ଭୁବନେଶ୍ୱର-କଟକରେ କଂଗ୍ରେସର ୬ ଘଣ୍ଟିଆ ଚକା ବନ୍ଦ

0

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ପକ୍ଷରୁ ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ସୋମବାର ଭୁବନେଶ୍ୱର ଓ କଟକରେ ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ୬ ଘଣ୍ଟିଆ ଯାନବାହନ ଚଳାଚଳ ବନ୍ଦ ପାଇଁ ଆହ୍ୱାନ ଦିଆଯାଇଛି। ପେଟ୍ରୋଲ, ଡିଜେଲ, ଗ୍ୟାସ୍‍ ଦର ବୃଦ୍ଧି ଯୋଗୁଁ ସାଧାରଣ ଲୋକେ ଭୋଗୁଥିବା ହିନସ୍ତାକୁ ନେଇ ଆସନ୍ତାକାଲି ହେବାକୁ ଥିବା ଚକାବନ୍ଦ ଆନ୍ଦୋଳନ ପାଳନ ବେଳେ ଯାନବାହନ ଚଳାଚଳ ନକରିବାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିବେଦନ କରିଛନ୍ତି।
ସେ କହିଛନ୍ତି ଯେ ତେଲର ଅହେତୁକ ଦରବୃଦ୍ଧି ଦେଶର ସାଧାରଣ ଜନତାଙ୍କ ମୁଣ୍ଡରେ ବୋଝ ଉପରେ ନଳିତାବିଡ଼ା ସଦୃଶ ହୋଇଛି। ଏହି ପରିପ୍ରେକ୍ଷୀରେ ରବିବାର ସନ୍ଧ୍ୟାରେ କଂଗ୍ରେସ ଭବନରୁ ସାଧାରଣ ଜନତାଙ୍କୁ ସଚେତନ କରିବାକୁ ଏକ ପ୍ରତିବାଦ ସ୍ୱରୂପ ବିଶାଳ ମଶାଲ ଶୋଭାଯାତ୍ରା ମାଷ୍ଟରକ୍ୟାଣ୍ଟିନ ଛକରେ ଅନୁଷ୍ଠିତ ହୋଇଛି। ବନ୍ଦବେଳେ ଶାନ୍ତିପୂର୍ଣ୍ଣ ବଜାୟ ରଖିବାକୁ କଂଗ୍ରେସ କର୍ମୀ ଓ ନେତାମାନଙ୍କୁ କୁହାଯାଇଛି। ତେବେ ଜରୁରୀକାଳୀନ ଆମ୍ବୁଲାନସ ସେବାରେ କଂଗ୍ରେସ କର୍ମୀ ବାଧକ ସାଜିବେ ନାହିଁ ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଗୋଟିଏ ପକ୍ଷେ କେନ୍ଦ୍ରର ତୈଳ ଓ ଗ୍ୟାସର ଅହେତୁକ ଦର ବୃଦ୍ଧି କରୁଥିବାବେଳେ ରାଜ୍ୟ ସରକାର ମଧ୍ୟ କିଛି ଟିକସ କମାଇ ଦେଇପାରନ୍ତେ; କିନ୍ତୁ ଆନ୍ତରିକତା ଅଭାବରୁ ପେଟ୍ରୋଲ , ଡିଜେଲ ଉପରୁ କେନ୍ଦ୍ର ଓ ରାଜ୍ୟ ସେମାନଙ୍କ ଟିକସରୁ ଟଙ୍କାଟିଏ ଛାଡ଼ କରୁ ନଥିବାରୁ କଂଗ୍ରେସ ଏହି ପ୍ରତିବାଦ ରାସ୍ତା ଆପଣେଇଛି ବୋଲି ଦଳ ପକ୍ଷରୁ କୁହାଯାଇଛି।

Leave A Reply