ରାଷ୍ଟ୍ର ବିରୋଧି-ଯୁବ ବିରୋଧି ଅଗ୍ନିପଥ ଯୋଜନାକୁ ମୋଦୀ ତୁରନ୍ତ ପ୍ରତ୍ୟାହାର କରନ୍ତୁ : ସଚ୍ଚିନ ସାୱନ୍ତ

ଦେଶର ସେନାକୁ ଯୋଜନା ନୁହେଁ ଫୌଜି ଦରକାର

ଭୁବନେଶ୍ୱର :  ଦେଶର ସେନା ବାହିନୀକୁ ଯୋଜନାବଦ୍ଧ ଭାବରେ ଦୁର୍ବଳ କରିବାରେ ମୋଦୀ ସରକାରଙ୍କ ପ୍ରଚେଷ୍ଟାକୁ କଦାପି ବରଦାସ୍ତ କରାଯିବ ନାହିଁ । ଦେଶର ସେନା ଓ ଯୁବବର୍ଗଙ୍କ ଭବିଷ୍ୟତକୁ ଅଗ୍ନିପଥ ଯୋଜନା ମାଧ୍ୟମରେ ଅନ୍ଧକାରଗର୍ଭକୁ ଠେଲି ଦେବାର ଅପଚେଷ୍ଟା ବିରୋଧରେ ରବିବାର ପ୍ରଦେଶ କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଜାତୀୟ କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ସଚିନ ସାୱନ୍ତ, ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଓ ଗଣମାଧ୍ୟମ ବିଭାଗ ଆବାହକ ସତ୍ୟପ୍ରକାଶ ନାୟକଙ୍କ ଉପସ୍ଥିତିରେ କଠୋର ସମାଲୋଚନା କରିଥିଲେ। ସେ କହିଥିଲେ ଯେ ଅଗ୍ନିପଥ ଯୋଜନା ଦେଶର ଯୁବବର୍ଗଙ୍କ ଭବିଷ୍ୟତ ପ୍ରତି ଧୋକା ଏବଂ ବିଶ୍ୱାସଘାତ ସଦୃଶ । ଭାରତଭଳି ଦେଶ ଆଜି ୫୦ ବର୍ଷର ରେକର୍ଡ ଭାଙ୍ଗି ଉତ୍କଟ ବେକାରୀ ସମସ୍ୟା ଦେଇ ଗତି କରୁଥିବା ବେଳେ, ସେନାବାହିନୀରେ ନିଯୁକ୍ତି ଅପେକ୍ଷାରେ ଥିବା ଏ ଦେଶର ଏକ କୋଟିରୁ ଉର୍ଦ୍ଧ୍ୱ ଯୁବକ ଆଜି ମୋଦୀ ସରକାରଙ୍କ ଅଗ୍ନିପଥ ଯୋଜନା ଯୋଗୁ ପ୍ରତାରିତ ଏବଂ ହତାଶ ହୋଇଛନ୍ତି । ସରକାରଙ୍କ ମନଇଚ୍ଛା ନିଷ୍ପତି ଯୋଗୁ ଦେଶ ଜିଏସଟି, ନୋଟବନ୍ଦି, ଜମି ଅଧିଗ୍ରହଣ ବିଲ, କୃଷି ଆଇନ ଭଳି କାହା ସହିତ ଆଲୋଚନା ନକରି ଅଗ୍ନିପଥ ପରି ଏକ ଦିଶାହୀନ ଯୋଜନାକୁ ଲାଗୁ କରାଯିବାର ଏକପାଖିଆ ନିଷ୍ପତି ତଥା ଏ ଦେଶର ସମଗ୍ର ଯୁବସମାଜର ହିତ ଦୃଷ୍ଟିରୁ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବାପାଇଁ ସେ ଦାବି କରିଥିଲେ । ପୂର୍ବରୁ ସେନାବାହିନୀରେ ପ୍ରତ୍ୟେକ ବର୍ଷ ୮୦ ହଜାରରୁ ଉର୍ଦ୍ଧ୍ୱ ସ୍ଥାୟୀ ଚାକିରି ପାଇଁ ନିଯୁକ୍ତି ଦିଆଯାଉଥିବା ବେଳେ ମୋଦୀ ସରକାରଙ୍କ ସମୟରେ ତାହା କମି କମି ୨୦୧୮ ମସିହା ସୁଦ୍ଧା ୫୦ ହଜାରକୁ ଖସିଆସିଥିଲା । କରୋନା ଯୋଗୁ ବିଗତ ଦୁଇ ବର୍ଷ ଧରି ସେନାରେ ସ୍ଥାୟୀ ନିଯୁକ୍ତି ପ୍ରକ୍ରିୟା ସଂପୂର୍ଣ୍ଣ ଭାବରେ ବନ୍ଦ ଥିଲା । ଏ ବର୍ଷ ଅତି କମରେ ୧.୫ ଲକ୍ଷ ଚାକିରି ପାଇଁ ପ୍ରକ୍ରିୟା ଆରମ୍ଭ ହେବା ପରିବର୍ତେ ମାତ୍ର ୪୬ ହଜାର ନିଯୁକ୍ତି, ସେ ପୁଣି ଦେଶର ସେନାବାହିନୀରେ ଠିକାରେ ମାତ୍ର ୪ ବର୍ଷ ପାଇଁ କାର୍ଯ୍ୟ କରିବାର ପ୍ରକ୍ରିୟାକୁ ସମଗ୍ର ଯୁବ ସମାଜର ବିରୋଧକୁ କଂଗ୍ରେସ ନୈତିକ ଭାବରେ ସମର୍ଥନ କରୁଛି ।

