ସତିଆ କିଏ? ମୋହନ ମାଝୀଙ୍କୁ ନିରଞ୍ଜନଙ୍କ କଟାକ୍ଷ

ଜାନୁଆରୀ ୧୭ରେ କେନ୍ଦୁଝର ଗସ୍ତରେ ଯାଉଥିବା ବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡି ଉପରକୁ କିଛି ଅସାମାଜିକ ଯୁବକ ଆକ୍ରମଣ କରିଥିଲେ ଓ ପରବର୍ତୀ ଅବସ୍ଥାରେ ସେମାନଙ୍କ ଭିତରୁ ସଂଜୟ ମହାନ୍ତି ନାମକ ଯୁବକଙ୍କୁ ଗିରଫ କରିବା ସହ ପୁଲିସ ଏକ ଗାଡିକୁ ମଧ୍ୟ ଜବତ କରିଛି। ସମ୍ପୃକ୍ତ ଯୁବଲ ବିଜେପି ଦଳର ଜଣେ କର୍ମକର୍ତା ବୋଲି ଜଣାପଡିଥିଲା। ପିସିସି ସଭାପତିଙ୍କ ଗାଡି ଉପରେ ଆକ୍ରମଣ କରିଥିବା ଯୁବକମାନଙ୍କ ଭିତରେ ବିଜେପିର କାର୍ଯ୍ୟକର୍ତ୍ତା ସଂପୃକ୍ତି ଦୁର୍ଭାଗ୍ୟଜନକ ବୋଲି ପ୍ରଦେଶ କଂଗ୍ରେସ କହିଛି। ମାତ୍ର ଏହାକୁ କେନ୍ଦୁଝରର ବିଧାୟକ ମୋହନ ମାଝୀ ଖଣ୍ଡନ କରି କହିଥିଲେ ଯେ ସେ ଯୁବକମାନଙ୍କ ଭିତରେ କେହି ବିଜେପିର କର୍ମକର୍ତା ବା କର୍ମୀ ନାହାନ୍ତି। ସେ କହିଥିଲେ, ନିରଞ୍ଜନ ବାବୁ ମିଛ କହିଛନ୍ତି ଏବଂ ନାଟକ କରୁଛନ୍ତି।
ଏହାକୁ ଖଣ୍ଡନ କରି ଆଜି ପ୍ରଦେଶ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଦଳୀୟ କାର୍ଯ୍ୟକ୍ରମ ଏବଂ ଏପରିକି ମୋହନ ମାଝୀଙ୍କ ଗହଣରେ ଗିରଫ ସଂଜୟ ମହାନ୍ତିଙ୍କ ଫଟୋ ଥିବା ଚିତ୍ର ଦେଖାଇ ‘କିଏ ସତିଆ ବୋଲି’ ଶ୍ରୀ ପଟ୍ଟନାୟକ କଟାକ୍ଷ କରିଛନ୍ତି। ‘ମୋହନ ମାଝୀ ସତିଆ ନା ମୁଁ ମିଛୁଆ’ ବୋଲି ଶ୍ରୀ ପଟ୍ଟନାୟକ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ଉପହାସ ଛଳରେ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଶ୍ରୀ ମୋହନ ମାଝୀ ଜଣେ ପୁରୁଣା ଓ ଅନୁଭବୀ ନେତା। ତାଙ୍କ ସହିତ ମୋର ଘନିଷ୍ଠତା ରହିଛି। ତା ସତ୍ୱେ ସେ ଏପରି ଶବ୍ଦ ମୋ ପ୍ରତି ବ୍ୟବହାର କରିବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଓଡିଶାବାସୀ ଏ ବିଷୟରେ ବିଚାର କରିବେ ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭର ସହିତ ପ୍ରକାଶ କରିଛନ୍ତି।