ମୋଦୀଙ୍କ ସହିତ କଥାହେଲେ ଆବାସ ଯୋଜନା ହିତାଧିକାରୀ ‘ମମତା’

0

ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି)ର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ମମତାକୁମାରୀ ପଣ୍ଡାଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଯୋଜନା ସମ୍ପର୍କରେ ଆଲୋଚନା କରିଛନ୍ତି। ଓଡ଼ିଶାର ଏକମାତ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଭାବେ ମମତା ଏହି କାର୍ଯ୍ୟକ୍ରମ ପାଇଁ ମନୋନୀତ ହୋଇ ଲକ୍ଷ୍ମୌଠାରେ ଅନୁଷ୍ଠିତ ହିତାଧିକାରୀ ସମ୍ମିଳନୀରେ ସାମିଲ ହୋଇଥିଲେ। ବ୍ରହ୍ମପୁର ୱାର୍ଡ ନଂ୧ ଅନ୍ତର୍ଗତ ହରିଡ଼ାଖଣ୍ଡି ଶାନ୍ତିନଗରରେ ରହୁଥିବା ମମତା ଦେଶର ୩୫ଜଣ ଆବାସ ଯୋଜନା ହିତାଧିକାରୀଙ୍କ ମଧ୍ୟରେ ସ୍ଥାନ ପାଇଥିଲେ। ଆବାସ ଯୋଜନାର ତୃତୀୟ ବର୍ଷ ପୂରଣ ଅବସରରେ ଲକ୍ଷ୍ମୌର ଜୁପିଟର ହଲ୍‌ଠାରେ ଶନିବାର ଅନୁଷ୍ଠିତ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମମତା ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଆଲୋଚନା କରିବାର ସୁଯୋଗ ପାଇଥିଲେ। ତାଙ୍କ ସହିତ ମୋଦୀ ଆଲୋଚନା କରି ସେ ପୂର୍ବରୁ କିପରି ରହୁଥିଲେ ଏବଂ ଆବାସ ଘର କେମିତି ପାଇଲେ ତାହା ପଚାରି ବୁଝିଥିଲେ। ଉତ୍ତରରେ ମମତା କହିଥିଲେ ଯେ, ସେ ହରିଡ଼ାଖଣ୍ଡି ଅଞ୍ଚଳରେ ଅସୁବିଧା ମଧ୍ୟରେ ରହୁଥିଲେ। ବିଏମ୍‌ସି କର୍ମଚାରୀ ଏବଂ କମ୍ୟୁନିଟି ଅର୍ଗାନାଇଜର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଆବେଦନ କରିବାକୁ କହିଥିଲେ। ୨୦୧୬ରେ ସେ ଏଥିପାଇଁ ଆବେଦନ କରିଥିଲେ। ୩ମାସ ହେଲା ସେ ଘର ପାଇଛନ୍ତି। ସ୍ୱପ୍ନରେ ସୁଦ୍ଧା ସେ ନିଜର ଏକ ଘର ହେବ ବୋଲି ଭାବିନଥିବା ପ୍ରଧାନମନ୍ତ୍ରୀଙ୍କୁ କହିଥିବା ମମତା ‘ସମାଜ’କୁ କହିଛନ୍ତି।
ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଥିବା ଦେଶର ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ ବିଶେଷକରି ମହିଳା ହିତାଧିକାରୀଙ୍କ ନାମ ଚୂଡ଼ାନ୍ତ କରିବା ପାଇଁ ବିଏମ୍‌ସିକୁ ନିର୍ଦେଶ ଆସିଥିଲା। ଏଥିରେ ବହୁ ହିତାଧିକାରୀଙ୍କ ନାମ ଆସିଥିଲେ ମଧ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ୪ମାସରେ ଘର ନିର୍ମାଣ ଶେଷ କରି ୨୦ହଜାର ଟଙ୍କା ଇନସେନଟିଭ ପାଇଥିବା ମମତାଙ୍କ ନାମ ଏଥିପାଇଁ ଚୂଡ଼ାନ୍ତ ହୋଇଥିଲା। ଫଳରେ ଦେଶର ୩୫ଜଣ ହିତାଧିକାରୀଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା ପାଇଁ ମମତା ମନୋନୀତ ହୋଇଥିଲେ। ବିଏମସିର ଗୋଷ୍ଠୀ ସଂଗଠିକା ଜୟଶ୍ରୀ ପାଣିଗ୍ରାହୀ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନୋଡ଼ାଲ ଅଫିସର ଏମ୍‌.ନାଗେଶ୍ୱର ସୁବୁଦ୍ଧିଙ୍କ ତତ୍ତ୍ୱାବଧାନରେ ମମତା ଲକ୍ଷ୍ମୌ ଯାତ୍ରା କରି ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କରିବା ସୁଯୋଗ ପାଇଥିଲେ। ଆବାସ ଯୋଜନାରେ ରାଜ୍ୟରେ ବ୍ରହ୍ମପୁର ମହାନଗର ନିଗମ ପ୍ରଥମ ହୋଇଥିବାରୁ ହିତାଧିକାରୀଙ୍କୁ ଏହି ସୁଯୋଗ ମିଳିଥିବା ବିଏମ୍‌ସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର କହିଛନ୍ତି।

Leave A Reply