ପୂର୍ବତନ ସିଡିଏସ ମୁଖ୍ୟ ଜେନେରାଲ ବିପିନ୍ ରାୱତ ଏକ ସାକ୍ଷାତକାରରେ ସେନାରେ କାର୍ଯ୍ୟକରୁଥିବା ଯବାନ ମାନଙ୍କର ଅବସର ନେବାର ବୟସସୀମା ୫୮ବର୍ଷକୁ ବୃଦ୍ଧି କରିବାକୁ ପ୍ରସ୍ତାବ ରଖିଥିଲେ । ଆଜି ଦେଶରେ ୬୨ଲକ୍ଷ ୨୯ ହଜାର ସରକାରୀ ପୋଷ୍ଟ ଖାଲି ପଡ଼ିଛି ଏବଂ ସେଥିମଧ୍ୟରୁ ୨୬ ଲକ୍ଷରୁ ଉର୍ଦ୍ଧ୍ୱ ଚାକିରି କେବଳ କେନ୍ଦ୍ର ସରକାରଙ୍କ ଅଧିନରେ ଆସୁଅଛି । ଦେଶର ସେନାବାହିନୀରେ ୨ଲକ୍ଷ ୫୫ ହଜାର ପୋଷ୍ଟ ଖାଲି ଅଛି ଏବଂ ପ୍ରତ୍ୟେକ ବର୍ଷ ୫୫ ହଜାର ସେନା କର୍ମଚାରୀ ଅବସର ଗ୍ରହଣ କରନ୍ତି । ଅଗ୍ନିପଥ ଯୋଜନା ମାଧ୍ୟମରେ ୪ବର୍ଷିୟା ଠିକା ନିଯୁକ୍ତିରେ ଜଣେ ଯୁବକକୁ ତାର ଯୌବନ ଅବସ୍ଥାରେ ଚାକରିରୁ ଅବସର ନେଇ ପୂର୍ବତନ କର୍ମଚାରୀ ହେବାର ଅଦ୍‌ଭୁତ ପୂର୍ବ ଯୋଜନାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ । ଆଜି ଦେଶର ସେନା କର୍ମଚାରୀଙ୍କର ହାରାହାରି ବୟସ ୩୦ବର୍ଷ ହୋଇଥିବା ବେଳେ ୪ ବର୍ଷ କାର୍ଯ୍ୟ ପରେ ଅବସର ନେବା କାହା ସ୍ୱାର୍ଥରେ । ସାଧାରଣ ଭାବରେ ଜଣେ ସୈନିକ ଅତି କମ୍‌ରେ ୯ ମାସର ବେସିକ୍ ଟ୍ରେନିଂ ଏବଂ ପରବର୍ତୀ ଅବସ୍ଥାରେ ନିଜର ବିଭାଗ ଅନୁଯାୟୀ ସ୍ବତନ୍ତ୍ର ଟ୍ରେନିଂ ନେଇଥାନ୍ତି । ଯାହାକି ୪ବର୍ଷ ଯାଏ ଚାଲିଥାଏ ଅର୍ଥାତ ଜଣେ ସୈନିକ ତିଆରି କରିବାପାଇଁ ଅତି କମ୍‌ରେ ୪ବର୍ଷର ପ୍ରଶିକ୍ଷଣ ନିହାତି ଆବଶ୍ୟକ ପଡ଼ୁଥିବା ବେଳେ ବର୍ତ୍ତମାନ ଅଗ୍ନିବୀର ମାନଙ୍କ ପାଇଁ ମାତ୍ର ୬ ମାସର ଟ୍ରେନିଂ ଫଳପ୍ରଦ ସାବ୍ୟସ୍ତ ହେବାକୁ ନେଇ ଦେଶର ଅନେକ ପୂର୍ବତନ ସେନାକର୍ମଚାରୀ ସଂଦେହ ପ୍ରକାଶ କରିଛନ୍ତି । ଜଣେ ଅଗ୍ନିବୀର ୪ ବର୍ଷର ଚାକିର ଭିତରେ ୬ମାସ ପ୍ରଶିକ୍ଷଣ ଏବଂ ୪ ମାସ ଛୁଟି ନେବାପରେ ମାତ୍ର ୩ବର୍ଷ ୨ମାସ ମଧ୍ୟରେ ନିଜକୁ କିଭଳି ଦେଶରକ୍ଷା ପାଇଁ ପ୍ରସ୍ତୁତ ରଖିପାରିବ ସେ ନେଇ ଆଜି ଦେଶର ପୂର୍ବତନ ସେନାଧିକାରୀ ସନ୍ଦିହାନ। ଅଗ୍ନିବୀରଙ୍କ ମଧ୍ୟରୁ ୪ବର୍ଷ ପରେ ୭୫ ଭାଗ ନିଶ୍ଚିତ ଭାବରେ ସେବା ନିବୃତ ହେବେ ଏବଂ ଅତିବେଶିରେ ୨୫ ପ୍ରତିଶତଙ୍କୁ ପୁର୍ନବାର ସେନାରେ ନିଯୁକ୍ତିର ସୁଯୋଗ ମିଳିବ ଏବଂ ବର୍ତମାନ ସୁଦ୍ଧା ଏହି ୨୫ ପ୍ରତିଶତଙ୍କ ନିଯୁକ୍ତି ସର୍ତାବଳି ସ୍ଥିର କରାଯାଇ ନାହିଁ ।

