ ଟାୱରର କୋଷାଧ୍ୟକ୍ଷ ପରବିନ୍ଦର ପାଲ୍‌ ସିଂଙ୍କୁ ପୁଲିସ ଉପସ୍ଥିତିରେ ମାଡ଼ ମରାଯାଇଥିବା ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ଲକ୍ଷ୍ମୀସାଗର ପୁଲିସ ଏକ ମାମଲା ରୁଜୁ କରି ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଲକ୍ଷ୍ମୀ ସାଗର ଅଞ୍ଚଳର ଶଙ୍କର ରାଉତ(୩୯) ଏବଂ ଝାରପଡ଼ାର ଦୀପକ ମହାନ୍ତି(୩୪)। ଘଟଣା ଘଟିବା ସମୟରେ ପିସିଆର୍‌ ଭ୍ୟାନ୍‌ ଉପସ୍ଥିତ ଥିଲା। ତେଣୁ ପିସିଆର୍ ଭ୍ୟାନ୍‌ ଦାୟିତ୍ବରେ ଥିବା ଜଣେ ପୁଲିସ କର୍ମଚାରୀଙ୍କୁ କର୍ତ୍ତବ୍ୟରେ ଅବହେଳା ପାଇଁ ନିଲମ୍ବନ କରାଯାଇଛି। ସେଠାରେ ଉପସ୍ଥିତ ଥିବା ଅନ୍ୟ ପୁଲିସ କର୍ମଚାରୀଙ୍କ ଭୂମିକାକୁ ନେଇ ଅନୁସନ୍ଧାନ କରାଯାଉଛି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ପରବିନ୍ଦରଙ୍କୁ ଆକ୍ରମଣ କରିଥିବା ୩ ଜଣଙ୍କୁ ପୁଲିସ ଚିହ୍ନଟ କରିଛି। ଅଭିଯୋଗ ଅନୁସାରେ ମଙ୍ଗଳବାର ଦିନ ସାଢ଼େ ୧ଟା ସମୟରେ ପରବିନ୍ଦର ପିଲାଙ୍କୁ ସ୍କୁଲରୁ ଧରି ଘରକୁ ଫେରୁଥିଲେ। ସେଠାରେ ପହଞ୍ଚିବା ପରେ କୋଠା ସମ୍ମୁଖରେ ଏକ କାର୍‌ ପାର୍କିଂ ହେବା ଦ୍ବାରା ମୁଖ୍ୟ ପ୍ରବେଶ ପଥ ଅବରୋଧ ହୋଇଥିଲା।
ସେ ଉକ୍ତ କାର୍‌ ଚାଳକଙ୍କୁ ଅବରୋଧ ହଟାଇବା ପାଇଁ କହିବାରୁ ତାଙ୍କୁ ଧକ୍କା ମାରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଏହାପରେ ସେ କ‌େ‌ଣ୍ଟ୍ରାଲ ରୁମ୍‌କୁ ଜଣାଇବା ପରେ ପୁଲିସ ପହଞ୍ଚି ଘଟଣା ସମ୍ପର୍କରେ ତାଙ୍କୁ ପଚାରି ବୁଝିବା ପାଇଁ କୋଠା ତଳକୁ ଡାକିଥିଲା। ସେଠାରେ ପହଞ୍ଚି ପୁଲିସ ସହିତ କଥାବାର୍ତ୍ତା ହେଉଥିବା ସମୟରେ ପୂର୍ବରୁ ଉପସ୍ଥିତ ଥିବା ୬ରୁ ୭ ଯୁବକ ମାଡ଼ ମାରିଥିଲେ। ଏଥିରେ ପରବିନ୍ଦରଙ୍କ ମୁହଁ, ଆଖି ଏବଂ ନାକରେ ଗଭୀର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Comments are closed.