ନିର୍ମାଣ ଶ୍ରମିକଙ୍କ ବ୍ୟାଙ୍କ ଖାତାରେ ଅର୍ଥ ଦିଅ : କେନ୍ଦ୍ର

ନୂଆଦିଲ୍ଲୀ : ସରକାରଙ୍କ ତାଲାବନ୍ଦ ଯୋଗୁ ଶ୍ରମିକ ଶ୍ରେଣୀର ଲୋକେ ଦୈନିକ ପରିବାର ପ୍ରତିପୋଷଣ କରିବାକୁ ବେଶ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ନିର୍ମାଣ ଶ୍ରମିକଙ୍କ ବ୍ୟାଙ୍କଖାତାକୁ ଅର୍ଥ ସ୍ଥାନାନ୍ତର କରିବାକୁ ରାଜ୍ୟ ଗୁଡିକୁ କେନ୍ଦ୍ର ସରକାର ନିର୍ଦେଶ ଦେଇଛନ୍ତି। ଏ କ୍ଷେତ୍ରରେ ସରକାର କଲ୍ୟାଣ ପାଣ୍ଠିର ବ୍ୟବହାର କରିବେ। କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଏ ନେଇ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି। ଅନ୍ୟପକ୍ଷରେ ନିଯୁକ୍ତିଦାତାଙ୍କୁ ସୁବିଧା ପ୍ରଦାନ କରିବାକୁ ଯାଇ ସରକାର ୮ ଶ୍ରମ ଆଇନ ଏବଂ ୧୦ କେନ୍ଦ୍ରୀୟ ଆଇନ ଅନୁଯାୟୀ, ୨୦୧୮-୧୯ ଆର୍ଥିକବର୍ଷ ନିମନ୍ତେ ରିଟର୍ଣ୍ଣ ଦାଖଲ ଅବଧି ୩୦ ଜୁନ୍‌ ଯାଏ ଘୁଞ୍ଚାଇ ଦେଇଛନ୍ତି।
ସମ୍ପ୍ରତି କୋଠାବାଡି ଏବଂ ନିର୍ମାଣ ଶ୍ରମିକ ସେସ୍‌ ପାଣ୍ଠି​ରେ ୫୨,୦୦୦ ​କୋଟି ଟଙ୍କା ରହିଛି। ଏହି ଅର୍ଥକୁ ଉପଯୋଗ କରି ନିର୍ମାଣ ଶ୍ରମିକଙ୍କ ବ୍ୟାଙ୍କ ଖାତାକୁ ଅର୍ଥ ହସ୍ତାନ୍ତର କରାଯାଇପାରିବ। କୋଠବାଡି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ପାଣ୍ଠି ଆଇନ ୧୯୯୬ ଅଧୀନରେ ଦେଶରେ ପାଖାପାଖି ସାଢେ ତିନି କୋଟି ନିର୍ମାଣ ଶ୍ରମିକ ପଞ୍ଜିକୃତ ଅଛନ୍ତି। ଏହି ସେସ୍‌ ରାଜ୍ୟ ସରକାର ଗୁଡିକ ଦ୍ବାରା ପରିଚାଳନା କରାଯାଉଛି। ଏହାଛଡା ରାଜ୍ୟ ଗୁଡିକ ଦ୍ବାରା କ୍ଷେତ୍ରୀୟ ଭିତ୍ତିରେ ନିର୍ମାଣ ଶ୍ରମିକଙ୍କର ଏକ ରେଜିଷ୍ଟର ପରିଚାଳନା କରାଯାଉଛି। ଏହି ଶ୍ରମିକଙ୍କର କଲ୍ୟାଣକୁ ଦୃଷ୍ଟିରେ ରଖି ରାଜ୍ୟ ଗୁଡିକ ସେମାନଙ୍କର ସ୍ବାସ୍ଥ୍ୟଗତ ଆବଶ୍ୟକତା, ପେନ୍‌ସନ୍‌, ଗୃହ ନିର୍ମାଣ ଲାଗି ଋଣ, ପିଲାଙ୍କ ଶିକ୍ଷା, ବୀମା, ମାତୃତ୍ବ ଏବଂ ଅନ୍ୟାନ୍ୟ ସୁବିଧା ଯୋଗାଇଦେବା ପାଇଁ ରାଜ୍ୟ ଗୁଡିକ ଯୋଜନା ପ୍ରଣୟନ କରିବା ଦରକାର। ବହୁ ରାଜ୍ୟ କୋଠାବାଡି ଏବଂ ନିର୍ମାଣ ଶ୍ରମିକ ସେସ୍‌ ପାଣ୍ଠିରେ ରହିଥିବା ଅର୍ଥ ଖର୍ଚ୍ଚ କରିନାହାନ୍ତି। ଏ ନେଇ ସୁପ୍ରିମକୋର୍ଟ ଉଭୟ କେନ୍ଦ୍ର ଏବଂ ରାଜ୍ୟକୁ ଭର୍ତ୍ସନା କରିଛନ୍ତି। ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ବ୍ୟବସ୍ଥା ଜରିଆ​ରେ ନିର୍ମାଣ ଶ୍ରମିକଙ୍କ ବ୍ୟାଙ୍କ ଖାତାକୁ ଅର୍ଥ ଛାଡିବାକୁ କେନ୍ଦ୍ର ସରକାର ଧାରା ୬୦ ଅଧୀନରେ ରାଜ୍ୟଗୁଡିକୁ ନିର୍ଦେଶ ଦେଇଛନ୍ତି।

Comments are closed.