ପ୍ରଦୀପ ସେବା ନୁହେଁ, ହେବା ପାଇଁ ଦଳ ଛାଡ଼ିଛନ୍ତି : ନିରଂଜନ

ଭୁୁବନେଶ୍ୱର : ପ୍ରଦୀପ ମାଝୀଙ୍କ ଇସ୍ତଫା ପ୍ରସଙ୍ଗରେ କଡ଼ା ପ୍ରତିକ୍ରିୟା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି ଯେ ସେବା ନୁହେଁ, ହେବା ପାଇଁ ସେ ଦଳ ଛାଡ଼ିଛନ୍ତି । ଅସ୍ଥିର ମନ, କାଲି କହିଥିଲେ କୁଆଡ଼େ ଯିବେନି ? ଆଜି ଛାଡ଼ିଦେଲେ । କଂଗ୍ରେସରେ ଯେଉଁ ପୋଜିସନ ଓ ସମ୍ମାନ ପାଉଥିଲେ, ତାହା ପାଉଛନ୍ତି କି ନାହିଁ ଦେଖିବା ବୋଲି ସେ କହିଛନ୍ତି ।
ଶୁକ୍ରବାର ଦିନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦିଲ୍ଲୀରେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ । ଏଥି ସହ କେ.ସି ବେଣୁଗୋପାଳଙ୍କୁ ମଧ୍ୟ  ନିରଞ୍ଜନ ଭେଟିଛନ୍ତି । ସେ ଉଭୟଙ୍କୁ ରାଜ୍ୟର ଦଳୀୟ ସଂଗଠନ ମଜବୁତ ସଂପର୍କରେ ଆଲୋଚନା କରିଥିବା ଗଣମାଧ୍ୟମକୁ କହିଛନ୍ତି।
ସୂଚନାରୁ ପ୍ରକାଶ ଯେ ଶୁକ୍ରବାର ଦିନ ନବରଙ୍ଗପୁରର ପୂର୍ବତନ ସାଂସଦ ତଥା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇ ଦେଇଛନ୍ତି । ଅତି ଦୁଃଖ ଓ କଷ୍ଟର ସହ ସେ ଏହି ନିଷ୍ପତି ନେଇଥିବା ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି । ପ୍ରଦୀପ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି, ଗରିବ ଲୋକଙ୍କ ସେବା କରିବା ପାଇଁ ଅତି ଉତ୍ସାହର ସହିତ କଂଗ୍ରେସ ଦଳରେ ଯୋଗ ଦେଇଥିଲେ । ଦଳ ମଧ୍ୟ ଏଥିପାଇଁ ତାଙ୍କୁ ପ୍ରଚୁର ସୁଯୋଗ ଦେଇଥିଲା । ଦାବି ନ କରିଥିବା ସତ୍ୱେ ଦଳ ଅନ୍ୟମାନଙ୍କ ଠାରୁ ଉଚ୍ଚ ପଦ ପଦବୀରେ ଅବସ୍ଥାପିତ କରିଥିଲା । ସଂପୃକ୍ତ ପଦ ପଦବୀରେ ରହି ସାଧାରଣ ଲୋକଙ୍କ ଭଲ ପାଇବା ଓ ସମର୍ଥନ ପାଇଛନ୍ତି ବୋଲି ନିଜର ଇସ୍ତଫାପତ୍ର ଲେଖିଛନ୍ତି ପ୍ରଦୀପ । ତେବେ ସେ ଖୁବ୍ ଶୀଘ୍ର ବିଜେଡିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି ।

Comments are closed.