ମୋଦୀ ସରକାରଙ୍କର, ସେନାବାହିନୀରେ ଖର୍ଚ୍ଚକାଟ କରିବାକୁ ଯାଇ ସ୍ଥାୟୀ ନିଯୁକ୍ତିକୁ ବନ୍ଦ କରିବାର ପ୍ରକ୍ରିୟାକୁ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଘୋର ବିରୋଧ କରାଯାଇଛି । ଦେଶର ସେନାବାହିନୀର ବଜେଟ ୧୭-୧୮ ମସିହାରେ ୧୭.୮% ଥିଲା ବେଳେ ୨୦-୨୧ ବେଳକୁ ୧୩.୦୨ ପ୍ରତିଶତକୁ ଖସିଆସିବା ମୋଦି ସରକାରଙ୍କର ଅପରିଣାମିଦର୍ଶି ନିଷ୍ପତ୍ତି ଓ ସେନାବାହିନୀକୁ ଦୁର୍ବଳ କରିବାର ମାନସିକତାକୁ ପ୍ରତିଫଳିତ କରୁଛି ।

ଆସନ୍ତାକାଲି(ସୋମବାର) ସତ୍ୟାଗ୍ରହ ମାଧ୍ୟମରେ ଦେଶର ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅଗ୍ନିପଥ ଯୋଜନା ବିରୋଧରେ କଂଗ୍ରେସ ପ୍ରଦର୍ଶନ କରିବ । ଅନ୍ୟମାନଙ୍କ ମଧ୍ୟରେ ସାମାଜିକ ଗଣମାଧ୍ୟମ ମୁଖ୍ୟ ଅଭିଷେକ ମହାନନ୍ଦ, ମୁଖପାତ୍ର ମନୋରଞ୍ଜନ ଦାଶ, ପ୍ରଶାନ୍ତ ଶତପଥି, ରଜନୀ ମହାନ୍ତି ଉପସ୍ଥିତ ଥିଲେ।

Comments are closed.