ଭୋକରେ ଚାଲିଗଲା ଆଦିବାସୀ ମହିଳାଙ୍କ ଜୀବନ; ଦୋଷ ମାନନ୍ତୁ ସରକାର: ନିରଞ୍ଜନ

ଭୁବନେଶ୍ୱର: ନୟାଗଡ଼ ଜିଲା କାଳିଆମ୍ବ ଗାଁର ଦୁଃଖୀ ଜାନି (୪୬)ଙ୍କ ମୃତ୍ୟୁକୁ ନେଇ ସରକାରଙ୍କୁ କଠୋର ସମାଲୋଚନା କରିଛି କଂଗ୍ରେସ । ରାଜ୍ୟରେ ଅନାହାର ମୃତ୍ୟୁ ଖାଦ୍ୟ ସୁରକ୍ଷା ଓ ଗରିବ କଲ୍ୟାଣ ଯୋଜନାର ଅସଲ ସ୍ବରୂପକୁ ପଦାରେ ପକାଇଛି ଏବଂ ଏଥିପାଇଁ ରାଜ୍ୟ ସରକାର ଦାୟୀ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ  ନୟାଗଡ଼ ଜିଲ୍ଲା ସ୍ଥିତ କାଳିଆମ୍ବ ଗାଁର ୪୬ ବର୍ଷିୟା ଦୁଃଖି ଜାନୀଙ୍କର ଭୋକରେ ଘଟିଥିବା ଘଟିଥିବା ଏକ ଦୁଃଖଦ ମୃତ୍ୟୁକୁ ସଭ୍ୟ ସମାଜରେ କଦାପି ଗ୍ରହଣ କରାଯାଇ ପାରିବ ନାହିଁ । ଦୁଃଖି ଜାନୀଙ୍କ ମୃତ୍ୟୁ ଜୁନ୍ ୨୪ ତାରିଖରେ ଘଟିଥିଲେ ମଧ୍ୟ କୌଣସି ପ୍ରଶାସନିକ ତତ୍ପରତା ପ୍ରକାଶ ନ ପାଇବା ରାଜ୍ୟ ସରକାରଙ୍କର ସ୍ଥାଣୁତା ଓ ଅପାରଗତାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଏହି ବିଷୟରେ  ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଓଡ଼ିଶା ଖାଦ୍ୟ ଅଧିକାର ଅଭିଯାନର କର୍ମକର୍ତା ଉକ୍ତ ଗାଁକୁ ଯାଇ ଯେଉଁ ତଥ୍ୟ ଉନ୍ମୋଚନ କଲେ ସେଥିରୁ ଉକ୍ତ ମହିଳା ମୃତ୍ୟୁପୂର୍ବରୁ ତିନିଦିନ ଖାଇବାକୁ ନପାଇ ଭୋକରେ ଥିଲେ ବୋଲି ଜଣାପଡ଼ିଲା।

ତାଙ୍କୁ ପିଡିଏସ୍‌ରୁ ଠିକ୍ ସମୟରେ ଖାଦ୍ୟ ସାମଗ୍ରୀ ମିଳୁନଥିଲା । ଅନ୍ନପୂର୍ଣ୍ଣା ଯୋଜନାରେ ୨୦୧୬ ରେ ମିଳିଥିବା କାର୍ଡ଼ରେ ଯଦିଓ ସେ ୧୦କିଲୋ ଚାଉଳ ମାଗଣା ପାଇବା ପାଇଁ ହକ୍‌ଦାର ଥିଲା ତେବେ ତାଙ୍କୁ ଏହା ମିଳୁନଥିଲା । ସେ ଜଣେ ଅଣକୁଶଳୀ ଶ୍ରମିକ ଭାବରେ ମହାତ୍ମା ଗାନ୍ଧୀ ନରେଗା ଯୋଜନରେ କାମ ପାଇବା କଥା ତେବେ ଏଥିରେ ମଧ୍ୟ ତାଙ୍କୁ ହତାଦାର କରାଯାଇଥିଲା । କେନ୍ଦ୍ରୀୟ ଯୋଜନା ତଥା ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନା ଓ ଜନ୍‌ଧନ ଯୋଜନାରେ ବି ତାଙ୍କୁ କୌଣସି ପ୍ରକାର ସହାୟତା ମିଳୁନଥିଲା । ଯାହାର ପରିଣାମ ସ୍ୱରୂପ ଶେଷକୁ ସେ ନିରୀହ ଆଦିବାସୀ ମହିଳାଙ୍କର କ୍ଷୁଧା ଓ ଅନାହାର ଯୋଗୁଁ ମୃତ୍ୟୁ ଘଟିଲା ।  ଏଭଳି ଦୁଃଖଦାୟକ ଘଟଣାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସ୍ୱୀକାର କରି ଭବିଷ୍ୟତରେ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନହେବ ସେଥିପାଇଁ ବିଶେଷ ଦୃଷ୍ଟି ଦେବାକୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି

Comments are closed.