ଗାନ୍ଧିଜୀଙ୍କ ଓଡିଶା ଆଗମନର ଶତବାର୍ଷିକ : ମାର୍ଚ୍ଚ ୧୩ରେ ବେରବୋଇ ଠାରୁ କଂଗ୍ରେସର ସଦ୍‌ଭାବନା ପଦଯାତ୍ରା

ଭୁବନେଶ୍ୱର :  ଜାତିରପିତା ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ଶତବାର୍ଷିକ ପୂର୍ତ୍ତି ଓ ଓଡିଶା କଂଗ୍ରେସର ୧୦୦ ବର୍ଷ ପୂର୍ତି ଅବସରରେ ପୁରୀ ଜିଲ୍ଲା କଂଗ୍ରେସ ସେବାଦଳ ପକ୍ଷରୁ ଆସନ୍ତା ମାର୍ଚ୍ଚ ୧୩ ଓ ୧୪ ତାରିଖ ଦୁଇଦିନ ବ୍ୟାପୀ ‘ସଦ୍‌ଭାବନା ପଦଯାତ୍ରା’ର ଆୟୋଜନ କରାଯାଉଛି । ଏହି ଉପଲକ୍ଷେ ୧୩ ତାରିଖ ସକାଳ ୭ ଘଟିକା ସମୟରେ ପୁରୀ ଜିଲ୍ଲା ଅନ୍ତର୍ଗତ ଗାନ୍ଧୀ ସ୍ମାରକୀ ପୀଠ ତଥା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ କର୍ମଭୂମି ବେରବୋଇ ଠାରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ପଦଯାତ୍ରାକୁ ଉଦ୍‌ଘାଟନ କରିବେ ବୋଲି ପୁରୀ ଜିଲ୍ଲା କଂଗ୍ରେସ ସେବାଦଳ ମୁଖ୍ୟ ସଂଗଠକ ବିଶ୍ୱକେତନ ହରିଚନ୍ଦନ ମହାପାତ୍ର ସୂଚନା ଦେଇଛନ୍ତି ।

ପରେ ଏହି ପଦଯାତ୍ରା ପଟ୍ଟନାୟିକିଆ ଛକ ଦେଇ ଗୋପବନ୍ଧୁଙ୍କ ଜନ୍ମସ୍ଥାନ ସୁଆଣ୍ଡୋ ଗ୍ରାମରେ ପହଂଚିବ। ଏହିଦିନ ସନ୍ଧ୍ୟା ସମୟରେ ଗାନ୍ଧୀ, ଗୋପବନ୍ଧୁ ଓ କଂଗ୍ରେସକୁ ନେଇ ଏକ ସଭା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ପରଦିନ ଅର୍ଥାତ୍ ମାର୍ଚ୍ଚ ୧୪ ତାରିଖ ସକାଳ ୮ ଘଟିକା ସମୟରେ ପଦଯାତ୍ରା ସୁଆଣ୍ଡୋ ଠାରୁ ବାହାରି ପୁରୀ ଗାନ୍ଧୀଘାଟ ଠାରେ ସମାପନ ହେବ। ଏହି ପଦଯାତ୍ରା କାର୍ଯ୍ୟକ୍ରମରେ ବହୁ କଂଗ୍ରେସ ନେତୃବୃନ୍ଦ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ଗାନ୍ଧିପ୍ରେମୀ, ଗୋପବନ୍ଧୁ ପ୍ରେମୀ ଓ କଂଗ୍ରେସ ପ୍ରେମୀ ଜନସାଧାରଣ ବହୁଳ ସଂଖ୍ୟାରେ ଯୋଗଦେଇ ସଦ୍‌ଭାବନା ପଦଯାତ୍ରାକୁ ସଫଳ କରିବା ପାଇଁ ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ନିବେଦନ କରାଯାଇଛି ।

Comments are closed.